କାଠଚୁଲି ଭରସାରେ ୫୩୮ ସ୍କୁଲ,ମଧ୍ୟାହ୍ନ ଭୋଜନ ନାଁରେ ହରିଲୁଟ୍‌

କାଠଚୁଲି ଭରସାରେ ୫୩୮ ସ୍କୁଲ,ମଧ୍ୟାହ୍ନ ଭୋଜନ ନାଁରେ ହରିଲୁଟ୍‌

ବାଲେଶ୍ବର:  ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବା ସହିତ ସ୍କୁଲରେ ଉପସ୍ଥାପନ ବୃଦ୍ଧି ପାଇବା ଉଦ୍ଦେଶ୍ୟରେ ‘ପ୍ରଧାନମନ୍ତ୍ରୀ ପୋଷଣ ବା ମଧ୍ୟାହ୍ନ ଭୋଜନ’ର ବ୍ୟବସ୍ଥା ହୋଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଚାଲିଥିବା ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ତେବେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ସରକାର ସମସ୍ତ ସ୍କୁଲରେ ଗ୍ୟାସ୍‌ ସଂଯୋଗକୁ ଗୁରୁତ୍ବ ଦେଇଥିବା ବେଳେ ଏବେ ବି ରାଜ୍ୟରେ ଅନେକ ସ୍କୁଲରେ କାଠ ଚୁଲିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ।

ବାଲେଶ୍ବର ଜିଲ୍ଲାରେ ୨ ହଜାର ୬୪୮ ସ୍କୁଲରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରୁ ୨୧୧୦  ସ୍କୁଲରେ ରନ୍ଧନ ଗ୍ୟାସ୍‌ ରହିଛି। ବାକି ୫୩୮ଟି ସ୍କୁଲରେ କାଠ ଚୁଲିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି। ଏମିତିକି ଯେଉଁ ସ୍କୁଲରେ ଗ୍ୟାସ୍‌ ସଂଯୋଗ ଅଛି, ଅଧିକ ଖର୍ଚ୍ଚ ଦର୍ଶାଇ ସେଠାରେ ଗ୍ୟାସ୍‌ ବ୍ୟବହାର କରାଯାଉନାହିଁ। ବିଶେଷକରି ଗ୍ରାମାଞ୍ଚଳରେ ରହିଥିବା ସ୍କୁଲଗୁଡ଼ିକରେ ଗ୍ୟାସ୍‌ ବଦଳରେ ସ୍କୁଲ ପରିସରରେ ଥିବା ଗଛ ଓ ଅନ୍ୟ ସ୍ଥାନମାନଙ୍କରୁ କାଠ ସଂଗ୍ରହ କରାଯାଇ ରୋଷେଇ କରାଯାଉଛି। ସରକାର ମଧ୍ୟାହ୍ନ ଭୋଜନ ପାଇଁ ଯେତିକି ଟଙ୍କା ଦେଉଛନ୍ତି ତାହା ନିଅଣ୍ଟ ପଡ଼ୁଛି।

ଗ୍ୟାସ୍‌ଠୁ ଆରମ୍ଭ କରି ଡାଲି, ଅଣ୍ଡା ଓ ଅନ୍ୟାନ୍ୟ ସାମଗ୍ରୀର ଦର ଅହେତୁକ ବୃଦ୍ଧି ପାଇଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବାବଦରେ ସରକାର ପ୍ରତ୍ୟହ ୫ ଟଙ୍କା ୪୨ ପଇସା ଦେଉଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୮ ଟଙ୍କା ୧୦ ପଇସା ଦେଉଛନ୍ତି। ଏତିକି ଟଙ୍କାରେ ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦେବା ସମ୍ଭବପର ହେଉନାହିଁ ବୋଲି ଏକ ସ୍କୁଲର ପ୍ରଧାନଶିକ୍ଷକ ନିଜ ନାମ ଗୋପନ ରଖି କହିଛନ୍ତି। ବହୁ ସ୍କୁଲ ଗ୍ୟାସ୍‌ ଫିଲିଂ ନକରି ସେମିତି ‌ରଖିଦେଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ୪୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲରେ ଗ୍ୟାସ୍‌ ସଂଯୋଗ ହୋଇଥିବା ବେଳେ ଏହାଠୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧନ ଗ୍ୟାସ୍‌ ସୁବିଧା ନାହିଁ।

ମଧ୍ୟାହ୍ନ ଭୋଜନ ନାଁରେ ହରିଲୁଟ୍‌ ଚାଲିଛି। ଏ କଥାକୁ କିଛି ସ୍କୁଲର ପ୍ରଧାନଶିକ୍ଷକ ସ୍ବୀକାର ମଧ୍ୟ କରିଛନ୍ତି। ସରକାର ‌ମଧ୍ୟାହ୍ନଭୋଜନ ବାବଦକୁ ଯେଉଁ ଟଙ୍କା ଦେଉଛନ୍ତି, ସେଥିରେ ରନ୍ଧନ ଗ୍ୟାସ୍‌ ବ୍ୟବହାର କରିବା ସମ୍ଭବ ନୁହେଁ। କାରଣ ଏଲ୍‌ପିଜି ସିଲିଣ୍ଡର ଆସି ୧୦୦୦ ଟଙ୍କାରେ ପହଞ୍ଚିଲାଣି। ଯେଉଁ ସ୍କୁଲରେ ଗ୍ୟାସ୍‌ ବ୍ୟବହାର କରାଯାଉଛି, ସେଠି ଖର୍ଚ୍ଚ ଭରଣା ପାଇଁ ଅଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଦର୍ଶାଯାଉଛି। ସ୍କୁଲ ପିଛା ୫୦ କେଜି ଚାଉଳ ଯୋଗାଣ ହେଉଥିବା କୁହାଯାଉଥିଲେ ମଧ୍ୟ ବୁରାରେ ୫ରୁ ୮ କିଲୋ ଯାଏ କମ୍ ରହୁଛି। ଅନେକ ସ୍କୁଲରେ ଶତପ୍ରତିଶତ ଉପସ୍ଥାନ ନଥିଲେ ମଧ୍ୟ ସଂପୂର୍ଣ୍ଣ ଉପସ୍ଥାପନ ପକାଇ ମଧ୍ୟାହ୍ନଭୋଜନ ଟଙ୍କାକୁ ଭାଗବଣ୍ଟା କରାଯାଉଛି। ଏ ନେଇ ନିୟମିତ ଯାଞ୍ଚ ବଦଳରେ କାଁଭାଁ କେମିତି କାମଚଳା ତଦାରଖ ହେଉଛି। କରୋନା ସମୟରେ ସରକାର ପିଲାଙ୍କ ଆକାଉଣ୍ଟକୁ ମଧ୍ୟାହ୍ନଭୋଜନ ବାବଦ ଟଙ୍କା ପ୍ରଦାନ କରୁଥିଲେ। ଏଥିରେ ସ୍ବଚ୍ଛତା ରହୁଥିଲା ଏବଂ ସବୁ ଛାତ୍ରଛାତ୍ରୀ ଟଙ୍କା ପାଉଥିଲେ। ତେବେ  ସରକାର ଏବେ ପୂର୍ବବତ ରନ୍ଧାଖାଦ୍ୟକୁ ଗୁରୁତ୍ବ ଦେଇ ବାଟମାରଣାର ବାଟ ଖୋଲି ଦେଇଥିବା ଆଲୋଚିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe