ମହିଳାଙ୍କ ଶବ ୮କିମି କାନ୍ଧେଇବା ଘଟଣା: ‘ମହାପ୍ରୟାଣ ଆସିବା ପୂର୍ବରୁ ନେଇଗଲେ ଶବ’

Advertisment

ସିଡିଏମ୍‌ଓ ଦେଲେ ତଦନ୍ତ ରିପୋର୍ଟ

ସିଡିଏମ୍‌ଓ ଦେଲେ ତଦନ୍ତ ରିପୋର୍ଟ

ମହିଳାଙ୍କ ଶବ ୮କିମି କାନ୍ଧେଇବା ଘଟଣା: ‘ମହାପ୍ରୟାଣ ଆସିବା ପୂର୍ବରୁ ନେଇଗଲେ ଶବ’

ନବରଙ୍ଗପୁର/ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହାପ୍ରୟାଣ ଗାଡ଼ି ନମଳିବାରୁ ଶବକୁ ୮ କିମି କାନ୍ଧେଇ ଗାଁରେ ପହଞ୍ଚିବା ଘଟଣାରେ ସିଡିଏମ୍‌ଓ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା।

ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମୃତ ଦେମନ୍ତି ମାଝୀ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ପହଞ୍ଚିବା ବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପୁଲିସକୁ ଖବର ଦେଇଥିଲେ। ଶବ ବ୍ୟବଚ୍ଛେଦ କରାଇବା ପାଇଁ ପରିବାରକୁ କୁହାଯାଇଥିଲା। କିନ୍ତୁ ପରିବାର ଲୋକ ଶବ ବ୍ୟବଚ୍ଛେଦ ନକରି ଶବ ନେଇ ଗାଁକୁ ଚାଲି ଯାଇଥିଲେ। ଏ ନେଇ ଥାନାକୁ ଚିଠି କରାଯାଇଛି। ଦେମନ୍ତିଙ୍କ ମୃତ୍ୟୁ ପରେ ଶବ ନେବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଉମରକୋଟର ମହାପ୍ରୟାଣ ଗାଡ଼ିକୁ ଖବର ଦିଆଯାଇଥିଲା। ଉମରକୋଟରୁ ମହାପ୍ରୟାଣ ଗାଡ଼ି ଆସିବା ସମୟରେ ପରିବାର ଲୋକେ ଶବକୁ ନେଇଯାଇଥିଲେ। ଉମରକୋଟ ଡାକ୍ତରଖାନାର ଅଧ୍ୟକ୍ଷଙ୍କୁ ଏ ନେଇ ତଦନ୍ତ କରିବା ପାଇଁ କୁହାଯାଇଥିଲା।

ସାଂସଦ ରମେଶ ଚନ୍ଦ୍ର ମାଝୀ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ ମହାପ୍ରୟାଣ ଗାଡ଼ି ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଏହି ରି‌ପୋର୍ଟରେ ଉଲ୍ଲେଖ କରାଯାଇଛି। ଏ ନେଇ ଉମରକୋଟ ଡାକ୍ତରଖାନାର ଡାକ୍ତର ମୃତକଙ୍କ ଗାଁ ଶରଧାପୁର ଗାଁରେ ପହଞ୍ଚି ତଦନ୍ତ କରିଥିଲେ। ଅନ୍ୟପଟେ ମୃତ ମହିଳାଙ୍କ ସ୍ବାମୀ ନରେନ୍ଦ୍ର ମାଝୀ ଡାକ୍ତରଙ୍କ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ସମୟରେ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ପ୍ରାୟ ୨ ଘଣ୍ଟା ପରେ ବି ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଧ୍ୟ ହୋଇ ଶବ କାନ୍ଧରେ ବୋହି ଶରଧାପୁର ଗ୍ରାମକୁ ନେଇଥିଲୁ ବୋଲି କହିଛନ୍ତି। ଏ ନେଇ ପୂର୍ବତନ ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ, ଜିଲ୍ଲାରେ ଯଥେଷ୍ଟ ପରିମାଣରେ ମହାପ୍ରୟାଣ ଗାଡ଼ି ନାହିଁ। ଶବକୁ ସମ୍ମାନ ମିଳୁନି। ମୃତ ଶରୀରକୁ କାହିଁକି ଡାକ୍ତରଖାନାକୁ ଅଣାଯିବ। ଯଦି ତଦନ୍ତ ରିପୋର୍ଟରେ ସତ୍ୟତା ରହିଛି ତେବେ ଡାକ୍ତଖାନାରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରାଯାଉ। ଘଟଣାର ସତ୍ୟାସତ୍ୟ ପଦାକୁ ଆସିଯିବ ବୋଲି କହିଛନ୍ତି। ପ୍ରକାଶ ଥାଉକି ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe