ଭୁବନେଶ୍ବର: ବହୁଚର୍ଚ୍ଚିତ ମହିଳା ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାରେ କମିସନରେଟ୍ ପୁଲିସ ଆଉ ପାଦେ ଆଗକୁ ବଢ଼ିଛି। ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଘଟଣାର ୩ ମାସ ମଧ୍ୟରେ ଆଜି କ୍ୟାପିଟାଲ୍ ଥାନା ପୁଲିସ, ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ସମେତ ୩ ଜଣଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ଙ୍କ ନିକଟରେ ୭୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ୪୨ ଜଣ ସାକ୍ଷୀଙ୍କ ନାମ ରହିଛି। ସେହିପରି ବ୍ୟବଚ୍ଛେଦ ରିପୋର୍ଟ, ଡିଏନ୍ଏ ରିପୋର୍ଟ, ଭିସେରା ସମେତ ଅନ୍ୟ ସମସ୍ତ ରିପୋର୍ଟ ଦାଖଲ କରାଯାଇଛି। ଯାହାକି ମାମଲାକୁ ଆହୁରି ବଳିଷ୍ଠ କରିଛି।
ସୂଚନା ମୁତାବକ, ଗତ ସେପ୍ଟେମ୍ବର ୬ ତାରିଖରେ ଡିସିପି କାର୍ଯ୍ୟାଳୟକୁ ଡ୍ୟୁଟି କରିବାକୁ ଯାଇ ଶୁଭମିତ୍ରା ହଠାତ୍ ଗାଏବ ହୋଇଯାଇଥିଲେ। ତା’ପରଠୁ ତାଙ୍କର ମୋବାଇଲ୍ ସୁଇଚ୍ଅଫ୍ ହୋଇଯାଇଥିଲା। ଦୁଇଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା କ୍ୟାପିଟାଲ୍ ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳ ଦୀପକଙ୍କ ବାବଦରେ ଜାଣିବାକୁ ପାଇଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ଭୁବନେଶ୍ୱରରେ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ କେଉଁଝରକୁ ନେଇ ପୋତିଥିବା କହିଥିଲା। ଜେରା ବେଳେ ଦୀପକ ମାନିଥିଲା ଯେ ୨୦୨୪ ଜୁଲାଇ ୨୩ ତାରିଖରେ ସେ ଓ ଶୁଭମିତ୍ରା କୋର୍ଟ ମ୍ୟାରେଜ୍ କରିଥିଲେ।
ରାଜଧାନୀରେ ଏକ ଜମି ଓ ଫ୍ଲାଟ୍ କିଣିବା ପାଇଁ ସେମାନେ ଯୋଜନା କରିଥିଲେ। ଏଥିପାଇଁ ସେ ଶୁଭମିତ୍ରାଙ୍କଠାରୁ ଅଗଷ୍ଟ ମାସରେ ୧୩ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ ଜମି କି ଘର ନ କିଣିବାରୁ ଶୁଭମିତ୍ରା, ଦୀପକକୁ ଟଙ୍କା ଫେରସ୍ତ ମାଗିଥିଲେ। ୧୩ ଲକ୍ଷ ଟଙ୍କା ସହ ବାହାଘର ପ୍ରସ୍ତୁତି ପାଇଁ ୭ ଲକ୍ଷ ଏମିତି ସେ ୨୦ଲକ୍ଷ ଟଙ୍କା ମାଗିଥିଲେ। ଅଗଷ୍ଟ ୨୬ ତାରିଖରେ ଦୀପକ ୧୦ ଲକ୍ଷ ଟଙ୍କା ଫେରସ୍ତ କରିଥିଲା। ବାକି ୧୦ ଲକ୍ଷ ଟଙ୍କା ସେପ୍ଟେମ୍ବର ୧ରେ ଫେରାଇବାକୁ କହିଥିଲା। ତେବେ ୧ ତାରିଖରେ ଟଙ୍କା ନ ଫେରାଇବାରୁ ଉଭୟଙ୍କ ମଧ୍ୟରେ ଭୀଷଣ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ଦୀପକ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଶୁଭମିତ୍ରାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ତାଙ୍କ ନାଁରେ ଥିବା କୋଟିଏ ଟଙ୍କାର ବୀମା ଉପରେ ବି ଦୀପକ ନଜର ପକାଇଥିଲା। ଯୋଜନା ମୁତାବକ ଗତ ୬ ତାରିଖ ଦିନ ଉଭୟେ ସାଢ଼େ ୨ଟା ସମୟରେ ଖାଇବା ପାଇଁ ଏକାଠି ଅଫିସ୍ରୁ ବାହାରିଥିଲେ। ବାଟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବଢ଼ିଯାଇଥିଲା।
ଦୀପକ ରାଜଭବନ ଛକ ନିକଟ ରାସ୍ତାକଡ଼ରେ ଏକ ଜାମୁଗଛ ନିକଟରେ ଗାଡ଼ିକୁ ଅଟକାଇ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ କାର୍କୁ ନେଇ ମହତାବ ରୋଡ୍ରେ ଥିବା ଭାଇଭାଉଜଙ୍କ ଘର ନିକଟରେ ରଖି ଘୋଡ଼ାଇ ଦେଇଥିଲା ଏବଂ ମାଉସୀ ପୁଅ ବିନୋଦ ଭୂୟାଁକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲା। ଘଟଗାଁରେ ଶବକୁ ଲୁଚାଇବାରେ ସହଯୋଗ କଲେ କିଛି ଟଙ୍କା ଦେବାକୁ କହିଥିଲା। ଯୋଜନା ମୁତାବକ ପପୁ ଓ ଶମ୍ଭୁନାଥ ମହାନ୍ତ ଓରଫ୍ ଜଟିଆ ଘଟଗାଁରେ ପାଇଖାନା ଟାଙ୍କି ଖୋଳିବାକୁ କହି ଏକ ଜେସିବି ଡକାଇଥିଲେ। ରାତିରେ ଟାଙ୍କି ଖୋଳା ହୋଇଥିଲା। ଭୋର ୫ଟାରେ ଦୀପକ କାର୍ରେ ଶବକୁ ନେଇ ସାଢ଼େ ୮ଟା ସମୟରେ ଘଟଗାଁରେ ପହଞ୍ଚିବା ପରେ ୩ଜଣ ମିଶି ଶବକୁ ପୋତିଥିଲେ। ପୁଲିସ ସବୁ ତଥ୍ୟ ହାତେଇବା ପରେ କେନ୍ଦୁଝର ପୁଲିସ ସହଯୋଗରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଜେସିବି ଲଗାଇ ସିମେଣ୍ଟ ଅଖା ଭିତରେ ବନ୍ଧାଥିବା ମୃତଦେହ ଉଦ୍ଧାର କରିଥିଲା। ପରେ ମୁଖ୍ୟ ଅଭିଯୁକ୍ତ ଦୀପକ ସମେତ ପପୁ ଓ ଜଟିଆ ୩ଜଣଙ୍କୁ ପୁଲିସ କୋର୍ଟଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଏଭଳି ଏକ ସମ୍ବେଦନଶୀଳ ମାମଲାକୁ କିଛିଦିନ ତଳେ କ୍ରାଇମ୍ବ୍ରାଞ୍ଚ ରେଡ୍ ଫ୍ଲାଗ୍ ଭୁକ୍ତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/02/fshfhfhfh-2025-12-02-01-22-19.jpg)