କରୋନା ଟିକା ନେବାବେଳେ ମହିଳାଙ୍କ ମୃତ୍ୟୁ

Advertisment
କରୋନା ଟିକା ନେବାବେଳେ ମହିଳାଙ୍କ ମୃତ୍ୟୁ

eHealth Magazine - Elets Technomedia

ଅଭିମନ୍ୟୁ ବାଲିଆ : ଆଜି ପୂର୍ବାହ୍ଣରେ କରୋନା ଟିକା ନେଉଥିବା ବ‌େଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ବରୀ ଥାନା ଅନ୍ତର୍ଗତ ରତଳାଙ୍ଗ ଗ୍ରାମର ସ୍ବର୍ଗତ ଜଗବନ୍ଧୁ ମଳିକଙ୍କ ପତ୍ନୀ ପାକେଇ(୫୫)। ଏସମ୍ପର୍କରେ ପାକେଇଙ୍କ ପୁଅ ମହେଶ୍ବର ବରୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହ ଜବତ କରି ୧୦/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ଆଜି ବରୀ ବ୍ଲକ୍‌ ଅନ୍ତର୍ଗତ ରତଳାଙ୍ଗ ପଞ୍ଚାୟତର ରାଜୀବ ଭବନରେ କରୋନା ଟିକା ଦିଆଯାଉଥିଲା। ଏଠାରେ ପାକେଇ ଟିକା ନେଉଥିବା ସମୟରେ ଟଳି ପଡ଼ିଥିଲେ। ଟିକା ଦାୟିତ୍ବରେ ଥିବା କର୍ମଚାରୀ ତାଙ୍କୁ ତୁରନ୍ତ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯିବାକୁ ପରାମର୍ଶ ଦେଇଥିଲେ।

ଏକ ଅଟୋରେ ପାକେଇଙ୍କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବ‌ଚ୍ଛେଦ ପାଇଁ ପଠାଇଥିଲେ। ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା ଏବଂ ସଠିକ ଟିକାକରଣ ଜାଣିନଥିବା ବ୍ୟକ୍ତିଙ୍କ ଦ୍ଵାରା ଟିକା ଦିଆଯିବାରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିବା ପୁଅ ମହେଶ୍ୱର ବରୀ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ଚାଲିଛି, ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ତଦନ୍ତ କରୁଥିବା ପୁଲିସ ଅଧିକାରୀ କହିଛନ୍ତି। ସେହିପରି ଡାକ୍ତରଖାନାରେ ପହଞ୍ଚିବା ବ‌େ‌ଳକୁ ମହିଳାଙ୍କର ମୃତ୍ୟୁ ହୋଇସାରିଥିବା ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିନ୍ମୟ କୁମାର ଭୂୟାଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe