123rf.com
ତୁଷୁରା: ଜମି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ମାଢ଼େକେଲା ପଞ୍ଚାୟତ ଭୂଆଁପଡ଼ା ଗ୍ରାମରେ ବୁଧବାର ହତ୍ୟାକାଣ୍ଡ ଘଟିଛି। ସୀମାଞ୍ଜଳି ମାଝୀ (୪୦ବର୍ଷ)ଙ୍କୁ ଗଳା କାଟି ହତ୍ୟା କରାଯାଇଛି। ଏହି ମାମଲାରେ ତୁଷୁରା ଥାନା ପୁଲିସ ବିଦୂଭୂଷଣ ମାଝୀ ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଭୂଆଁପଡ଼ା ଗ୍ରାମର ମୃତ ସୀମାଞ୍ଜଳିଙ୍କ ପରିବାର ଓ ବିଦୁଭୂଷଣଙ୍କ ପରିବାର ମଧ୍ୟରେ ବହୁ ବର୍ଷ ହେଲା ଜମିଜମା ବିବାଦ ଲାଗି ରହିଥିଲା। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବିଭିନ୍ନ ସମୟରେ ଗଣ୍ତଗୋଳ ଲାଗି ରହିଥିଲା। ଏକାଧିକବାର ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ ସୀମାଞ୍ଜଳି। ସୀମାଞ୍ଜଳି ବରଗଡ଼ ସହରର ବାସିନ୍ଦା ହୋଇଥିବା ବେଳେ ଭୂଆଁପଡ଼ା ଗ୍ରାମର ଅନ୍ୟ ଜାତିର ଧନବର ମାଝୀଙ୍କୁ ପ୍ରେମ ବିବାହ କରିଥିଲେ। ଧନବରଙ୍କ ପରିବାର ଲୋକେ ଜାତି ବାରଣ କରିବାରୁ ଗାଁରେ ନରହି ବହୁଦିନ ହେଲା ସ୍ବାମୀ ସ୍ତ୍ରୀ ବରଗଡ଼ ସହରରେ ରହି ଆସୁଥିଲେ। ଥାନାରେ ଅଟକ ଥିବା ବିଦୁଭୂଷଣଙ୍କ ପିଉସୀ ପୁଅ ହେଉଛନ୍ତି ଧନବର। ଧନବରଙ୍କ ମା’ ଓ ବାପାଙ୍କ ମୃତ୍ୟୁ ପରେ ଧନବର ଗାଁରେ ଥିବା ତାଙ୍କ ଜମିକୁ ଅକ୍ତିଆର କରି ଆସୁଥିଲେ। ଉକ୍ତ ଜମିକୁ ବିଦୁଭୂଷଣଙ୍କ ପରିବାର ଲୋକେ ମଧ୍ୟ ନିଜର ବୋଲି ଦାବି କରୁଥିଲେ।
ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ବୁଧବାର ମୃତ ସୀମାଞ୍ଜଳି ଗାଁ ମୁଣ୍ତରେ ଥିବା ଉକ୍ତ ବିବାଦୀୟ ଜମିରେ ଘର ନିର୍ମାଣ କରିବାକୁ ଆସିଥିଲେ। କିନ୍ତୁ ବିଦୁଭୂଷଣଙ୍କ ପରିବାର ପକ୍ଷରୁ ଉକ୍ତ ବିବାଦୀୟ ସ୍ଥାନରେ ଘର ନିର୍ମାଣ ନକରିବାକୁ ସୀମାଞ୍ଜଳିଙ୍କୁ ବାରମ୍ବାର କହିଥିଲେ। ହେଲେ ମୃତ ସୀମାଞ୍ଜଳି ସେହି ସ୍ଥାନରେ ହିଁ ବାଲି ପକାଇ ଘର ନିର୍ମାଣ କରିବା ପାଇଁ ଜିଦ୍ ଧରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପରିବାରର ଜଣେ ଯୁବକ ବାଡ଼ିରେ ସୀମାଞ୍ଜଳିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସୀମାଞ୍ଜଳି ତଳେ ପଡ଼ିଯିବାରୁ ଉକ୍ତ ଯୁବକ ଏକ କଟୁରିରେ ସୀମାଞ୍ଜଳିଙ୍କ ଗଳାକୁ କାଟି ଦେଇଥିଲା।
ଫଳରେ ସୀମାଞ୍ଜଳିଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ତୁଷୁରା ଥାନାଧିକାରୀ ସଂଜୀବ ପଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ଅନ୍ୟପକ୍ଷରେ ସୀମାଞ୍ଜଳି ନିର୍ମାଣାଧୀନ ସ୍ଥାନରେ ବାଲି ଗୋଟିଏ ଟ୍ରିପ୍ ପକାଇ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ମାଢ଼େକେଲାର ପୂର୍ବ ସରପଞ୍ଚ ଶଶିଭୂଷଣ ମାଝୀ ଓ ତାଙ୍କ ଭାଇ ବିଦୁଭୂଷଣ ସମେତ ସମସ୍ତ ୬ ଭାଇ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଧନବର ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି ବୋଲି ଥାନାଧିକାରୀ ଶ୍ରୀ ପଧାନ ସୂଚନା ଦେଇଛନ୍ତି। ବିଦୁଭୂଷଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚାଲିଛି। ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।
Follow Us