ମାହାଙ୍ଗା: ମାହାଙ୍ଗା ଥାନା ଅଧୀନ ଜଇପୁର ଫାଣ୍ଡିରେ ଆଜି ଚୋରାମଦ କାରବାରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ମହିଳାମାନେ ଏଥିରେ ପୁଲିସକୁ ଦୋଷ ଦେଇ ଫାଣ୍ଡି ଭଙ୍ଗାରୁଜା କରିଛନ୍ତି। ଅଭିଯୋଗ ମୁତାବକ, ଜଇପୁର ଫାଣ୍ଡି ଅଧୀନ ଅରିଲୋ ଗ୍ରାମର ଜଣେ ବ୍ୟକ୍ତି ଚୋରାମଦ କାରବାର କରୁଥିଲେ। ଏହା ବିରୋଧରେ ଗ୍ରାମର ମହିଳାମାନେ ଏକଜୁଟ ହୋଇ ତାଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ। ସେମାନେ ଚୋରାମଦ ବେପାରୀଙ୍କ ପତ୍ନୀଙ୍କୁ ମାଡ଼ ମାରିଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ପକ୍ଷରୁ ସମ୍ପୃକ୍ତ ମହିଳାମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ପାଇଁ ଫାଣ୍ଡିକୁ ଡକାଯାଇଥିଲା। ତେବେ, ପଚରାଉଚରା ସମୟରେ ପୁଲିସ ସହ ଯୁକ୍ତିତର୍କ ହୋଇଥିବା ବେଳେ ପୁଲିସ ସେମାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ କରି ଫାଣ୍ଡି ସମ୍ମୁଖରେ ଥିବା ଝରକା କାଚ ଆଦିକୁ ମହିଳାମାନେ ଭଙ୍ଗାରୁଜା କରିଥିଲେ। ଖବର ପାଇ ସାଲେପୁର ଏସ୍ଡିପିଓ ବିରଞ୍ଚି ନାରାୟଣ ପତି, ମାହାଙ୍ଗା ଥାନା ଆଇଆଇସି ତପନ ରାଉତ, ନିଶ୍ଚିନ୍ତକୋଇଲି ଆଇଆଇସି ଯୁଗଳ କିଶୋର ଦାସ, ସାଲେପୁର ଆଇଆଇସି ଅନିତା ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଫାଣ୍ଡିରେ ଭଙ୍ଗାରୁଜା ଘଟଣାକୁ ନେଇ ପୁଲିସ ତଦନ୍ତ ଚଳାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us