ଯୌତୁକ ପାଇଁ ବିଧବାଙ୍କୁ ହତ୍ୟା ମାମଲା: ଶାଶୂକୁ ୭ ଓ ଦିଅରକୁ ୨ ବର୍ଷ କାରାଦଣ୍ଡ

Advertisment
ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଆସିକା: ଗାଙ୍ଗପୁର ଥାନା ଅଧୀନ ପଣସପଲ୍ଲୀ ଗ୍ରାମରେ ୨୦୧୨ ଅପ୍ରେଲ୍ ୧ ତାରିଖରେ ବିଧବା ବୋହୂ ମନାଶ ବିଷୋୟୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ହତ୍ୟା କରାଯାଇଥିଲା। ଆଉ ପ୍ରମାଣ ନଷ୍ଟ ପାଇଁ ଘର ପଛ ପଟେ ତାଙ୍କୁ ପୋଡ଼ି ଦିଆଯାଇଥିଲା। ଏହି ଘଟଣାର ୧୧ବର୍ଷ ପରେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ମାନ୍ୟବର ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମାମଲା(ଏସଟି୧୨୦/୧୦)ର ବିଚାରଣ କରି ଶାଶୂ ଦମୟନ୍ତୀ ବିଷୋୟୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ସହଯୋଗ କରିଥିବା ଦିଅର ନିକୁଞ୍ଜ ବିଷୋୟୀକୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଘଟଣାର ଅନ୍ୟତମ ଅଭିଯୁକ୍ତ ଥିବା ଶ୍ୱଶୁର ପଞ୍ଚାନନ ବିଷୋୟୀ ଓ ଦିଅର ବାବୁଲା ବିଷୋୟୀର ବିଚାରଣ ବେଳେ ମୃତ୍ୟୁ ହୋଇସାରିଛି। ସେହିପରି ଅନ୍ୟ ଦୁଇ ଦିଅର ଘନଶ୍ୟାମ ବିଷୋୟୀ ଓ ଡ୍ରାଇଭର ବିଷୋୟୀ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ତଦନ୍ତକାରୀ ଅଧିକାରୀ ତାରିଣୀ ଚରଣ ଆଚାର୍ଯ୍ୟ ଓ ଦୀନବନ୍ଧୁ ବେହେରାଙ୍କ ସମେତ ୧୪ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଏଡିଜେ ପ୍ରବୀର କୁମାର ଚୌଧୁରୀ ଏହି ରାୟ ଶୁଣାଇଛନ୍ତି।

ସୂଚନା ଥାଉକି, ମନାଶଙ୍କ ସ୍ୱାମୀ ବିନୋଦଙ୍କ ମୃତ୍ୟୁ ପରେ ଶାଶୂଘର ପକ୍ଷରୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ତାଙ୍କୁ ନାନା ନିର୍ଯାତନା ଦିଆଯାଉଥିଲା। ତେବେ ଯୌତୁକ ଦେବାକୁ ଅକ୍ଷମତା ପ୍ରାକଶ କରିବାରୁ ଶାଶୂ, ଶ୍ୱଶୁର ଓ ଦିଅରମାନେ ମିଶି ମନାଶଙ୍କୁ ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ଘର ପଛପଟେ ପୋଡ଼ି ଦେଇଥିଲେ। ମନାଶଙ୍କ ଭଉଣୀ ସଂଯୁକ୍ତା ନ୍ୟାୟ ପାଇଁ ଗାଙ୍ଗପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ କେସ୍ ନମ୍ବର ୩୮/୧୨ ତଦନ୍ତ ଆରମ୍ଭ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe