କଣ୍ଟାମାଳ : କଣ୍ଟାମାଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମସିଣାଗୋରା ଛକ ନିକଟରେ ବୁଧବାର ଭୋର୍ ୪ ଟାରେ ବନ ବିଭାଗ ପକ୍ଷରୁ ଚଢ଼ଉ କରି ଏକ କାଠ ଭର୍ତ୍ତି ଟ୍ରକ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଏକ ଟ୍ରକ୍ (ଓଆର୍ ୧୫ ଏଲ୍ ୬୨୨୯)ଟି ଉମା ନିକଟ ମୁରିଆତୁଣ୍ଡି ଜଙ୍ଗଲରୁ ମୂଲ୍ୟବାନ ଡମକୁରୁଡୁ କାଠ ନେଇ ଆସୁଥିବା ବୌଦ୍ଧ ଡିଏଫଓ ଯଶୋବନ୍ତ ସେଠୀ କୌଣସି ସୂତ୍ରରୁ ଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶରେ ଏସିଏଫ୍ ଜିତେନ୍ଦ୍ର ବେହେରା ସଦଳବଳେ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ଛକ ନିକଟରେ ଛକି ବସିଥିଲେ। ଭୋର୍ ୪ଟାରେ ଏହି କାଠ ଭର୍ତ୍ତି ଟ୍ରକ ଆସିବା ମାତ୍ରେ ଆତର୍କିତ ଚଢ଼ଉ କରି ଟ୍ରକ୍କୁ ଧରିଥିଲେ। ଏଥିସହ ଟ୍ରକ ଡ୍ରାଇଭର ସୁଦାମ ଯାଦବ(୪୮) ଓ ସହାୟକ ସଞ୍ଜୟ ସିଂ(୫୦) ଙ୍କୁ ଗିରଫ କରି କଣ୍ଟାମାଳ ଫରେଷ୍ଟ ରେଞ୍ଜର କ୍ଷୀରାବ୍ଦୀ ପ୍ରଧାନଙ୍କ ହେପାଜତରେ ଜିମା ଦେଇଥିଲେ। ଉଭୟେ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଅଞ୍ଚଳର ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କଠାରୁ ୨ଟି ମୋବାଇଲ ଓ ୪ ହଜାର ଟଙ୍କା ଜବତ ହୋଇଛି। ଏହି କାଠ ଚୋରା ଚାଲାଣ ହୋଇ ଛତିଶଗଡ଼ ରାଜ୍ୟକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନରୁ ଜଣା ପଡ଼ିଛି।
ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ରେଞ୍ଜର ପ୍ରଦୋଷ ମହାରଣା, ଫରେଷ୍ଟର ଲିଙ୍ଗରାଜ ମାଝୀ ଓ ଏପିଆର୍ ଫୋର୍ସ ସାମିଲ ଥିଲେ। ଡିଏଫ୍ଓ ଶ୍ରୀ ସେଠୀ ଦିନ ୧୦ଟାରେ କଣ୍ଟାମାଳ ରେଞ୍ଜ ଅଫିସ୍ରେ ପହଞ୍ଚି ଏହି ଘଟଣାର ତଦନ୍ତ କରିଥିଲେ। ଏ ସମ୍ପର୍କରେ କଣ୍ଟାମାଳ ଫରେଷ୍ଟ ରେଞ୍ଜର କ୍ଷୀରାବ୍ଦୀ ପ୍ରଧାନଙ୍କୁ ପଚାରିବାରୁ କାଠ ଭର୍ତ୍ତି ଟ୍ରକ ଜବତ ହୋଇଛି। ୨ ଜଣ ଚାଲାଣକାରୀଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ତଦନ୍ତ ଚାଲିଛି, ଏହି ଚୋରା ଚାଲାଣରେ ବିଭାଗୀୟ ସମ୍ପୃକ୍ତି ରହିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତବର୍ଷ ମଧ୍ୟ ଏହି ଜଙ୍ଗଲରୁ କେନ୍ଦୁକାଠ ଭର୍ତ୍ତି ଏକ ଟ୍ରକ ଆସୁଥିବା ଖବର ପାଇ ଡିଏଫ୍ଓଙ୍କ ନିର୍ଦେଶରେ ଚଢ଼ଉ କରି ଉକ୍ତ ଟ୍ରକଟିକୁ ଜବତ କରାଯାଇଥିଲା। ଏହି ଉମା ଗ୍ରାମ ନିକଟ ଜଙ୍ଗଲରୁ ବାରମ୍ବାର କାଠ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ ବିଭାଗୀୟ ରେଞ୍ଜରଙ୍କ ପାଖରେ ସୂଚନା ନଥିବା ବେଳେ ଡିଏଫ୍ଓ କେମିତି ଜାଣି ପାରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ସେହିପରି ଦୀର୍ଘଦିନ ଧରି ଏଠାରେ ଥିବା ଫରେଷ୍ଟ ଗାର୍ଡ ପ୍ରଶାନ୍ତ ବାରିକଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।
Follow Us