ଅନୁଗୁଳ: ୪ ଥରିଆ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଟିକେଟ ଦେଇନି ବିଜେଡି। ତାଙ୍କ ବଦଳରେ ପତ୍ନୀ ସଂଯୁକ୍ତା ସିଂହ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଏହାସହିତ ମାସେ ହେଲା ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଅନୁଗୁଳ ବିଧାନସଭା କ୍ଷେତ୍ର ୨୦୦୦ ମସିହାରୁ ବିଜେଡି ହାତରେ ରହିଥିଲେ ମଧ୍ୟ ଏଥର ପ୍ରାର୍ଥୀ ଚୟନ ଦଳ ପାଇଁ ସହଜ ନ ଥିଲା। ୨୦୦୪ରୁ ବିଧାୟକ ଥିବା ରଜନୀକାନ୍ତ ସିଂହଙ୍କୁ ଦଳ ପୁଣି ଥରେ ଟିକେଟ ଦେବା ସପକ୍ଷରେ ନଥିବାରୁ ଯୋଗ୍ୟ ପ୍ରାର୍ଥୀ ବାଛିବା ପାଇଁ ବହୁ କସରତ କରିବାକୁ ପଡ଼ିଥିଲା। ଶେଷରେ ମହିଳା ଭୋଟର୍ଙ୍କୁ ଟାଣିବା ପାଇଁ ମହିଳା କାର୍ଡ ଖେଳିବାକୁ ବାଧ୍ୟ ହୋଇଛି ଦଳ। ବିଧାୟକଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ପ୍ରାର୍ଥୀ କରି ମହିଳା ଓ ଯୁବ ଭୋଟର୍ଙ୍କ ସମର୍ଥନ ଗୋଟାଇବାକୁ ଲକ୍ଷ୍ୟ ରଖିଛି। ପ୍ରତ୍ୟକ୍ଷ ରାଜନୀତିରେ ସଂଯୁକ୍ତାଙ୍କର ଅଭିଜ୍ଞତା ନଥିଲେ ମଧ୍ୟ ରାଜନୈତିକ ପରିବାରରୁ ଆସିଥିବାରୁ ନିର୍ବାଚନ ଲଢ଼ିବା ତାଙ୍କ ପାଇଁ କଷ୍ଟକର ହେବନି ବୋଲି ଅନୁମାନ କରିଛି ଦଳ। ସେ ପୂର୍ବରୁ ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଏହି ଅଭିଜ୍ଞତା ତାଙ୍କୁ ସହାୟକ ହୋଇପାରେ। ଏପଟେ ପ୍ରାର୍ଥୀ ଘୋଷଣା ପରେ ସଂଯୁକ୍ତା ସିଂହ ପ୍ରତିକ୍ରିୟାରେ କହିଛନ୍ତି, ଅନୁଗୁଳର ବିକାଶକୁ ସେ ପ୍ରାଥମିକତା ଦେବେ। ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥାକୁ ମଜଭୁତ କରିବାକୁ ଉଦ୍ୟମ କରିବେ। ତାଙ୍କ ପରି ଜଣେ ସାଧାରଣ ମହିଳାଙ୍କୁ ବିଜେଡି ଟିକେଟ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ, ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଅନୁଗୁଳ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ସହ ଏହି ଆସନରେ ଲଢ଼େଇର ରୂପରେଖ ଚୂଡ଼ାନ୍ତ ହୋଇଛି। ପୂର୍ବରୁ ଏହି ଆସନ ପାଇଁ ବିଜେପି ପ୍ରତାପ ପ୍ରଧାନ ଓ କଂଗ୍ରେସ ଅମ୍ବିକା ଭଟ୍ଟଙ୍କୁ ପ୍ରାର୍ଥୀ କରିଛି। ଏହି ୩ ନେତାଙ୍କ ମଧ୍ୟରେ ଏଥର ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ହୋଇଯାଇଛି। ଉଲ୍ଲେଖନୀୟ ଯେ ଅନୁଗୁଳ ଜିଲ୍ଲାରେ ରହିଛି ୫ଟି ନିର୍ବାଚନମଣ୍ଡଳୀ। ଆଜି ପର୍ଯ୍ୟନ୍ତ ଜିଲ୍ଲାର କୌଣସି ନିର୍ବାଚନମଣ୍ଡଳୀରୁ ଜଣେ ହେଲେ ମହିଳା ବିଧାନସଭାକୁ ନିର୍ବାଚିତ ହୋଇ ନାହାନ୍ତି। ତେବେ ୧୯୯୫ରୁ ୨୦୧୯ ମଧ୍ୟରେ ୪ ଜଣ ପ୍ରାର୍ଥୀ ଅନ୍ୟ ଦଳରୁ ଏବଂ ସ୍ବାଧୀନ ଭାବେ ଏହି ଆସନରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜୟୀ ହୋଇପାରି ନଥିଲେ। ଅନ୍ୟପକ୍ଷରେ ରାଜ୍ୟର କୌଣସି ପ୍ରମୁଖ ଦଳ ମହିଳା ପ୍ରାର୍ଥୀଙ୍କ ଉପରେ ଭରସା କରିପାରି ନଥିଲେ। ୨୦୨୩ ନଭେମ୍ବର ୧୪ ତାରିଖରେ ‘ସମ୍ବାଦ’ରେ ଏ ସଂପର୍କରେ ଏକ ତଥ୍ୟଭିତ୍ତିକ ରିପୋର୍ଟ ‘ଅନୁଗୁଳକୁ ଆଜିଯାଏ ମିଳିନି ମହିଳା ପ୍ରତିନିଧି’ ଶୀର୍ଷକରେ ପ୍ରକାଶ ପାଇଥିଲା। ଚଳିତ ନିର୍ବାଚନରେ ସବୁ କଳ୍ପନାର ଅନ୍ତ ଘଟାଇ ବିଜେଡି ଏହି ନିର୍ବାଚନମଣ୍ଡଳୀରେ ଖେଳିଛି ମହିଳା କାର୍ଡ।
Follow Us