ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ବହୁ ମାମଲାରେ ରହିଛି ସଂପୃକ୍ତି

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ବହୁ ମାମଲାରେ ରହିଛି ସଂପୃକ୍ତି

କୋରାପୁଟ: ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆଜିଠାରୁ ଆରମ୍ଭ ହେଉଥିଲାବେଳେ କୋରାପୁଟ ପୁଲିସକୁ ଏକ ବଡ ସଫଳତା ମିଳିଛି। ଏରିଆ କମିଟି ମେମ୍ବର ର‍୍ୟାଙ୍କର ମହିଳା ମାଓବାଦୀ ରାମେ ମାଡକାମି ଆଜି କୋରାପୁଟ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ ବହୁ ହିଂସାକାଣ୍ଡରେ ସଂପୃକ୍ତି ଥିଲାବେଳେ ତା‌ଙ୍କ ନାମରେ ୧୦ରୁ ଅଧିକ ମାମଲା ରହିଛି। ସରକାରଙ୍କ ବିକାଶମୂଳକ କାମ ଦ୍ବାରା ପ୍ରଭାବିତ ହୋଇ ସେ ସଂଗଠନ ଛାଡିଥିବା କହିଛନ୍ତି।

ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡରେ ବହୁ ହିଂସାକାଣ୍ଡରେ ଜଡିତ ରାମେ ମାଡକାମୀ ଟପ ମାଓନେତା ଆରକେର ସୁରକ୍ଷା ମଣ୍ଡଳୀରେ କାମ କରୁଥିଲେ। ମାଲକାନ୍‌ଗିରି ଜିଲ୍ଲା କାଲିମେଳା ଥାନା କୁରୁବ ଗାଁର ରାମେ ୭ ବର୍ଷ ତଳେ ମାଓ ସଂଗଠନରେ ଯୋଗ ଦେଇଥିଲେ। ମାତ୍ର ୧୬ ବର୍ଷ ବୟସରେ ସେ ମାଓବାଦୀଙ୍କ ସାଂସ୍କୃତିକ ଗଣନାଟ୍ୟ ମଣ୍ଡଳୀରେ ଯୋଗ ଦେଇଥିଲାବେଳେ ପରେ ବନ୍ଧୁକ ଚାଳନା ନେଇ ତାଲିମ ନେଇଥିଲେ। ଅଳ୍ପ ଦିନ ଭିତରେ ତାଙ୍କୁ ଏରିଆ କମିଟି ମେମ୍ବର ରୢାଙ୍କକୁ ପଦୋନ୍ନତି ଦିଆଯାଇଥିଲା। କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳରେ ସେ କାମ କରୁଥିଲେ।

ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡର ବିଭିନ୍ନ ଥାନାରେ ରାମେଙ୍କ ନାମରେ ୧୦ଟି ମାମଲା ରହିଥିବା କୋରାପୁଟ ଏସପି ମୁକେଶ କୁମାର ଭାମୋ ସୂଚନା ଦେଇଛନ୍ତି। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପୁଲିସ ସହିତ ଗୁଳି ବିନିମୟ ନେଇ ତାଙ୍କ ନାମରେ ମାମଲା ରହିଛି। କିଛି ବର୍ଷ ହେଲା ସେ ମାଓନେତା ଆରକେର ସୁରକ୍ଷା ଦାୟିତ୍ବରେ ରହିଥିଲେ। ରା‌ମେଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ଆତ୍ମସମପର୍ଣ ନୀତି ଅନୁସାରେ ବିଭିନ୍ନ ସୁବିଧା‌ ସୁଯୋଗ ଯୋଗାଇ ଦିଆଯିବ। ବରିଷ୍ଠ ମାଓନେତାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ସଂଗଠନ ଛାଡିଛନ୍ତି। ଏହା ଛଡା ଗୁରୁପ୍ରିୟା ସେତୁ ହେବା ପରେ ସ୍ବାଭିମାନ ଅଂଚଳରେ ଉନ୍ନତିମୂଳକ କାମ ଚାଲିଛି। ଲୋକମାନେ ମାଓ ସଂଗଠନରୁ ମୁହଁ ଫେରାଇ ନେଉଛନ୍ତି। ଏପଟେ ପୁଲିସ ସହ ଗୁଳି ବିନିମୟ ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲେ ମଧ୍ୟ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇ ନ ଥିଲା। ତେଣୁ ସେ ମାଓବାଦୀଙ୍କ ହିଂସାତ୍ମକ କାମ ଛାଡି ଆତ୍ମସମପର୍ଣ କରିଥିବା ଏସପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe