ପରିବା ଚାଷରେ ପାଣି ମଡ଼ାଇବାକୁ ନେଇ ଗଣ୍ତଗୋଳ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡ଼ୀ ମୃତ

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ରିଆମାଳ : ପରିବା ଚାଷରେ ପାଣି ମଡ଼ାଇବାକୁ ନେଇ ହତ୍ୟାକାଣ୍ଡ। ପୁତୁରାର ଟାଙ୍ଗିଆ ଚୋଟରେ ଯାଇଛି ଖୁଡ଼ୀର ଜୀବନ। ଏମିତି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତିମୁର ଗ୍ରାମରେ। ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ମିନିଟ୍‌ରେ ଏପରି କାଣ୍ଡ ଘଟାଇବା ପରେ ହତ୍ୟାକାରୀ ପୁତୁରା ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ତିମୁର ଗ୍ରାମର ଅର୍ଜୁନ ସ୍ବାଇଁଙ୍କ ପତ୍ନୀ ଗୁଆ ସ୍ବାଇଁ (୬୦)। ହତ୍ୟାକାରୀ ପୁତୁରା ରଘୁ ସ୍ବାଇଁଙ୍କ ପୁଅ ଲିଙ୍ଗରାଜ (୩୫)ଙ୍କୁ ପୁଲିସ ଥାନାରେ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ ଗୁଆ ପ୍ରତିଦିନ ପରି ସୋମବାର ସକାଳେ ବାରିରୁ ଶାଗ, ଧନିଆ ପତ୍ର ତୋଳି ବିକ୍ରି କରିବାକୁ ରିଆମାଳ ବଜାରକୁ ଯାଇଥିଲେ। ବଜାରରୁ ଫେରିବା ପରେ ସକାଳ ପ୍ରାୟ ୯ଟା ୩୦ ମିନିଟ୍‌ରେ ଲିଙ୍ଗରାଜ ବଗିଚାରେ ପାଣି ମଡ଼ାଇବାକୁ ନେଇ ତାଙ୍କ ସହିତ ଯୁକ୍ତିତର୍କ କରିଥିଲା। ଏପରିକି ତାଙ୍କୁ ଜୀବନରୁ ମାରି ଦେବ ବୋଲି ଧମକ ଦେଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଅଧିକ ବଢ଼ିଥିଲା। ଏଥିରେ ଲିଙ୍ଗରାଜ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ଗୁଆଙ୍କ ବେକରେ ଚୋଟ ମାରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ଲିଙ୍ଗରାଜ ରିଆମାଳ ଥାନାରେ ଆତ୍ମସମର୍ପଣ କରିଥିଲା। ରିଆମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ମଙ୍ଗଳବାର ଶବ ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ କେରକେଟା ପ୍ରକାଶ କରିଛନ୍ତି। ଖବରପାଇ ଦେବଗଡ଼ ଜିଲ୍ଲା ଏସ୍‌ପି ରାହୁଲ ଜୈନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ତଦନ୍ତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe