ରାୟଗଡ଼ା: ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ ରାୟଗଡ଼ା ଜିଲ୍ଲା ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତ ସରକାରଙ୍କ ଦ୍ୱାରା ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜଳା ଗ୍ୟାସ ଯୋଗାଇ ଦିଆଗଲା, ଯାହା ଫଳରେ କୋଟି କୋଟି ଲୋକ ଉପକୃତ ହେଲେ। ଭାରତର ପ୍ରଧାନମନ୍ତ୍ରୀ ବିଭିନ୍ନ ସଭାସମିତିରେ ଭାଷଣ ମାଧ୍ୟମରେ କହିଛନ୍ତି ଏହା ଆମ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ। ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ସାକାର କରିବା ପାଇଁ ଉଜ୍ଜ୍ୱଳା ଦିଦିମାନଙ୍କୁ କାର୍ଯ୍ୟଭାର ଦାୟିତ୍ଵ ଦିଆଯାଇଥିଲା। ସେମାନେ ସରକାରଙ୍କ ଏହି ଯୋଜନାରୁ ସଫଳ କରିବା ଦିଗରେ ସହଯୋଗର ହାତ ବଢ଼ାଇଥିଲେ।
ଓଡ଼ିଶାରେ କାର୍ଯ୍ୟରତ ଉଜ୍ଜ୍ୱଳା ଦିଦିମାନଙ୍କର କିଛି ଦାବି ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ ରାୟଗଡ଼ା ଜିଲ୍ଲା ପକ୍ଷରୁ ରାୟଗଡ଼ା ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ପତ୍ର ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତଙ୍କୁ ପ୍ରଦାନ କରିଥିଲେ।ଦାବି ମଧ୍ୟରେ ଉଜ୍ଜ୍ୱଳା ଦିଦିମାନଙ୍କୁ କାର୍ଯ୍ୟଦେବା ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ କାର୍ଯ୍ୟକାରୀ କରାଯିବା, ସମସ୍ତ ଉଜ୍ଜ୍ୱଳା ଦିଦିମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ, ଉଜ୍ଜ୍ୱଳା ଦିଦିମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ ଉଜ୍ଜ୍ୱଳା ଦିଦିମାନଙ୍କୁ କାମ ଯୋଗାଇ ଦେବା ସହ ପାରିଶ୍ରମିକ ଯୋଗାଇ ଦିଆଯିବା ଅନ୍ତର୍ଭୁକ୍ତ।
ରାୟଗଡ଼ା ଜିଲ୍ଲା ସଂଯୋଜିକା ଭବାନୀ ନିମାଲଙ୍କ ନେତୃତ୍ବରେ ଆୟୋଜିତ ବିକ୍ଷୋଭରେ ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ଵର ଦାସ, ଉଜ୍ଜ୍ୱଳା ଦିଦି ସଂଘର ରାଜ୍ୟ ସଭାନେତ୍ରୀ ବୀଣାପାଣି ବେହେରା, ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମହନ ରାଓ ମାଝୀ, ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ସହ ସମ୍ପାଦିକା ନେହା ସିଂ, ନଗର ସଭାପତି ଶିବ ପ୍ରସାଦ ସିଂ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସଂଘର କଟି କାଡ୍ରାକା, ଯମୁନା କାଡ୍ରାକା, ଦୟାବତି ଦଳପତି, ଅମ୍ବିକା ଶବର ସହ ଜିଲ୍ଲାର କାର୍ଯ୍ୟକାରୀ ସଦସ୍ୟ ମାନେ ବିକ୍ଷୋଭ ବେଳେ ସହଯୋଗ କରିଥିଲେ।
Follow Us