ଜନନୀ ଯନ୍ତ୍ରଣା: ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୨କିମି ନେଲେ

Advertisment
ଜନନୀ ଯନ୍ତ୍ରଣା: ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୨କିମି ନେଲେ

ବୈପାରିଗୁଡ଼ା: ଗାଆଁକୁ ଯିବାପାଇଁ ରାସ୍ତା ନାହିଁ। ଆମ୍ବୁଲାନ୍ସ ଅଟକି ଗଲା ଅଧା ବାଟରେ। ଶେଷରେ ମହିଳାଙ୍କୁ ଖଟିଆରେ ବୋହି ପରିବାର ଲୋକେ ଦୁଇ କିଲୋମିଟର ଚାଲିବା ସହ ନଈ ପାର ହୋଇ ଆମ୍ବୁଲାନ୍ସ ଯାଏ ପହଞ୍ଚିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକର ଚେରକା ପଞ୍ଚାୟତର ଅଟାଳଗୁଡା ଗ୍ରାମରେ। ଏହି ଗ୍ରାମର ଈଶ୍ୱର ତଲିଆଙ୍କ ପତ୍ନୀ ଦଇମତି ତଲିଆ (୩୦)ଙ୍କ ଗର୍ଭବେଦନା ଆରମ୍ଭ ହେବାରୁ ରାମଗିରି ଡାକ୍ତରଖାନାକୁ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିଲେ।

ତେବେ ଆମ୍ବୁଲାନ୍ସ ମୁଣ୍ଡାଗୁଡା ଯାଏ ପହଞ୍ଚିବା ପରେ ଆଗକୁ ଯାଇ ପାରିନଥିଲା। ରାସ୍ତାର ଅଭାବ ସାଙ୍ଗକୁ ବଢନ୍ତା ନଦୀ ଯାହାଫଳରେ ପରିବାର ଲୋକେ ଖଟିଆରେ ଦଇମତିଙ୍କୁ ଖଟିଆରେ ଶୁଆଇ ଦୁଇ କିଲୋମିଟର ଚାଲିବା ସହ ଭରା ନଦୀ ପାର ହୋଇ ଆମ୍ବୁଲାନ୍ସ ଯାଏ ପହଞ୍ଚିଥିଲେ। ସେଠାରୁ ଦଇମତିଙ୍କୁ ରାମଗିରି ଡାକ୍ତରଖାନାରେ ପହଞ୍ଚାଇବା ପରେ ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

ବିଡ଼ମ୍ବନାର ବିଷୟ ଏହି ଯେ, ଦେଶ ସ୍ବାଧୀନତା ଲାଭ କରିବାର ୭୫ ବର୍ଷ ପରେ ମଧ୍ୟ ବୈପାରିଗୁଡା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ସବୁଦିନିଆ ରାସ୍ତା ଦେଖିବା ସାତସପନ ହୋଇପଡିଛି।ମୁଣ୍ଡାଗୁଡା ଠାରୁ ଅଟାଳଗୁଡା ଯାଏ ରାସ୍ତା ନଥିବା ବେଳେ ଦୁଇ ଗାଆଁ ମଝିରେ କାଙ୍ଗୁଗୁଡା ନଦୀ ବହି ଯାଉଛି। ବର୍ଷା ଋତୁରେ ଅଟାଳଗୁଡା ସମେତ କାଙ୍ଗୁଗୁଡା ଏବଂ ଝାଲିଆଗୁଡାର ଗ୍ରାମବାସୀମାନେ ଏକପ୍ରକାର ଜଳବନ୍ଦୀ ଜୀବନଯାପନ କରିଥାନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ଜଣେ ବୃଦ୍ଧା ଏହି ନଦୀରେ ଭାସିଯାଇଥିଲେ। ଲୋକଙ୍କ ଦାବି ପରେ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ସେହି ଅଞ୍ଚଳ ପରିଦର୍ଶନ କରିବା ସହ କାଙ୍ଗୁନଦୀ ଉପରେ ପୋଲ ନିର୍ମାଣ ଏବଂ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏଯାଏ ପୂରଣ ହୋଇପାରିନାହିଁ। ଏଭଳି ଦୁର୍ଦ୍ଦିନ ନେଇ ଆଉ କେତେଦିନ ବଞ୍ଚିବାକୁ ହେବ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe