ଆଦିବାସୀ ଅଞ୍ଚଳରେ କରୋନା ଯୁଦ୍ଧରେ ନେପଥ୍ୟ ନାୟିକା : ଦୁଇ ବର୍ଷ ତଳର ହାତ ଧୂଆ ଅଭିଯାନ ଦେଖାଇଛି କରୋନା ମୁକାବିଲା ରାସ୍ତା

ଆଦିବାସୀ ଅଞ୍ଚଳରେ କରୋନା ଯୁଦ୍ଧରେ ନେପଥ୍ୟ ନାୟିକା : ଦୁଇ ବର୍ଷ ତଳର ହାତ ଧୂଆ ଅଭିଯାନ ଦେଖାଇଛି କରୋନା ମୁକାବିଲା ରାସ୍ତା

୫୦ରୁ ଉର୍ଦ୍ଧ୍ୱ ଗ୍ରାମରେ ହାତ ଧୂଆ ଶିଖାଇଲେ ଏସ୍ଏଚ୍‌ଜିି ମହିଳା
୪୦୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଦେଲେ କରୋନା ସଚେତନତା ବାର୍ତା

ବାରିପଦା : ଅନାଲୋଚିତ, ପ୍ରଶାସନ ଓ ଗଣମାଧ୍ୟମ ଦୃଷ୍ଟିରୁ ଉହାଡ଼ରେ ରହି ମଧ୍ୟ ସେମାନେ ସାଜିଛନ୍ତି କରୋନା ଯୁଦ୍ଧର ନେପଥ୍ୟ ନାୟିକା। ବଣଜଙ୍ଗଲଘେରା ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ବାଣ୍ଟିଚାଲିଛନ୍ତି ସଚେତନତାର ବାର୍ତ୍ତା। ଏହି ଲଢ଼େଇ ଆଜିକାର ନୁହେଁ। ୨ ବର୍ଷ ତଳୁ ଆରମ୍ଭ ହୋଇଥିବା ହାତ ଧୂଆ ଅଭିଯାନ ଆଜି ଦେଖାଇଛି କରୋନା ମୁକାବିଲା ରାସ୍ତା। କରୋନା ବିରୋଧରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ, ପୁଲିସ୍ ଭଳି ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର କିଛି ସାଧାରଣ ଆଦିବାସୀ ମହିଳା ଓ କିଶୋରୀ ମଧ୍ୟ ସାଜିଛନ୍ତି କୋଭିଡ୍ ଯୋଦ୍ଧା । ଜିଲ୍ଲାର ଠାକରମୁଣ୍ଡା ବ୍ଲକ୍‌ର ୪୮ ଜଣ ମହିଳା ସ୍ୱୟଂ ସହାୟକ ଦଳର ସଭାନେତ୍ରୀ ଓ ସମ୍ପାଦିକାମାନେ ଏହି ତାଲାବନ୍ଦ ସମୟରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଗ୍ରାମର ୪୦୦୦ରୁ ଉର୍ଦ୍ଧ୍ୱ ମହିଳାମାନଙ୍କ ପାଖରେ ପହଂଚି କରୋନା ସଚେତନତା ବାର୍ତା ବାଂଟିବା ସହ ସେମାନଙ୍କୁ ସାବୁନରେ ଭଲ୍ ଭାବେ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଆଦି ଭଳି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

publive-image

ଏହି ମହିଳାମାନେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଂଟର ଫର୍ ୟୁଥ୍ ଆଣ୍ଡ ସୋସିଆଲ୍ ଡେଭେଲପ୍ମେଂଟ (ସିୱାଇଏସ୍‌ଡି) ଦ୍ୱାରା ଗଠିତ ବିଭିନ୍ନ ଏସ୍ଏଚଜିର ସଭ୍ୟା ଭାବେ ଏକ ଦଶନ୍ଧିରୁ ଅଧିକ ହେବ କାର୍ଯ୍ୟ କରିଆସୁଛନ୍ତି । “କରୋନା ମହାମାରୀ ବ୍ୟାପିବାରୁ ସରକାର ଏବେ ସାବୁନରେ ୨୦ ସେକେଣ୍ଡ୍ ପର୍ଯ୍ୟନ୍ତ ଭଲ ଭାବେ ହାତ ଧୋଇବା ପଦ୍ଧତି ବିଷୟରେ ସଚେତନ କରୁଛନ୍ତି । ଅଙ୍ଗନୱାଡି ଓ ଆଶା କର୍ମୀ ଘର ଘର ବୁଲି ଲୋକମାନଙ୍କୁ ବୁଝାଉଛନ୍ତି; ମାତ୍ର ଆମ ଗାଁରେ ସିୱାଇଏସ୍‌ଡିର କର୍ମୀମାନେ ଦୀର୍ଘ ୧୦ ବର୍ଷରୁ ଅଧିକ ଦିନ ହେବ ସାବୁନରେ ହାତ ଧୋଇବା ଓ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ସଚେତନ କରିଆସୁଛନ୍ତି । ଆମେ ଗଠନ କରିଥିବା ଏସ୍ଏଚ୍‌ଜିର ସମସ୍ତ ସଭ୍ୟା ନିଜେ ଭଲ ଭାବେ ହାତ ଧୋଇବା ସହ ପରିବାରରେ ସମସ୍ତେ କିପରି ସାବୁନ୍‌ରେ ଭଲ ଭାବେ ହାତ ଧୋଇବେ ସେ ବିଷୟରେ ଧ୍ୟାନ ଦେଇ ଆସୁଛୁ” ବୋଲି କୁହନ୍ତି ବାଲିପୋଷୀ ଗ୍ରାମର ଜଣେ ଏସ୍ଏଚ୍‌ଜି ସଭ୍ୟା ଦମୟନ୍ତୀ ମହନ୍ତ(୪୫) । ବର୍ତମାନର କରୋନା ମୁକାବିଲା ପାଇଁ ଆମ ଦଳର ସମସ୍ତ ସଭ୍ୟାମାନେ ନିଜ ତଥା ପଡୋଶୀ ଗ୍ରାମରେ ସାବୁନ୍‌ରେ ହାତ ଧୋଇବା ଦ୍ୱାରା କରୋନାରୁ ରକ୍ଷା ମିଳିପାରିବା ବାର୍ତା ବାଂଟିବା ସହ ସାବୁନ୍‌ରେ କିପରି ହାତ ଧୋଇବାକୁ ହୁଏ ସେ ବିଷୟରେ ଅନ୍ୟମାନଙ୍କୁ ବୁଝାଉଛୁ ବୋଲି ଶ୍ରୀମତୀ ମହନ୍ତ କହିଛନ୍ତି ।

publive-image

ଠାକୁରମୁଣ୍ଡା ବ୍ଲକର ୨୬ଟି ସରକାରୀ ବିଦ୍ୟାଳୟରେ ସିୱାଇଏସ୍‌ଡି ୱାସ୍ (ୱାଟର୍-ସାନିଟେସନ-ହେଲ୍ଥ ଆଣ୍ଡ ହାଇଜିନ୍) ସମ୍ପର୍କିତ ଭିତିଭୂମି ନିର୍ମାଣ ସହ ଛାତ୍ରଛାତ୍ରୀ ଓ ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କୁ ସଠିକ୍ ଉପାୟରେ ହାତ ଧୂଆ, ବ୍ୟକ୍ତିଗତ ପରିଚ୍ଛନ୍ନତା, ସ୍ୱାସ୍ଥ୍ୟ ଓ ପରିମଳ ସମ୍ପର୍କିତ ସମସ୍ୟା ଓ ଏହାର ସମାଧାନ ପାଇଁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରାଇବା ଦିଗରେ ୨୦୧୧ ମସିହାରୁ ଚେଷ୍ଟା କରିଆସୁଛି । ୨୦୧୭ ମସିହାରେ ସାବୁନ୍ ଦ୍ୱାରା ହାତ ଧୂଆ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ କରାଯାଇ ଏକ ଅଭିଯାନ ଆରମ୍ଭ କରାଯାଇଥିଲା । ୧୦୦ ରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ପ୍ରାୟ ୧୩ ହଜାରରୁ ଅଧିକ ପିଲା, ୭୦ ଟି ଅଙ୍ଗନୱାଡି କେନ୍ଦ୍ରର ପ୍ରାୟ ୨ ହାଜରରୁ ଅଧିକ ଶିଶୁ ଏବଂ ୮୦ଟି ଗ୍ରାମର ୧୨୦୦ରୁ ଉର୍ଦ୍ଧ୍ୱ ଏସ୍ଏଚ୍ଜି ମହିଳା ଏବଂ ଜଳ ଓ ପରିମଳ କମିଟୀର ସଭ୍ୟସଭ୍ୟା ଏବଂ ୫୨ଟି ଶିଶୁ ସଂଘର ୧୫୦୦ରୁ ଅଧିକ ସଭ୍ୟସଭ୍ୟା ଓ ୧୦ଟି ଯୁବକ ସଂଘର ପ୍ରାୟ ୨୦୦ ଯୁବକମାନଙ୍କୁ ଏହି ଅଭିଯାନରେ ସାମିଲ କରାଯାଇପାରିଥିଲା । ଏହି ଅଭିଯାନର ଫଳସ୍ୱରୂପ ଆଜି ଏସ୍ଏଚ୍‌ଜିର ମା’ମାନେ ସଚେତନତା କାର୍ଯ୍ୟରେ ଲାଗିପାରିଛନ୍ତି ବୋଲି ସିୱାଇଏସ୍‌ଡିର କ୍ଷେତ୍ରୀୟ କର୍ମୀ ଦୀପ୍ତି ରଞ୍ଜନ ମହାନ୍ତି କହିଛନ୍ତି । କେବଳ ସଚେତନତା ବାର୍ତା ନୁହେଁ ବରଂ ଜିଲ୍ଲା ତଥା ରାଜ୍ୟ ବାହାରୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କ ହାତରେ କାମ ନଥିବାରୁ ସେମାନଙ୍କ ପରିବାର ତଥା ଅତି ଗରିବ ଓ ସମ୍ବେଦନଶୀଳ ପରିବାରମାନଙ୍କୁ ସଂସ୍ଥା ଦ୍ୱାରା ରିଲିଫ୍ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ଏହା ସହ ପ୍ରତି ଗ୍ରାମରେ ନଳକୂଅ, ଦୋକାନ ଓ ରିଲିଫ୍ ବଂଟନ ସ୍ଥାନଗୁଡିକରେ ସାମାଜିକ ଦୂରତା ବଜାୟ ରଖିବା ଭଳି ପଦକ୍ଷେପ ମହିଳାମାନେ ନିଶ୍ଚିତ କରିପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe