ମହିଳାଙ୍କୁ ବସ୍‌ରେ ଅପହରଣ କରି ଦୁଷ୍କର୍ମ, ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ତଦନ୍ତ ଟିମ୍ ଗଠିତ

Advertisment
ମହିଳାଙ୍କୁ ବସ୍‌ରେ ଅପହରଣ କରି ଦୁଷ୍କର୍ମ, ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ତଦନ୍ତ ଟିମ୍ ଗଠିତ

The Asian Age

ସମ୍ବଲପୁର : ଦିଲ୍ଲୀର ନିର୍ଭୟା ଅନୁରୂପ ଘଟଣାର ପୁନରାବୃତ୍ତି ଘଟିଛି ସମ୍ବଲପୁର ସହରରେ। ତାମିଲନାଡ଼ୁ ପାଇଁ ଟ୍ରେନ୍‌ ଧରିବାକୁ ଥିବା ଜଣେ ବିବାହିତା ମହିଳାଙ୍କୁ ଜଣେ ଘରୋଇ ବସ୍‌ର ଡ୍ରାଇଭର ଅଇଁଠାପାଲି ବସ୍‌ଷ୍ଟାଣ୍ଡରୁ ଅପହରଣ କରି ସହରର ବିଭିନ୍ନ ସ୍ଥାନ ବୁଲାଇବା ପରେ ଧନୁପାଲି ଅଞ୍ଚଳର ଏକ ନିକାଞ୍ଚନ ସ୍ଥାନକୁ ନେଇ ଦୁଷ୍କର୍ମ କରି ସେଠାରୁ ‌ଫେରାର ହୋଇ ଯାଇଥିଲା। ମହିଳାଙ୍କର ହୋସ୍‌ ଆସିବା ପରେ ସେ ଚାଲି ଚାଲି ସଦର ଥାନାରେ ପହଞ୍ଚି ଘଟଣା ସଂପର୍କରେ ଜଣାଇ ଥିଲେ। କିନ୍ତୁ ଦୁଷ୍କର୍ମ ଧନୁପାଲି ଅଞ୍ଚଳରେ ହୋଇଥିବାରୁ ପୁନଶ୍ଚ ଧନୁପାଲି ଥାନାକୁ ଆସି ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ଧନୁପାଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଜଣେ ସନ୍ଦିଗ୍ଧ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ତେବେ ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବାରୁ ପୁଲିସ୍‌ ଏନେଇ ପାଟି ଖୋଲି ନାହିଁ। ଘଟଣାର ଗୁରୁତ୍ବକୁ ଉପଲବ୍‌ଧି କରି ଜଣେ ଅତିରିକ୍ତ ଏସ୍‌ପି, ୨ ଜଣ ଡିଏସ୍‌ପି, ଜଣେ ଏସ୍‌ଡିପିଓଙ୍କ ନେତୃତ୍ବରେ ଏକ ଟିମ୍‌ ଏହି ଘଟଣାର ତଦନ୍ତ କରୁଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣା ପଡ଼ିଛି।

ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ର ଏକ ନବବିବାହିତ ଦମ୍ପତି କାମ କରିବାକୁ ତାମିଲନାଡ଼ୁ ବାହାରିଥିଲେ। ମଙ୍ଗଳବାର ଅପରାହ୍‌ଣରେ ସେମାନେ ସମ୍ବଲପୁର ସିଟି ରେଳ ଷ୍ଟେସନରେ ଓହ୍ଲାଇଥିଲେ। ସେଠାରେ କେହି ଜଣେ ବ୍ୟକ୍ତି ଏଠାରେ ଭଲ କାମ ମିଳିବ କହି ସେମାନଙ୍କୁ ପ୍ରବର୍ତ୍ତାଇ ଥିଲା। ସେମାନେ ମଧ୍ୟ କାମ ପାଇବା ଆଶାରେ ଆଉ ତାମିଲନାଡ଼ୁ ନଯାଇ ଉକ୍ତ ଦଲାଲ୍‌ ସହ ଅଇଁଠାପାଲି ବସ୍‌ଷ୍ଟାଣ୍ଡକୁ ଚାଲି ଆସିଥିଲେ। ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ସ୍ବାମୀକୁ ‘ତୁମେ ଜିନିଷ ଜଗିଥାଅ, ଆମେ ଘର ଖୋଜି ଆସୁଛୁ’ କହି ଜଣେ ବସ୍‌ ଡ୍ରାଭଇର ନିଜ ବସ୍‌ରେ ମହିଳାଙ୍କୁ ନେଇ ବାହାରି ଯାଇଥିଲା। ମହିଳାଙ୍କୁ ବସ୍‌ରେ ସହରର ବିଭିନ୍ନ ସ୍ଥାନରେ ବୁଲାଇବା ପରେ ଧନକଉଡ଼ା ନିକଟରେ ଏକ ନିକାଞ୍ଚନ ସ୍ଥାନରେ ମହିଳାଙ୍କୁ କୌଣସି ଔଷଧ ଦେଇ ବେହୋସ୍‌ କରି ଦୁଷ୍କର୍ମ କରିଥିଲା। ପରେ ସେଠାରୁ ପୁଣି ବସ୍‌ରେ ଆଣି ନକ୍ସାପାଲି ନିକଟସ୍ଥ ଏକ ନିକାଞ୍ଚନ ସ୍ଥାନରେ ଓହ୍ଲାଇ ପୁନର୍ବାର ଦୁଷ୍କର୍ମ କରିଥିଲା। ଏହାପରେ ଅଚେତ ଅବସ୍ଥାରେ ମହିଳାଙ୍କୁ ଛାଡ଼ି ବସ୍‌ ସହ ଫେରାର୍‌ ହୋଇ ଯାଇଥିଲା। ବୁଧବାର ସକାଳୁ ମହିଳାଙ୍କ ଚେତା ଫେରିବା ପରେ ସେ ସଦର ଥାନାରେ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ଘଟଣା ଧନୁପାଲି ଅଞ୍ଚଳରେ ହୋଇଥିବାରୁ ସେଠାରେ ଯାଇ ଅଭିଯୋଗ କରିବାକୁ ‌ପୁଲିସ୍‌ କହିଥିଲା। ସେପଟେ, ପତ୍ନୀ ଦୀର୍ଘ ସମୟ ଧରି ନ ଫେରିବାରୁ ସ୍ବାମୀ ତାଙ୍କ ବାଟ ଚାହିଁ ମଙ୍ଗଳବାର ଅପରାହ୍‌ଣରୁ ବୁଧବାର ସକାଳ ଯାଏଁ ଅଇଁଠାପାଲି ବସ୍‌ଷ୍ଟାଣ୍ଡରେ ବସି ରହିଥିଲେ। ପରେ ମହିଳାଙ୍କ ସୂଚନା ମୁତାବକ, ପୁଲିସ୍‌ ଯାଇ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଉଦ୍ଧାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe