ଢେଙ୍କାନାଳ: ଢେଙ୍କାନାଳରେ ତୁଟୁନି ହାତୀ-ମଣିଷ ଲଢ଼େଇ। ହାତୀ ଆକ୍ରମଣରେ ଅକାଳରେ ଯାଉଛି ଜୀବନ। ଗତ ୨୫ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୮ ଜଣଙ୍କର ଜୀବନ ଯାଇଛି। କେବଳ ଗତ ୫ ଦିନ ମଧ୍ୟରେ ୩ ଜଣଙ୍କର ଜୀବନ ଗଲାଣି। ୧ ତାରିଖରେ କପିଳାସ ରେଞ୍ଜ କୃଷ୍ଣକୁମାରପୁର ଗ୍ରାମର ଶତ୍ରୁଘନ ଗଡ଼ନାୟକ ଗାଁ ପଡ଼ିଆକୁ ଗାଈ ଚରାଇବାକୁ ଯାଇଥିଲେ। ସେଠାରେ ହାତୀ ତାଙ୍କୁ ମାରି ଦେଇଥିଲା। ଏହାର ଦିନକ ପରେ ଇନ୍ଦିପୁର ଟାଙ୍ଗିରିପଡ଼ା ଜଙ୍ଗଲରେ ପୁଣି ଜଣେ ମହିଳାଙ୍କୁ ଦନ୍ତା ଦଳି ଦେଇଥିଲା। ତାଙ୍କ ସହିତ ଯାଇଥିବା ସ୍ୱାମୀ ଓ ଝିଅ ତାଙ୍କର ମୃତ୍ୟୁକୁ ଗଛ ଉପରୁ ଦେଖି ହତବାକ୍‌ ହୋଇଯାଇଥିଲେ। ଗଛ ଉପରେ ବାପାଝିଅ ରାତିସାରା ରହି ଜୀବନ ବଞ୍ଚାଇଥିଲେ। ଆଜି କାମାକ୍ଷାନଗର ରେଞ୍ଜରେ ହାତୀ ଆକ୍ରମଣରେ ଆଉ ଜଣେ ମହିଳାଙ୍କ ଜୀବନ ଯାଇଛି। ସଦର ରେଞ୍ଜ ଇନ୍ଦିପୁରଠାରୁ ୪ କିମି ଦୂର ତାମଣ୍ଡା ରିଜର୍ଭ ଫରେଷ୍ଟ ପାଖରେ ଗୁରୁବାରୀ ପଧାନ, ସ୍ତ୍ରୀ ସୁଷମା ଓ ତାଙ୍କ ୭ ବର୍ଷର ଝିଅ ରୁହନ୍ତି। ସେମାନେ ୨ ତାରିଖ ସନ୍ଧ୍ୟାରେ ଇନ୍ଦିପୁର ବଜାରରୁ ଟାଙ୍ଗିରପଡ଼ା ଜଙ୍ଗଲ ଦେଇ ନିଜ ଘରକୁ ଫେରୁଥିଲେ। ନିକଟରେ ଏକ ଗୋଠଛଡ଼ା ଦନ୍ତା ଫସଲ ଖାଉଥିଲା। ହଠାତ୍‌ ହାତୀଟି ଝପଟି ଆସି ସୁଷମାଙ୍କୁ ଶୁଣ୍ଢରେ ଟାଣିନେଇ ଦଳି ଦେଇଥିଲା। ହାତୀ ସେଠାରୁ ନ ଯିବାରୁ ବାପାଝିଅ ପାଖରେ ଥିବା ଏକ ଗଛ ଉପରେ ରାତିସାରା ରହିଥିଲେ। ସକାଳୁ ହାତୀ ଜଙ୍ଗଲ ଭିତରକୁ ଚାଲିଯିବା ପରେ ବାପାଝିଅ ଲୋକଙ୍କୁ ଡାକିଥିଲେ। ଖବର ପାଇ ଭାପୁର ଫାଣ୍ଡି ପୁଲିସ ଓ ଫରେଷ୍ଟର୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। 

Advertisment

Elephant AttackS Woman Death ଢେଙ୍କାନାଳରେ ତୁଟୁନି ହାତୀ-ମଣିଷ ଲଢ଼େଇ, ପୁଣି ଜଣେ ମହିଳାଙ୍କ ଜୀବନ ଗଲା

ଏ ସଂପର୍କରେ ସଦର ରେଞ୍ଜର୍‌ ଉତ୍ସବ ପ୍ରଧାନ କହିଛନ୍ତି, ତାମଣ୍ଡା ଜଙ୍ଗଲ ପାଖରେ ଜଣେ ବ୍ୟକ୍ତିଙ୍କ ୯୯ ବଖରା ଥାଇ ଏକ ଘର ଥିଲା। ତାଙ୍କ ମୃତ୍ୟୁ ପରେ ସେହି ଘର ଏକ ଟ୍ରଷ୍ଟ ଦାୟିତ୍ୱରେ ରହିଛି। ସେଠାରେ ଗୁରୁବାରୀଙ୍କୁ ଜଗାରଖା ପାଇଁ ଟ୍ରଷ୍ଟ ପକ୍ଷରୁ ରଖାଯାଇଥିଲା। ସେ ନିଜ ପରିବାର ସହ ସେଠାରେ ରହୁଥିଲେ। ତାଙ୍କର ଆଧାରକାର୍ଡ କିମ୍ବା ବ୍ୟାଙ୍କ ଆକାଉଣ୍ଟ ନାହିଁ। ସ୍ଥାନୀୟ ସରପଞ୍ଚ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ବିବରଣୀ ଦେବାକୁ କୁହାଯାଇଛି। ତାହା ମିଳିବା ପରେ ୧୦ ପ୍ରତିଶତ କ୍ଷତିପୂରଣ ରାଶି ପ୍ରଥମେ ଦିଆଯିବ। 

Elephant attack: ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ

ପ୍ରକାଶଥାଉକି, ୧ ତାରିଖ ପୂର୍ବାହ୍‌ଣରେ କପିଳାସ ରେଞ୍ଜ ବିରାଡ଼ିଆ କୃଷ୍ଣକୁମାରପୁର ଗ୍ରାମର ଶତ୍ରୁଘନ ଗଡ଼ନାୟକ ଗ୍ରାମ ପଡ଼ିଆକୁ ଗାଈ ଚରେଇବାକୁ ନେଇଥିବା ବେଳେ ଏକ ଗୋଠଛଡ଼ା ଦନ୍ତା ତାଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କାମାକ୍ଷାନଗର ଅଁଳାବେରେଣୀ ଗାଁର ଚାରୁଲତା ନାଏକ ଅନ୍ୟ ୪ ଜଣ ମହିଳାଙ୍କ ସହିତ ଗାଁମୁଣ୍ଡ ପୋଖରୀକୁ ଶୌଚ ପାଇଁ ଯାଇଥିବାବେଳେ ସେଠାରେ ଏକ ଦନ୍ତାହାତୀ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଗତମାସ ୧୦ ତାରିଖରେ ସଦର ରେଞ୍ଜ ବଳଦିଆବନ୍ଧ ସେକ୍ସନ ପାଟପୁରିଆ ସଂରକ୍ଷିତ ଜଙ୍ଗଲକୁ କାଠ ଗୋଟେଇବାକୁ ଯାଇଥିବା କାଇମାଟି ଲୋଚାପଲି ଗାଁର ୩ ଜଣ ମହିଳାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ସେହି ମାସରେ ହିନ୍ଦୋଳ ବନାଞ୍ଚଳ ରଘୁନାଥପୁରର ନିତ୍ୟାନନ୍ଦ ପାତ୍ରଙ୍କ  ମଧ୍ୟ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ୨୬ ତାରିଖରେ ସଦର ବନାଞ୍ଚଳ ମୋଟଙ୍ଗା ଥାନା ନଗାରୀ ଗାଁରେ କଷ୍ଟୁ ବେହେରାଙ୍କୁ ଶୋଇଥିବା ଅବସ୍ଥାରେ ହାତୀ ଦଳି ମାରି ଦେଇଥିଲା।