ନବୀନ ନିବାସ ନିକଟରେ ମହିଳାଙ୍କ ହଙ୍ଗାମା

ନ୍ୟାୟ ପାଇନଥିବା ଅଭିଯୋଗରେ ଆତ୍ମହତ୍ୟା ଉଦ୍ୟମ, ଘଣ୍ଟାଏ କସରତ ପରେ ଗଛ ଉପରୁ ଉଦ୍ଧାର

ନବୀନ ନିବାସ ନିକଟରେ ମହିଳାଙ୍କ ହଙ୍ଗାମା

ଭୁବନେଶ୍ବର : ରବିବାର ଅପରାହ୍ନରେ ନବୀନ ନିବାସ ନିକଟରେ ଜଣେ ମହିଳା ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଣ୍ଟାଏରୁ ଅଧିକ ସମୟ କସରତ କରିବା ପରେ ଅଗ୍ନିଶମ ବାହିନୀ ଓ ପୁଲିସ ମିଳିତ ଉଦ୍ୟମରେ ମହିଳାଙ୍କୁ ଗଛ ଉପରୁ ଉଦ୍ଧାର କରାଯାଇଛି। ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ହରିପୁରର ମନୋରମା ବାରିକ। ଦୀର୍ଘ ୨୩ବର୍ଷ ହେଲା ଥାନାଠୁ ଆରମ୍ଭ କରି ସରକାରୀ ସ୍ତରରେ ତାଙ୍କୁ ଅତ୍ୟାଚାର କରାଯାଉଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଗଣମାଧ୍ୟମକୁ କହିଛନ୍ତି। ତେବେ ଏ ନେଇ ମନୋରମାଙ୍କ ବିରୋଧ ଏୟାରପୋର୍ଟ ଥାନାରେ ଏକ ମାମଲା ରୁଜୁ ହୋଇଛି। ଥାନାଧିକାରୀ ଉମାକାନ୍ତ ପ୍ରଧାନ ନିଜଆଡ଼ୁ ଏହି ମାମଲା ରୁଜୁ କରିଛନ୍ତି।

ମନୋରମା କହିଛନ୍ତି, ତାଙ୍କ ଭାଇ ହତ୍ୟାକାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ପାଇଁ ସେ କୋର୍ଟରେ ସାକ୍ଷୀ ପଡ଼ିଥିବାରୁ ତାଙ୍କୁ ପ୍ରଥମେ ହରିପୁରସ୍ଥିତ ଗାଁରେ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ପରେ ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିବାରୁ ଥାନା କର୍ତ୍ତୃପକ୍ଷ ହତ୍ୟାକାରୀଙ୍କୁ ଗିରଫ କରିବା ପରିବର୍ତେ ତାଙ୍କୁ ବାନ୍ଧି ଜେଲ୍‌ରେ ଭର୍ତ୍ତି କରିଥିଲେ। ୧୯୯୮ରୁ ଭାଇର ହତ୍ୟାକାରୀ ଓ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଲଢ଼ି ଆସୁଥିବାରୁ ତାଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ମନୋରମା କହିଛନ୍ତି।

publive-image

ରବିବାର ଅପରାହ୍ନରେ ନବୀନ ନିବାସ ନିକଟରେ ଥିବା ଏକ ଗଛ ଉପରକୁ ହଠାତ୍ ମନୋରମା ଚଢ଼ିଯାଇଥିଲେ। ତଳକୁ ଡେଇଁ ଆତ୍ମହତ୍ୟା କରିବେ ସେ ବୋଲି ଚିତ୍କାର କରିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ପୁଲିସ କର୍ମଚାରୀ ଗଛରେ ଚଢ଼ି ମନୋରମାଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ। ହେଲେ ପାଖକୁ ଆସିଲେ ତଳକୁ ଡେଇଁପଡ଼ିବେ ବୋଲି ମନୋରମା ଧମକ ଦେଇଥିଲେ। ତେଣୁ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଗଛ ତଳେ ପାଲ ଧରି ଛିଡ଼ା ହୋଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ ପ୍ରାୟ ୧ଘଣ୍ଟାରୁ ଅଧିକ ସମୟ କସରତ କରିବା ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ଥାନାକୁ ଆସିବା ପରେ ମନୋରମା ସେଠାରେ ପୁଣି ହଙ୍ଗାମା କରିଥିଲେ। ଥାନାରୁ ଦୌଡ଼ି ପଳାଉଥିବା ବେଳେ ପୁଲିସ ତାଙ୍କୁ ଧରି ଥାନାରେ ରଖିଥିଲା।

ଏନେଇ ଏୟାରପୋର୍ଟ ଥାନା ଅଧିକାରୀ କହିଛନ୍ତି, ମହିଳାଙ୍କର ନିର୍ଦ୍ଦିଷ୍ଟ କିଛି ଅଭିଯୋଗ ନାହିଁ। ସେ ଯାହା ବି ଅଭିଯୋଗ ଆଣୁଛନ୍ତି, ସେ ବାବଦରେ କିଛି ବୁଝାପଡ଼ୁ ନାହିଁ। ପୂର୍ବରୁ ତାଙ୍କ ନାଁରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନାରେ ଏକ ଵାରେଣ୍ଟ୍ ଥିଲା। ସେ ଘଟଣାକୁ ନେଇ ତାଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା।

ମନୋରମାଙ୍କ କହିବା ମୁତାବକ ଗତ ୨୩ ବର୍ଷ ତଳେ ସେ ଅସଦାଚରଣର ଶିକାର ହୋଇଥିଲେ। ଏ ବାବଦରେ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଜାଣିଶୁଣି ଗିରଫ କରିନଥିଲା। ମନୋରମାଙ୍କ ଭାଇ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ହତ୍ୟା କରିଥିଲେ। ଏନେଇ ମନୋରମା ଭଦ୍ରକ ବାସୁଦେବପୁର ପୁଲିସ, ଜିଲ୍ଲା ଏସ୍‌ପି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥ‌ିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନାହିଁ। ତେଣୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି। ଅପରପଟେ ଆଜିର ଘଟଣାକୁ ନେଇ ‘ନ୍ୟାୟ ପାଇଁ ଲଢ଼େଇ ପରିବାର’ର ରାଜ୍ୟ ସଭାପତି ସୁବ୍ରତ ଦାଶ ଜାତୀୟ ମାନବାଧିକାର କମିସନଙ୍କ ପାଖରେ ଅଭିଯୋଗ କରିଛନ୍ତି।

ଢିଲା ସୁରକ୍ଷାବଳୟରେ ନବୀନ ନିବାସ!
ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭିଲ୍‌ଵାରା କିଙ୍ଗ୍ସ ଓ ମଣିପାଲ୍ ଟାଇଗର୍ସ ମଧ୍ୟରେ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଉଭୟ ଦଳର ଖେଳାଳି ଆଜି ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇ ହୋଟେଲ ମେ’ ଫାୟାର ଯିବାର ଥିଲା। ଗୋଟେ ପଟେ ବିମାନବନ୍ଦରକୁ ଅନ୍ତର୍ଜାତୀୟ ଖେଳାଳି ଆସୁଥିବା ବେଳେ ଅପରପଟେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିଲା। ଏତେ ସବୁ ସତ୍ତ୍ବେ ୧୪୪ ଧାରା ଭଳି ସମ୍ବେଦନଶୀଳ ଅଞ୍ଚଳରେ ମନୋରମା ଗଛରେ ଚଢ଼ି ଏତେବଡ଼ ଅଘଟଣ ଘଟାଇବାକୁ ଉଦ୍ୟମ କମିସନରେଟ ପୁଲିସର ଢିଲା ସୁରକ୍ଷା ବ୍ୟବସ୍ଥାକୁ ସୂଚାଉଛି। ମାଳମାଳ ପୁଲିସ ଓ ସୁରକ୍ଷା କର୍ମୀ ସତ୍ତ୍ବେ ମହିଳାଙ୍କ ଗତିବିଧି ବା କୌଣସି ପଦକ୍ଷେପକୁ ନେଇ କେମିତି ଗୁଇନ୍ଦା ପୂର୍ବ ସୂଚନା ପାଇନଥିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏଣେ ମନୋରାମ ଗଣମାଧ୍ୟମରେ କହୁଛନ୍ତି, ଗତ ୧୫ଦିନ ହେଲା ସେ ନବୀନ ନିବାସକୁ ଆସିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ଆମ ପୁଲିସ ପାଖରେ ଖବର ନା‌ହିଁ। ଯାହା ଆମ ଗୁଇନ୍ଦା ବିଭାଗର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛି। ଯଦିଓ ବଡ଼ଧରଣର ଅଘଟଣ ପୁଲିସ ଓ ଅଗ୍ନିଶମ ବାହିନୀ ଟାଳିବାକୁ ସମର୍ଥ ହୋଇଥିଲେ, ତଥାପି ଏଭଳି ବହୁ ପ୍ରଶ୍ନ ସାମ୍ନାକୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥାରେ ଯେ ଗୁରୁତର ତ୍ରୁଟି ଥିଲା, ତାହା ଜଳଜଳ ହୋଇ ଦିଶୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe