କର୍କଟ ସଚେତନତାରେ ନିୟୋଜିତ ହେବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ

ଚିନ୍ତା ବଢ଼ାଇଲେଣି ଏସ୍‌ଏଚ୍‌ଜି: ୪୦ ହଜାର ଦେଇ ନାହାନ୍ତି ୪୮୦ କୋଟି

photo file

ଭୁବନେଶ୍ବର : ମହିଳାମାନଙ୍କ ଭିତରେ କର୍କଟ ରୋଗର ସଚେତନତା ଓ ସ୍କ୍ରିନିଂରେ ସହଯୋଗ କରିବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)। ଘରକୁ ଘର ବୁଲି କର୍କଟ ରୋଗ ରୋଗ ବିଷୟରେ ସଚେତନତା କରିବା ସହିତ ଲୋକଙ୍କ ଭିତରେ ରୋଗପ୍ରତି ଥିବା ଭୟକୁ କିଭଳି ଦୂର ହୋଇପାରିବ ତାହା ସଂପର୍କରେ ବୁଝାଇବେ। ନିକଟରେ ରାଜ୍ୟ କମ୍ପ୍ରିହେନ୍‌ସିଭ କ୍ୟାନସର କେୟାର ପ୍ରୋଗ୍ରାମ(ଓସିସିପି)ର ବୈଠକରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମିସନ୍ ଶକ୍ତି ବିଭାଗ ସହିତ ବିସ୍ତୃତ ଭାବେ ଏ ସଂପର୍କରେ ଆଲୋଚନା କରାଯିବା ସହିତ ଚଳିତମାସ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡ଼ାଯିବ ବୋଲି ଜଣାପଡ଼ିଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ମହିଳାଙ୍କଠାରେ ସାଧାରଣଭାବେ ସ୍ତନ ଓ ଜରାୟୁ କର୍କଟ ରୋଗ ଦେଖିବାକୁ ମିଳିଥାଏ। ଦିନକୁ ଦିନ ଏହାର ମାତ୍ରା‌ ବଢ଼ିବାରେ ଲାଗିଛି। ଏହାସହ ମୁଖଗହ୍ବର ଓ ଫୁସ୍‌ଫୁସ୍ କର୍କଟ ରୋଗ ମଧ୍ୟ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି। ମାତ୍ର ମହିଳାମାନଙ୍କ ଭିତରେ ସଚେତନତାର ଅଭାବ ଯୋଗୁଁ ଏସବୁ ଚିହ୍ନଟ ହେବା ସମୟରେ ଷ୍ଟେଜ୍ ୩ କିମ୍ବା ଷ୍ଟେଜ୍ ୪ରେ ପହଞ୍ଚିଥିବା ସ୍ପଷ୍ଟ ହେଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଚିହ୍ନଟ ହୋଇପାରିଲେ ଅନେକଙ୍କ ଜୀବନ ରକ୍ଷା ହୋଇପାରିବ।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ମହିଳାମାନଙ୍କୁ କର୍କଟ ରୋଗ ସଂପର୍କରେ ସଚେତନତ କରିବା ଲାଗି ମିସନ୍ ଶକ୍ତି ବିଭାଗ ସହିତ ଆଲୋଚନା କରାଯାଇ ଏକ ରଣନୀତି ପ୍ରସ୍ତୁତ କରାଯିବ। ଏହାସହ କ୍ୟାନସର କେୟାର ସର୍ଭିସ ପାଇଁ ମଧ୍ୟ ଏନ୍‌ଜିଓମାନଙ୍କୁ ନିୟୋଜିତ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ହିଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଜ୍ୟରେ ଥିବା ଡେ-କେୟାର ସେଣ୍ଟରଗୁଡ଼ିକରୁ ନିୟମିତ ବ୍ୟବଧାନରେ ଫିଡ୍‌ବ୍ୟାକ୍ ନିଆଯିବା ସହିତ କର୍କଟ ରୋଗୀମାନଙ୍କୁ କିଭଳି ନିୟମିତ ଆଣ୍ଟି କ୍ୟାନସର ଔଷଧ ମିଳିପାରିବ ତାହାର ବ୍ୟବସ୍ଥା କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଅପର ପକ୍ଷରେ ରାଜ୍ୟ ସରକାର ୬ଟି ସ୍ଥାନରେ କର୍କଟ କେନ୍ଦ୍ରର ସ୍ଥାପନ କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। କିଛି ସ୍ଥାନରେ ବିଲ୍ଡିଂର ଡିଜାଇନ୍‌ରେ ପରିବର୍ତନ କରାଯାଇଛି। କ୍ୟାପିଟାଲ ହସ୍ପିଟାଲ ସମେତ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୋରାପୁଟ, କେନ୍ଦୁଝର, ବଲାଙ୍ଗୀର, ବାଲେଶ୍ବର, ବାରିପଦା ଓ ଭବାନୀପାଟଣା ମେଡିକାଲ କଲେଜରେ ରେଡିଓଥେରାପି ‌ୟୁନିଟ୍‌ କାର୍ଯ୍ୟକ୍ଷମ କରାଯିବ। କର୍କଟ ରୋଗ ଚିକିତ୍ସାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ରାଜ୍ୟ ସରକାର ଆସନ୍ତା ୫ବର୍ଷରେ ରାଜ୍ୟ ସରକାର ୫୭୭ କୋଟି ଟଙ୍କା ଖର୍ଚ କରିବାକୁ ଯାଉଛନ୍ତି। ଏହାସହ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ସଂପ୍ରସାରଣ ସହିତ ରୋଗର ଆଗୁଆ ଚିହ୍ନଟ ୯ଟି ସ୍ଥାନରେ ଲିନିଅର ଆକ୍ସିଲେଟର ସହିତ ରେଡିଓଥେରାପି ୟୁନିଟ୍‌, ବ୍ରାକି-ଥେରାପି, ସିଟି-ସିମୁଲେଟର ସ୍ଥାପନ କରାଯିବ। ଏଥିପାଇଁ ସ୍ବାସ୍ଥ୍ୟ ନିର୍ଦେଶାଳୟରେ ଏକ ପ୍ରକଳ୍ପ ନିରୀକ୍ଷଣ ୟୁନିଟ୍‌ ମଧ୍ୟ ସ୍ଥାପନ ହେବ। ଏହି ୟୁନିଟ୍‌ ରାଜ୍ୟର ବିଭିନ୍ନ ମେଡିକାଲରେ କର୍କଟ ରୋଗର ଅଗ୍ରଗତି ଉପରେ ନଜର ରଖିବା ସହିତ କେଉଁଠାରେ ସମସ୍ୟା ଉପୁଜୁଛି ତାହା ସଂପର୍କରେ ରାଜ୍ୟ ସରକାରଙ୍କୁ ସୂଚନା ଦେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଉଲ୍ଲେଖ ଯେ ରାଜ୍ୟ ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ରାଜ୍ୟ ସରକାରଙ୍କ ସହାୟତାରେ ରାଜଧାନୀଠାରେ ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ରୋଗ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏହାସହ ବାଗ୍‌ଚୀ-କରୁଣାଶ୍ରୟ ପାଲିଆଟିଭ୍ କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା କାର୍ଯ୍ୟ ଜାରି ରହିଛି। ଆସନ୍ତା ୨୦୨୩ ମଧ୍ୟଭାଗରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe