image source-odishapolice.gov.in
ଭୁବନ : ଜଣେ ମହିଳା ଏସ୍ଆଇଙ୍କୁ ଥାନା ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଏସ୍ଆଇ ଜଣଙ୍କ ରାସ୍ତାରେ କାନ୍ଦି କାନ୍ଦି ଯାଉଥିବା ଦେଖାଯାଇଛି। ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ଥାନାରେ ଏପରି ଘଟଣା ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସମ୍ପୃକ୍ତ ମହିଳା ଏସ୍ଆଇ ସୁକାନ୍ତି କେରକେଟାଙ୍କ ଅଭିଯୋଗ ଅନୁସାରେ, ଜଣେ ଛାତ୍ରୀଙ୍କୁ ଟାଙ୍ଗେରିଆ ଗ୍ରାମର ଜଣେ ଯୁବକ ଅସଦାଚରଣ କରିବା ଅଭିଯୋଗ ହେବାପରେ ଭୁବନ ଥାନାରେ ମାମଲା ରୁଜୁ ହୋଇଥିଲା। ତଦନ୍ତକାରୀ ଅଧିକାରୀ ଭାବେ ସେ ପୀଡ଼ିତା ଛାତ୍ରୀଙ୍କୁ ଥାନାକୁ ଡକାଇଥିଲେ। ପୋକ୍ସୋ ଆଇନ ଅନୁଯାୟୀ ସେ ତଦନ୍ତ ନିମନ୍ତେ ଢେଙ୍କାନାଳ ଯିବାକୁ ନିର୍ଦ୍ଦେଶ ପାଇଥିଲେ। ସେ ଏ ନେଇ ଥାନାଧିକାରୀ ସୌଭାଗ୍ୟ ସ୍ବାଇଁଙ୍କୁ ଜଣାଇବା ସହ ଢେଙ୍କାନାଳ ଯିବାପାଇଁ ଥାନା ଗାଡ଼ି ନେଇ ପାରିବେ କି ବୋଲି ପଚାରିଥିଲେ। ହେଲେ, ସେ ଗାଡ଼ି ଦେବାକୁ ମନାକରିବା ସହିତ ଥାନାର ଅନ୍ୟ କର୍ମଚାରୀଙ୍କ ସମ୍ମୁଖରେ ତାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିରେ ମର୍ମାହତ ହୋଇ ଏସ୍ଆଇ ସୁକାନ୍ତି କାନ୍ଦି କାନ୍ଦି ପୀଡ଼ିତା ଛାତ୍ରୀଙ୍କୁ ଧରି ସେଠାରୁ ଚାଲି ଯାଇଥିଲେ। ଏହି ଘଟଣା ସମ୍ପର୍କରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇଥିବା ସେ କହିଛନ୍ତି।
ଏହି ସମୟରେ କାମାକ୍ଷାନଗର ସହକାରୀ ଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାର ତଦନ୍ତ ପାଇଁ ସେଠାକୁ ପୁଲିସ ଗାଡ଼ି ନେଇ ଯାଇଥିବା ଏଏସ୍ଆଇ ଜୟଶ୍ରୀ ଗଡ଼ନାୟକ ଖବରପାଇ ପୁଲିସ ଗାଡ଼ିଧରି କିଛିସମୟ ପରେ ପହଞ୍ଚିଥିଲେ। ଏସ୍ଆଇ ସୁକାନ୍ତିଙ୍କୁ ଗାଡ଼ିରେ ବସିବାକୁ କହିଥିଲେ। କିନ୍ତୁ, ଏକ ଅଟୋ ରିକ୍ସା ଠିକ୍ କରି ଦେଇଥିବାରୁ ଆଉ ସରକାରୀ ଗାଡ଼ିରେ ଯାଇପାରିବେ ନାହିଁ ବୋଲି ସୁକାନ୍ତି କହିଥିଲେ। ପରେ ସେ ଅଟୋରେ ପୀଡ଼ିତାଙ୍କ ସହ ଯାଇଥିଲେ। ଫଳରେ, ଥାନା ଗାଡ଼ି ଫେରିଯାଇଥିଲା। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି।
ଅନ୍ୟପକ୍ଷରେ, ଦୁର୍ବ୍ୟବହାର କରିବା ଘଟଣାକୁ ଥାନାଧିକାରୀ ସୌଭାଗ୍ୟ ସ୍ୱାଇଁ ଅସ୍ବୀକାର କରିଛନ୍ତି। ଏ ସଂପର୍କରେ କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେଙ୍କୁ ପଚାରିବାରୁ ଏସ୍ଆଇ ସୁକାନ୍ତି କେରକେଟାଙ୍କଠାରୁ ଅଭିଯୋଗ ପାଇଥିବା କହିଛନ୍ତି।
Follow Us