ଠକେଇ ଅଭିଯୋଗରେ ମହିଳା ପୋଷ୍ଟମାଷ୍ଟର ଗିରଫ

Advertisment
ଠକେଇ ଅଭିଯୋଗରେ ମହିଳା ପୋଷ୍ଟମାଷ୍ଟର ଗିରଫ

Odisha Bytes

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବସାଲଇ ଗ୍ରାମରେ ଥିବା ଶାଖା ଡାକଘରେ କାର୍ଯ୍ୟରତ ମହିଳା ପୋଷ୍ଟମାଷ୍ଟର ରେଣୁବାଳା ନାଏକଙ୍କୁ ଦେବଗଡ଼ ଥାନା ପୁଲିସ ଠକେଇ ଅଭିଯୋଗରେ ଗିରଫ କରିଛି। ପୁଲିସ୍‌ ସୂଚନାନୁସାରେ ରେଣୁବାଳା ଗତ ୨୦୧୯ ମସିହାରୁ ଉକ୍ତ ଡାକଘରେ କାର୍ଯ୍ୟ କରୁଥିବା ବେଳେ ଗାଁ’ର କିଛି ଲୋକଙ୍କ ଟଙ୍କା ଡାକଘରେ ଜମା କରାଇଥିଲେ। ମାଚ୍ୟୁରିଟି ହେବା ପରେ ଜମାକାରୀ ଟଙ୍କା ଉଠାଣ ପାଇଁ ଆସିବାରୁ ରେଣୁବାଳା ପୁଣି ଥରେ ଉକ୍ତ ଟଙ୍କାକୁ ଜମା କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କ କଥାରେ ବିଶ୍ବାସ କରି ଜମାକାରୀମାନେ ସେମାନଙ୍କ ଟଙ୍କା ପୁନଃ ଜମା କରିଥିଲେ।

ମାତ୍ର ପରବର୍ତ୍ତୀ ସମୟରେ ସେମାନେ ଟଙ୍କା ଜମା ହୋଇ ନଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେମାନେ ରେଣୁବାଳାଙ୍କୁ ପଚାରିବାରୁ ସେ ପର୍ଯ୍ୟାୟ କ୍ରମେ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ଡାକ ବିଭାଗ ଅଭିଯୋଗର ବିଭାଗୀୟ ତଦନ୍ତ ଆରମ୍ଭ କରିବା ସହ ରେଣୁବାଳାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ଗତ ୨ ଦିନ ତଳେ ରେଣୁବାଳା ବସାଲଇ ଡାକଘରକୁ ଯାଇଥିବା ବେଳେ ଜମାକାରୀମାନେ ତାଙ୍କୁ ଅଟକ ରଖି ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ଦାବି କରିଥିଲେ। ଫଳରେ କିଛି ସମୟ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରେଣୁବାଳାଙ୍କୁ ଉଦ୍ଧାର କରିବା ସହ ଥାନାକୁ ଆଣି ପଚରାଉଚରା କରିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କ ନାମରେ ଠକେଇ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ରେଣୁବାଳା ମଧ୍ୟ ଗ୍ରାମବାସୀଙ୍କ ନାମରେ ପାଲଟା ଅଭିଯୋଗ କରିଥିବାରୁ ପୁଲିସ ଆଉ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe