ବଲାଙ୍ଗୀରରେ ମହିଳାଙ୍କ ପତିଆରା

Advertisment
ବଲାଙ୍ଗୀରରେ ମହିଳାଙ୍କ ପତିଆରା

ବଲାଙ୍ଗୀର : ଏବେ ଚାରିଆଡ଼େ ମା’ଙ୍କ ଆବାହନ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା। ଚାରିଆଡ଼େ ମାତୃଶକ୍ତିର ପୂଜା। ଏଭଳି ଆଧ୍ୟାତ୍ମିକ ପରିବେଶ ଭିତରେ ଓଡ଼ିଶାରେ ରାଜନୀତିର ବି ସୁପର୍‌ ସୋ। ୨୦୨୪ ନିର୍ବାଚନ ପାଇଁ ଓଡ଼ିଶାରୁ ବିଗୁଲ ଫୁଙ୍କିଛନ୍ତି ବିଜେଡି ଓ ବିଜେପି। କଂଗ୍ରେସ ବି ପଛରେ ନାହିଁ। ଆଉ ବିଭିନ୍ନ ପ୍ରସଙ୍ଗ ଭିତରେ ନିଜ ଦଳ ଓ ସରକାରରେ କିଏ କେତେ ଅଧିକ ମହିଳାଙ୍କୁ ସ୍ଥାନିତ କରିଛି, ପଦପଦବିରେ ବସାଇଛି ଆଗଧାଡ଼ିରେ ଛିଡ଼ା କରାଯାଇଛି ତାକୁ ନେଇ ବାଦବିବାଦ ଓ ପ୍ରତିଯୋଗିତା। ସତେ ଯେମିତି ଗତ କିଛି ଦଶନ୍ଧି ଧରି ଭାରତୀୟ ରାଜନୀତିରେ ନାରୀ ସଶକ୍ତୀକରଣ ରାଜନୀତିର ଏକ ମୁଖ୍ୟ ସ୍ଲୋଗାନ ହୋଇଛି। ତେଣୁ ଏଭଳି ପରିପ୍ରେକ୍ଷୀରେ ରାଜ୍ୟରେ ପଛୁଆ କହାଯାଉଥିବା ବଲାଙ୍ଗୀର ଜିଲ୍ଲାର ସାଂପ୍ରତିକ ସ୍ଥିତି ଦେଖିଲେ ଯେକେହି ବି କହିବ ଏଠି ଚାଲିଛି ମହିଳାଙ୍କ ପତିଆରା।

କାରଣ ବଲାଙ୍ଗୀରର ସାଂସଦ ସଂଗୀତା କୁମାରୀ ସିଂହଦେଓ। ସେ ରାଜନୀତିରେ ଦଶନ୍ଧି ହେଲା ଅଛନ୍ତି। ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ମହିଳା ବିଧାୟିକା ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ। ଶ୍ରୀମତୀ ସାହୁ ଏବେ ରାଜ୍ୟ ସରକାରଙ୍କ କ୍ୟାବିନେଟରେ କ୍ଷମତାଶାଳୀ ମନ୍ତ୍ରୀ। ଠିକ୍‌ ସେମିତି ଟିଟିଲାଗଡ଼ର ପୌରାଧ୍ୟକ୍ଷା ମମତା ଦେବୀ ଜୈନ। ବଲାଙ୍ଗୀର ସଦର ମହକୁମା ମ୍ୟୁନିସିପାଲିଟିର ପୌରାଧ୍ୟକ୍ଷା ବି ଜଣେ ମହିଳା ଲିକା ସାହୁ। ଏତିକିରେ ଅଟକିଯାଇନି ମହିଳାଙ୍କ ଆଧିପତ୍ୟ। ଜିଲ୍ଲା ପରିଷଦ ସଭାପତି ବି ଜଣେ ମହିଳା ଦେବକୀ ସାହୁ। ରାଜନୀତି କ୍ଷେତ୍ରରେ ଆର୍ଥିକ ଓ ସାମାଜିକ ସ୍ତରରେ ପଛୁଆ ବଲାଙ୍ଗୀର ଜିଲ୍ଲାର ମହିଳା ଖୁବ୍‌ ଆଗୁଆ ଏହା ପ୍ରମାଣିତ। କିନ୍ତୁ ପ୍ରଶାସନିକ ସ୍ତରରେ ବି ବଲାଙ୍ଗୀର ଜିଲ୍ଲାରେ ମହିଳାଙ୍କ ଦବଦବା କିଛି କମ୍‌ ନୁହେଁ।

ଏବେ ଏବେ ଟିଟିଲାଗଡ଼ର ଏସ୍‌ଡିପିଓ ଭାବେ ଅଙ୍କିତା କୁମ୍ଭାର ଜଣେ ମହିଳା ଯୋଗଦେଇ ସମ୍ବେଦନଶୀଳ ଟିଟିଲାଗଡ଼ ଅଂଚଳର ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳୁଛନ୍ତି। ଏପରି ଦେଖିଲେ ବଲାଙ୍ଗୀର ସହରର ଆଇନଶୃଙ୍ଖଳା କୁହନ୍ତୁ କି ପ୍ରଶାସନ; ମହିଳାଙ୍କ କାନ୍ଧରେ ବଡ଼ ଦାୟିତ୍ୱ। ଜିଲ୍ଲା ପୁଲିସର ଚେହେରା କହାଯାଉଥିବା ଟାଉନ ଥାନା ବା ଆଦର୍ଶ ଥାନାର ଅଧିକାରୀ ଜଣେ ମହିଳା କେ. ପ୍ରିୟଙ୍କା ରାଉତରାୟ। ସହରର ଆଇନଶୃଙ୍ଖଳା ଜଣେ ମହିଳାଙ୍କ ହାତରେ। ସେମିତି ବଲାଙ୍ଗୀର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଜଣେ ମହିଳା ସାମୀ ଜୟଶ୍ରୀ ରେଡ୍ଡି। ସମ୍ବେଦନଶୀଳ ବଲାଙ୍ଗୀର ତହସିଲରେ ବି ଏବେ ତହସିଲଦାର ଭାବରେ ଯୋଗଦେଇଛନ୍ତି ବିଗତ ଦିନର ଓଏଏସ୍‌ ଟପର ପୁଷ୍ପାଞ୍ଜଳି ପଣ୍ଡା। ରାଜନୀତି, ପୁଲିସ ଓ ପ୍ରଶାସନିକ ସ୍ତରରେ ମହିଳାଙ୍କ ଦବଦବା ଥିବା ବେଳେ ରାଜ୍ୟ କ୍ରୀଡ଼ାରେ ବି ବଲାଙ୍ଗୀର ମହିଳାଙ୍କ ପତିଆରା କାହିଁରେ କେତେ। ବର୍ତ୍ତମାନ ରାଜ୍ୟ ମହିଳା କ୍ରିକେଟ ଟିମ୍‌ର ନେତୃତ୍ୱ ମାଧୁରୀ ମେହେଟ୍ଟା ନେଉଥିବା ବେଳେ ପ୍ରମୁଖ ଖେଳାଳି ଭାବରେ ରୋଶନାରା ପରୱିନ, ରଶ୍ମିତା ଚିନ୍ନାରା, ରାମେଶ୍ୱରୀ ନାୟକ, ସରିତା ମେହେର ରାଜ୍ୟ ମହିଳା ଟିମର ପ୍ରତିନିଧିତ୍ୱ କରୁଛନ୍ତି। ତେଣୁ ଶାରଦୀୟ ଦୁର୍ଗାପୂଜାରେ ସାଂପ୍ରତିକ ସ୍ଥିତିରେ ବଲାଙ୍ଗୀର ଜିଲ୍ଲାରେ ମହିଳାଙ୍କ ସୁପର ସୋକୁ ନେଇ ଚର୍ଚ୍ଚା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe