ଧୋକା ଦେଲା ୧୦୮ ଆମ୍ବୁଲାନ୍ସ, ମହିଳା ରୋଗୀଙ୍କ ମୃତ୍ୟୁ

Advertisment
ରେଳଧାରଣାରେ ଗଲା ୩ ଜୀବନ

କଲ୍ୟାଣସିଂହପୁର : ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ପାଇଁ ଚର୍ଚ୍ଚାରେ ରହିଥିବା ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରୁ ପୁଣି ଗୋଟିଏ ନକାରାତ୍ମକ ଚିତ୍ର ସାମ୍ନାକୁ ଆସିଛି। ଜଣେ ମହିଳା ରୋଗୀଙ୍କୁ ନେଇ ହସ୍ପିଟାଲ ଆସୁଥିବା ଏକ ୧୦୮ ଆମ୍ବୁଲାନସର ଚକ ରାସ୍ତାରେ ଲିକ୍ ହୋଇଯିବାରୁ ପ୍ରାୟ ଘଣ୍ଟାଏ କାଳ ଅଟକି ଯାଇଥିଲା। ଫଳରେ ବିଳମ୍ବରେ ମେଡିକାଲ ପହଞ୍ଚିଥିବା ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘଟଣାକୁ ନେଇ ମୃତକଙ୍କ ସଂପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, କରପା ପଞ୍ଚାୟତ ମହକୁମାର କଲ୍ୟାଣୀ ବିଡିକା (୨୦) କିଛି ମାସ ତଳେ ହିଁ ରାୟଗଡ଼ା ଶିରିଗୁଡ଼ା ଗାଁରେ ବିବାହ କରିଥିଲେ। କିଛି ଦିନ ତଳେ କଲ୍ୟାଣୀ ବାପାଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ। ତେବେ ଏଠାରେ ସେ ଜ୍ବର ଏବଂ ଝାଡ଼ାରେ ଆକ୍ରାନ୍ତ ହୋଇଥିଲେ। ଏମିତି ସ୍ଥିତିରେ ପରିବାର ଲୋକ ମେଡିକାଲ ନେବା ପରିବର୍ତେ ଝଡ଼ାଫୁଙ୍କା ଚିକିତ୍ସା କରିଥିଲେ। ତେଣୁ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ଆଜି ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପରିବାର ଲୋକ ଚିନ୍ତା କରିଥିଲେ। ଏଥିପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେତେବେଳକୁ ମେଡିକାଲରେ ଆମ୍ବୁଲାନ୍ସ ନ ଥିବାରୁ ପ୍ରାୟ ଗୋଟିଏ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ଆମ୍ବୁଲାନ୍ସ ପହଞ୍ଚିବା ପରେ କଲ୍ୟାଣୀଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଉଥିଲା। ହେଲେ ରାସ୍ତାରେ ଧୋକା ଦେଲା ଆମ୍ବୁଲାନ୍ସ। ପ୍ରାୟ ୩କିଲୋମିଟର ଅତିକ୍ରମ କରିବା ପରେ ସହିଦ ପିଠ ନିକଟରେ ଚକା କଣା ହୋଇ ଯିବାରୁ ରାସ୍ତା ମଝିରେ ଅଟକି ଯାଇଥିଲା। ଅନ୍ୟପଟେ କଲ୍ୟାଣୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ପରିବାର ଲୋକ ଅନ୍ୟ ଗୋଟିଏ ଗାଡ଼ିରେ ନେବାକୁ ପ୍ରସ୍ତୁତ ହୋଇଥିଲେ। ତେବେ ଆମ୍ବୁଲାନ୍ସ ଡ୍ରାଇଭର ଏଥିପାଇଁ ବାରଣ କରିଥିଲେ। ୧୦୮ ଆମ୍ବୁଲାନ୍ସରେ କୌଣସି ରୋଗୀ ନେବା ସମୟରେ ରାସ୍ତାରେ ଅନ୍ୟ ଗୋଟିଏ ଗାଡ଼ିରେ ନେବା ନିୟମ ବିରୋଧୀ କାମ ବୋଲି କହିଥିଲେ। ଯାହାଫଳରେ ରାସ୍ତା ମଝିରେ ମହିଳା ଜଣକ ଛଟପଟ ହେଉଥିଲେ ମଧ୍ୟ ଅନ୍ୟ ବିକଳ୍ପର ବ୍ୟବସ୍ଥା କରାଯାଇ ନ ଥିଲା। ପ୍ରାୟ ଗୋଟିଏ ଘଣ୍ଟା ପରେ ଖବର ପାଇ ୧୦୨ ଆମ୍ବୁଲାନ୍ସ ପହଞ୍ଚିବାରୁ କଲ୍ୟାଣୀଙ୍କୁ ମେଡିକାଲ ନିଆଯାଇଥିଲା।

ଏଭଳି ଭାବେ ପ୍ରାୟ ୨ଘଣ୍ଟା ବିଳମ୍ବରେ ମେଡିକାଲ ପହଞ୍ଚିଥିଲେ କଲ୍ୟାଣୀ। ତେବେ ଡାକ୍ତର ଚିକିତ୍ସା ଆରମ୍ଭ କରିବାର କିଛି ସମୟ ପରେ ହିଁ ମହିଳା ଜଣକ ଆଖି ବୁଜି ଦେଇଥିଲେ। ଏହି ସମ୍ପର୍କରେ ମୃତକଙ୍କ ସ୍ବାମୀ ସୋମନାଥଙ୍କୁ ପଚାରିବାରୁ ଆମ୍ବୁଲାନ୍ସ ଘରକୁ ଆସିବା ଓ ରାସ୍ତାରେ ଖରାପ ହେବା ଯୋଗୁଁ ପ୍ରାୟ ୨ଘଣ୍ଟା ବିଳମ୍ବ ହୋଇଥିଲା। ଏଥିପାଇଁ ହିଁ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe