ଖଇରା : ଦିନକୁ ଦିନ ବେଆଇନ ମଦ କାରବାର ବଢ଼ି ବଢ଼ି ଚାଲିଛି। ଯାହାର ପ୍ରତିକୂଳ ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ଦେଖାଦେଉଛି। ତେବେ ଏପରି ସମୟରେ ମଦ କାରବାର ରୋକିବା ପାଇଁ ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି। ଏକ ହୋଟେଲ୍ରେ ପଶି ଭଙ୍ଗାରୁଜା ଓ ମଦ ନଷ୍ଟ କରିବା ସହ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧୀନ କୋଚିଆକୋଇଲି ଛକରେ ଥିବା ତପସ୍ୱୀ ନାମକ ଏକ ହୋଟଲ୍ରେ।
କିଛିଦିନ ତଳେ ସୁନ୍ଦରପୁରରେ ହେଉଥିବା ରଜ କୁଇନ୍ ପ୍ରତିଯୋଗିତା ଦେଖିବାକୁ ତାଳମହୁରୀ ଗ୍ରାମର କିଛି ମହିଳା ଯାଇଥିଲେ। ଫେରିବା ବେଳେ ତପସ୍ୱୀ ହୋଟେଲ୍ରୁ କିଛି ଅସାମାଜିକ ଯୁବକ ମଦ ପିଇ ସେମାନଙ୍କୁ କମେଣ୍ଟ କରିବା ସହ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣା ବିଷୟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ହୋଟେଲ୍ ମାଲିକ କୃତ୍ତିବାସ କରଙ୍କୁ ଜଣାଇବା ସହ ମଦ କାରବାର ବନ୍ଦ କରିବାକୁ କହିଥିଲେ। ହେଲେ ହୋଟେଲ୍ ମାଲିକ କାରବାର ବନ୍ଦ କରି ନ ଥିଲେ। ତେଣୁ ଆଜି ମା’ ଅମ୍ବିକା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଂପୃକ୍ତ ଗ୍ରାମର ଶତାଧିକ ମହିଳାଙ୍କ ସହ ହୋଟେଲ୍ରେ ପଶି ଭଙ୍ଗାରୁଜା କରିଥିଲେ। ସେମାନେ ମଦ ନଷ୍ଟ କରିବା ସହ ନିଆଁ ଲଗାଇ ଦେଇଥିଲେ। ଖବର ପାଇବା ପରେ ଦଳକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେହିପରି ପୁଲିସ ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଅନ୍ୟପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପକ୍ଷରୁ ଖଇରା ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଘଟଣାର ଗୁରୁତ୍ବକୁ ବୁଝି ତଦନ୍ତ ଆରମ୍ଭ କରିଛି।
Follow Us