ଟାଙ୍ଗିଆପଡ଼ା ହତ୍ୟା ମାମଲା: ନିଜର ଦୁଇ ପୁଅ ସହ ମିଶି ପ୍ରେମିକକୁ ହତ୍ୟା କଲା ପ୍ରେମିକା

ଯଦି ମୋର ହୋଇପାରିବୁନି, ତେବେ ତୁ କାହାର ହୋଇପାରିବୁନି

ଟାଙ୍ଗିଆପଡ଼ା ହତ୍ୟା ମାମଲା: ନିଜର ଦୁଇ ପୁଅ ସହ ମିଶି ପ୍ରେମିକକୁ ହତ୍ୟା କଲା ପ୍ରେମିକା

ଖୋର୍ଦ୍ଧା: ଯୁବକ ବିବାହିତ, କିନ୍ତୁ ବଢ଼ିଲା ଦୁଇ ପୁଅ ଥିବା ଅନ୍ୟଜଣେ ମହିଳାଙ୍କ ସହ ସମ୍ପର୍କ ରହିଥିଲା । ଉଭୟ ବିବାହ କରିବାକୁ ମଧ୍ୟ ସ୍ଥିର କରିଥିଲେ । କିନ୍ତୁ ଯୁବକଙ୍କ ବିବାହିତ ପତ୍ନୀ ଏହି ପରକୀୟା ସମ୍ପର୍କକୁ ବିରୋଧ କରିବାରୁ ଚାପରେ ପଡ଼ି ଯୁବକଜଣକ ପ୍ରେମିକାଙ୍କ ଠାରୁ ନିଜକୁ ଦୂରେଇବାକୁ ଚେଷ୍ଟା କରିଥିଲେ । ଏଥିରେ ଉତ୍‌କ୍ଷୀପ୍ତ ହୋଇ ଉକ୍ତ ମହିଳାଜଣକ ନିଷ୍ପତ୍ତି ନେଲେ ଯଦି ସେ ଯୁବକ ଜଣକ ତାଙ୍କୁ ବିବାହ ନକରନ୍ତି ତେବେ ସେ କାହାରି ହୋଇପାରିବେ ନାହିଁ । ଶେଷରେ ଯୋଜନାବଦ୍ଧ ଭାବେ ନିଜର ଦୁଇପୁତ୍ର ଓ ଜଣେ ପୁରୁଷ ବନ୍ଧୁଙ୍କ ସହ ମିଶି ଯୁବକଙ୍କୁ ନିଜ ହାତରେ ଅତି ନିର୍ମମ ଭାବେ ଛେଳି କାଟିବା ଭଳି ଯୁବକଙ୍କ ବେକ କାଟି ହତ୍ୟା କଲେ । ଗତ ୧୭ ତାରିଖ ରାତିରେ ଖୋର୍ଦ୍ଧା ଠାରୁ ପ୍ରାୟ ୭ କିମି ଦୂର ଟାଙ୍ଗିଆପଡ଼ା ନିକଟ ନିଆଳ ଛୋଟ ଗାଡ଼ିଆଖଣି ନିକଟରେ ଏକ ଯୁବକଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତରେ ଏଭଳି ଜଘନ୍ୟ ହତ୍ୟାର ପର୍ଦ୍ଦାଫାସ  ହୋଇଛି ।

ଘଟଣା ଦିନ ଯୁବକଙ୍କ ମୃତଦେହ ଯେଉଁ ଭଳି ଅବସ୍ଥାରେ ମିଳିଥିଲା ସେଥିରୁ ପ୍ରାଥମିକ ଅନୁସନ୍ଧାନରୁ ଏହା ହତ୍ୟା ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ହତ୍ୟାର କାରଣ ଅସ୍ପଷ୍ଟ ଥିଲା । ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ରେକର୍ଡ ୨୪ ଘଂଟା ମଧ୍ୟରେ ହତ୍ୟାର ଗୁମର ଖୋଲିବା ସହ ହତ୍ୟାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ।

ପୁଲିସ ନିକଟରୁ ମିଳିଥିବା ସୂଚନାନୁସାରେ, ପାଇକତିଗିରିଆରେ ରହୁଥିବା ଅଲିମା ବେଗମ ଓରଫ ଡଲି (୩୭) ସହ କେରଙ୍ଗ ଗାଁର ଅତାଉଲ୍ଲା ଖାଁ ଓରଫ ପିଲା (୨୬) ସହ ଅନୈତିକ ସମ୍ପର୍କ ଗଢ଼ିଉଠିଥିଲା । ତେବେ ଏନେଇ ଅତାଉଲ୍ଲାଙ୍କ ସ୍ତ୍ରୀ ଅସମା ବେଗମ ଏହା ଜାଣିବା ପରେ ନିଜର ପରିବାର ଓ ଗାଁ ସରପଂଚଙ୍କୁ ଅଭିଯୋଗ କରିଥିଲେ । ଗାଁରେ ବୈଠକ ବସି ଅତାଉଲ୍ଲାକୁ ତାଗିଦ କରାଯାଇଥିଲା । ଏହାପରେ ଅତାଉଲ୍ଲା ଅଲିମା ବେଗମ ଠାରୁ ନିଜକୁ ଦୂରେଇବାକୁ ଚେଷ୍ଟା କଲେ । ଏଥିରେ ଡଲି ଉତ୍‌କ୍ଷୀପ୍ତ ହୋଇଉଠିଲେ। ପଂଚାୟତ କାର୍ଯ୍ୟାଳୟରେ ସେ ସମସ୍ତଙ୍କ ସମ୍ମୁଖରେ ଧମକ ଦେଲେ ଯେ ଯଦି ଅତାଉଲ୍ଲା ତାଙ୍କୁ ବିବାହ ନକରନ୍ତି ତେବେ ସେ କାହାରି ହୋଇପାରିବେ ନାହିଁ ଓ ତାଙ୍କୁ ହତ୍ୟା କରିବେ। ଜୁନ୍ ୧୬ ତାରିଖରେ, ଅତାଉଲ୍ଲାର ଜଣେ ବନ୍ଧୁ ସେକ୍ ମସହୁର ରହେମାନ୍ ଓରଫ ରିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ଅଛି ଏଣୁ ଅଲିମା ବେଗମ ଡାକିଛନ୍ତି ବୋଲି କହି ଅତାଉଲ୍ଲାଙ୍କୁ ଅଲିମା ବେଗମଙ୍କ ପାଇକତିଗିରିଆ ଘରକୁ ଡାକି ଆଣିଥିଲେ । ସେଠାରେ ଅଲିମା ଓ ଅତାଉଲ୍ଲା ଉଭୟ ମିଶି ମଦ ପିଇଥିଲେ । ଏହି ସମୟରେ ସେକ୍ ମସହୁର ବାହାରକୁ ଯାଇ ଏକ ଛୁରୀ ନେଇ ଆସିଥିଲା । ପୂର୍ବ ଯୋଜନା ଅନୁସାରେ ଅଲିମାଙ୍କ ଦୁଇ ପୁଅ ସେକ୍ ମହିଫୁଜ୍ ଓରଫ ନବୀନ ଓ ଅବ୍ଦୁଲ୍ ମସରୁର ଖାନ୍ ଓରଫ ଉତୁଲ ପହଂଚି ଅତାଉଲ୍ଲାଙ୍କ ସହ ଗଣ୍ଡଗୋଳ ଆରମ୍ଭ କରିଥିଲେ । ଏହି ସମୟରେ ଅବ୍ଦୁଲ୍ ମସରୁର ଏକ ଲୁହାଛଡ଼ରେ ଅତାଉଲ୍ଲାକୁ ଆକ୍ରମଣ କରିଥିଲା । ଆଘାତ ପାଇ ଅତାଉଲ୍ଲା ତଳେ ପଡ଼ିଯାଇଥିଲେ । ଏହି ସମୟରେ ଅନ୍ୟ ତିନିଜଣ ଅତାଉଲ୍ଲାଙ୍କୁ ମାଡ଼ି ବସି ଧରିଥିଲେ ଓ ଅଲିମା ଛୁରୀରେ ବେକ କାଟି ଦେଇଥିଲେ । ଅତାଉଲ୍ଲାଙ୍କ ମୃତଦେହକୁ ଚାରିଜଣ ମିଶି ଏକ ଅଖାରେ ବାନ୍ଧି ଦେଇଥିଲେ । ଏହାପରେ ସେକ୍ ମସହୁର ଓ ଅବ୍ଦୁଲ୍ ମସରୁର ଦୁହେଁ ଏକ ମୋଟର ସାଇକଲ (ଓଡି ୧୯ ଏସ୍ ୦୩୮୧)ରେ ଅଖାରେ ବନ୍ଧା ହୋଇଥିବା ଅତାଉଲ୍ଲାର ମୃତ ଦେହକୁ ନେଇ ନିଆଳ ଛୋଟଗାଡ଼ିଆ ଖଣି ଠାରେ ଫିଙ୍ଗି ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe