ଗଂଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ସାନରାମଚନ୍ଦ୍ରପୁର ପଞ୍ଚାୟତର ଜହମି ଗ୍ରାମର ଏକ କାଜୁତୋଟାରେ ଆଜି ସଂଧ୍ୟାରେ ଜନୈକା ମହିଳାଙ୍କୁ ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଉଛନ୍ତି ଭଗବାନ ନାହାକଙ୍କ ପତ୍ନୀ ପୁନି ନାହାକ(୬୦)। ହତ୍ୟା ପରେ ଦୁର୍ବୃତ୍ତ ଜଣକ ମହିଳାଙ୍କ ପିନ୍ଧିଥିବା ସମସ୍ତ ସୁନାଗହଣା ଲୁଟ୍ କରି ନେଇଥିବା ଜଣାପଡ଼ିଛି। ସୁନାଗହଣା ଲୁଟ ଉଦ୍ଦେଶ୍ୟରେ ଏହି ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି। ରାତି ହୋଇ ଯାଇଥିବାରୁ ପୁଲିସ ତଦନ୍ତ ଆଗେଇ ପାରନଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ ଜହମି ଗ୍ରାମର ପୁନି ଗାଁ ନିକଟରେ ରହିଥିବା ନିଜର କାଜୁ ଜଙ୍ଗଲକୁ ସନ୍ଧ୍ୟାରେ କାଜୁ ତୋଳିବା ପାଇଁ ଯାଇଥିଲେ। ଖରା ଯୋଗୁଁ ଦିନବେଳା କାଜୁ ତୋଳି ପାରୁ ନଥିବାରୁ ସେ ସନ୍ଧ୍ୟାରେ ଏକୁଟିଆ ସେଠାକୁ ଯାଇଥିଲେ। ହେଲେ ରାତି ୯ଟା ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ କାଜୁତୋଟାରେ ପଡ଼ିଥିବା ଦେଖିଥିଲେ। ତୁରନ୍ତ ଏନେଇ ପୁଲିସକୁ ଖବର ଦେବା ପରେ ରମ୍ଭା ଥାନା ଅଧିକାରୀ ସ୍ବରୂପ କୁମାର କିଷାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଶବ ଜବତ କରିଛି। ତୋଟାରେ ଅନ୍ଧାର ହୋଇଥିବାରୁ ତଦନ୍ତ ପ୍ରକ୍ରିୟା ଆଗେଇ ପାରି ନାହିଁ। ଲୁଟ୍ ଉଦ୍ଦେଶ୍ୟରେ କୌଣସି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ପୁନିଙ୍କ ଏକ ମଙ୍ଗଳସୁତ୍ର, ସୁନାଚେନ, କାନଫୁଲ, ନାକଫୁଲ ଓ ହଳେ ଚୁଡ଼ି ଲୁଟି ନେଇଥିବା ଜଣାପଡ଼ିଛି।
Follow Us