ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍‌ସ, ନବଜାତ ଶିଶୁ ସହ ପ୍ରସୂତିଙ୍କୁ ବୋହିଲେ ମହିଳା

Advertisment
ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍‌ସ, ନବଜାତ ଶିଶୁ ସହ ପ୍ରସୂତିଙ୍କୁ ବୋହିଲେ ମହିଳା

ବୈପାରିଗୁଡ଼ା: ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ଅଭାବରୁ ପ୍ରସୂତିଙ୍କ ଘର ଯାଏ ଆମ୍ବୁଲାନ୍‌ସ ପହଞ୍ଚି ନପାରିବାର ଚିରାଚରିତ ସମସ୍ୟା। ଏହି ସମସ୍ୟାର ଯେମିତି ଶେଷ ନାହିଁ। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ମାଲିଆଗୁଡା ଠାରେ।

ଗତକାଲି ରାତି ପ୍ରାୟ ପାଞ୍ଚଟା ସମୟରେ ଧନ କିର୍ସାନୀଙ୍କ ସ୍ତ୍ରୀ ମଙ୍ଗଳି କିର୍ସାନୀଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଧନ ଏସଂପର୍କରେ ଆଶା ଦିଦିଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। ଆଶା ଦିଦି ଧନଙ୍କ ଘରେ ପହଞ୍ଚି ମଙ୍ଗଳିର ଗର୍ଭ ଯନ୍ତ୍ରଣା ଅବସ୍ଥା ଅନୁଧ୍ୟାନ କରି ୧୦୨କୁ ଫୋନ୍‌ ଯୋଗେ ସୂଚନା ଦେଇଥିଲେ। ୧୦୨ ଗାଡ଼ି ରାସ୍ତା ନଥିବାରୁ ପ୍ରସୂତିଙ୍କ ଘର ଯାଏ ପହଞ୍ଚି ପାରିନଥିଲା। ଅଧ କିଲୋମିଟର ଦୂରରେ ୧୦୨ ଗାଡ଼ି ଅଟକି ରହିଥିଲା।

ତେବେ ଇତି ମଧ୍ୟରେ ମଙ୍ଗଳି ସନ୍ତାନ ଟିଏ ଜନ୍ମ ଦେଇ ସାରିଥିଲେ। ନବଜାତ ଶିଶୁ ସହ ମା’ଙ୍କୁ ୧୦୨ ଗାଡ଼ି ଯାଏ ତିନି ଜଣ ମହିଳା ଟେକି ଟେକି ଆଣିଥିଲେ। ରାସ୍ତା ଅଭାବରୁ ୧୦୨ ଗାଡ଼ି ପ୍ରସୂତିଙ୍କ ଘର ଯାଏ ପହଞ୍ଚି ନପାରିବା ଏବଂ ପ୍ରସୂତିଙ୍କୁ ମହିଳାମାନେ ଟେକି ଟେକି ଆଣିବା ଘଟଣା ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଗ୍ରାମ ପାଇଁ ରାସ୍ତା ତିଆରି କରାଯାଉଥିବା ନେଇ ପ୍ରଚାର କରୁଥିବା ବେଳେ ମାଲିଆଗୁଡା ଗ୍ରାମ ଏଥିରୁ ବଞ୍ଚିତ ରହିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି। ଅନ୍ୟ ଦିଗରେ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ମାଆ ଗୃହକୁ ଆଣିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଠାରୁ ଆରମ୍ଭ କରି ଅଂଗନବାଡି କର୍ମୀ ଏବଂ ଆଶା କର୍ମୀ ଏଥିପ୍ରତି ଗୁରୁତ୍ୱ ଦେଇନଥିବା ବିଡ଼ମ୍ବନାର ବିଷୟ। ଏଭଳି ଗୁରୁତର ସମସ୍ୟା ଗୁଡ଼ିକ ସଂପୃକ୍ତ ବିଭାଗ ଦୃଷ୍ଟି ନଦେଲେ ଜନନୀ ଯନ୍ତ୍ରଣାରୁ ମୁକ୍ତି ମିଳିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe