Kashmir News Service
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଦିନକୁ ଦିନ ମହିଳାଙ୍କ ପାଇଁ ଏକ ଅସୁରକ୍ଷିତ ସ୍ଥାନ ହେବାରେ ଲାଗିଛି। ୨୦୧୨ ନିର୍ଭୟା ଗଣ ଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶ ବିଶ୍ବ ଦରବାରରେ ନିନ୍ଦିତ ହେବା ପରେ ଏହାକୁ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଆଇନ୍ରେ ବ୍ୟବସ୍ଥା କରାଗଲା। କିନ୍ତୁ ତଥାପି ଦୁଷ୍କର୍ମ କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ବର୍ଦ୍ଧିତ ଦୁଷ୍କର୍ମ ହାରରୁ ବାଦ୍ ପଡ଼ିପାରିନି ସାଂସ୍କୃତିକ ସହର ସମ୍ବଲପୁର। ବିଗତ ୨ ବର୍ଷରେ ସମ୍ବଲପୁର ଜିଲ୍ଲାରେ ୧୪୫ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଦୁଷ୍କର୍ମର ଶୀକାର ହେଉଥିବା ପୀଡ଼ିତାଙ୍କ ମଧ୍ୟରେ ୮୯ ପ୍ରତିଶତ ନାବାଳିକା ରହିଛନ୍ତି। ଏହାର ସଂଖ୍ୟା ରହିଛି ୧୨୯। ଯେଉଁମାନଙ୍କ ମଧ୍ୟରେ ୧୦୯ ଜଣ ଅର୍ଥାତ୍ ୮୫ ପ୍ରତିଶତ ହେଉଛନ୍ତି ୮ରୁ ୧୭ ବର୍ଷର ଝିଅ। ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ୧୨୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ(ଯୌନ ଶୋଷଣରୁ ଶିଶୁଙ୍କ ସୁରକ୍ଷା) ଆଇନ୍ ଅନୁଯାୟୀ ମାମଲା ମଧ୍ୟ ରୁଜୁ କରାଯାଇଛି।
ମିଳିଥିବା ତଥ୍ୟ ମୁତାବକ, ୨୦୧୭ ମସିହାରେ ସମ୍ବଲପୁର ଜିଲ୍ଲାରେ ମୋଟ ୭୪ ଜଣ ଦୁଷ୍କର୍ମର ଶିକାର ହୋଇଥିଲେ। ଏମାନଙ୍କ ମଧ୍ୟରେ ୫୯ ଜଣ ୧୮ ବର୍ଷରୁ କମ୍ ବୟସର ଝିଅ ରହିଛନ୍ତି। ସେହିପରି ୨୦୧୮ ମସିହାରେ ଦୁଷ୍କର୍ମ ସଂଖ୍ୟାରେ ୬.୫ ପ୍ରତିଶତ ବୃଦ୍ଧି ପାଇ ୭୯ରେ ପହଞ୍ଚିଥିଲା। ତେବେ ଏମାନଙ୍କ ମଧ୍ୟରେ ୫୫ ଜଣ ଥିଲେ ନାବାଳିକା। ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜିଲ୍ଲାରେ ୧୭ ଜଣ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୧୩ ଜଣ ନାବାଳିକା ରହିଥିଲେ। ଏପ୍ରିଲ ଓ ମେ’ ଦୁଇ ମାସରେ ପୁଣି ଦୁଇଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ଦୁଇଟି ଯାକ ପୀଡ଼ିତା ହେଉଛନ୍ତି ନାବାଳିକା। ବିଗତ ୨ ବର୍ଷରେ ସମ୍ବଲପୁର ଜିଲ୍ଲାରେ ଦୁଷ୍କର୍ମର ଶିକାର ହୋଇଥିବା ମୋଟ ୧୪୫ ଜଣ ପୀଡ଼ିତାଙ୍କ ମଧ୍ୟରୁ ୧୩୧ ଜଣ ଅର୍ଥାତ୍ ୯୦ ପ୍ରତିଶତ କେବଳ ତାଙ୍କ ପରିଚିତ ବ୍ୟକ୍ତିଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ଓଡ଼ିଶା କ୍ଷତିପୂରଣ ଯୋଜନା ୨୦୧୭ ଅନୁଯାୟୀ ଜିଲ୍ଲା ଆଇନ୍ ସେବା ପ୍ରାଧିକରରଣଙ୍କ ଦ୍ବାରା ଗଠିତ କମିଟି ମୁତାବକ ଦୁଷ୍କର୍ମ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥାଏ। ଦୁଷ୍କର୍ମ ହାରରେ ରୋକ୍ ଲଗାଇବାକୁ ଆଇନ୍ରେ ଯେତେ ସଂଖ୍ୟକ ବ୍ୟବସ୍ଥା ହେଲେ ମଧ୍ୟ ସଂଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ କମିବାରେ ଲାଗୁଛି।
Follow Us