Shutterstock
ବ୍ୟାସନଗର: ବ୍ୟାଙ୍କଷ୍ଟ୍ରିଟ ଏକ ବାର ନିକଟରେ ୩ ମହଲା କୋଠାଘର କାର୍ଯ୍ୟ କରୁଥିବାବେଳେ ଆଜି ସନ୍ଧ୍ୟାରେ ବିଦ୍ୟୁତ୍ ଆଘାତରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଜଗନ୍ନାଥ ଆଦିବାସୀ ବସ୍ତିର ଲକ୍ଷ୍ମଣ ମାରାଣ୍ଡିଙ୍କ ପତ୍ନୀ ମଲ୍ଲୀ (୪୦)। ଗୋଦାମ ଘରୁ ଜିନିଷ ଆଣିବାକୁ କବାଟ ଖୋଲିବାବେଳେ ଲୁହା କବାଟ ଚାର୍ଜ ହୋଇଥିବାରୁ ତାଙ୍କୁ ଶକ୍ତ ଆଘାତ ଲାଗିଥିଲା। ସଙ୍ଗେସଙ୍ଗେ ଯାଜପୁରରୋଡ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ମଲ୍ଲୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଅନ୍ୟ ଶ୍ରମିକମାନେ ଠିକାଦାରକୁ ଜଣାଇଥିଲେ।
ଯାଜପୁରରୋଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ଜବତ କରିଛି। ଘଟଣାସ୍ଥଳରୁ ଠିକାଦାର ପାର ହୋଇଯାଇଥିବା ପୁଲିସ ସୂଚନା ଦେଇଛି। ବିନା ସୁରକ୍ଷା ସରଞ୍ଜାମରେ କାମ କରାଯାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଶ୍ରମିକଙ୍କ ସ୍ଵାମୀ ଦିବ୍ୟାଙ୍ଗ ଏବଂ ତାଙ୍କର ୬ ସନ୍ତାନ ଅଛନ୍ତି। ବଡ଼ଝିଅ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ମଲ୍ଲୀ ପ୍ରତିଦିନ ମୂଲମଜୁରି ଲାଗି ପରିବାର ପ୍ରତିପୋଷଣ କରୁଥିଲେ। ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବା ସହ ଠିକାଦାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଆସନ୍ତାକାଲି ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏଏସ୍ଆଇ ଅନିରୁଦ୍ଧ ବିଶ୍ଵାଳ ସୂଚନା ଦେଇଛନ୍ତି।
Follow Us