ଲାଭଦାୟୀ ଉଡେନ୍‌ ରେସ୍ତୋରାଁର ଘରୋଇକରଣ କାହିଁକି?

Advertisment

ଆନ୍ଦୋଳନକୁ ଓହ୍ଲାଇବୁ, ଆଇନର ଆଶ୍ରୟ ନେବୁ: କର୍ମଚାରୀ ସଂଘ

ଆନ୍ଦୋଳନକୁ ଓହ୍ଲାଇବୁ, ଆଇନର ଆଶ୍ରୟ ନେବୁ: କର୍ମଚାରୀ ସଂଘ

ଲାଭଦାୟୀ ଉଡେନ୍‌ ରେସ୍ତୋରାଁର ଘରୋଇକରଣ କାହିଁକି?

Odisha Tourism1

ଭୁବନେଶ୍ବର : ପୁରୀକୁ ବିଶ୍ବ ଐତିହ୍ୟସ୍ଥଳରେ ପରିଣତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଅର୍ଥାତ‌ ସେଇ ଐତିହ୍ୟ ଜିଲ୍ଲାର ପର୍ଯ୍ୟଟକ ଅନୁକୂଳ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ସଂଲଗ୍ନ ଲାଭଦାୟୀ ଆକର୍ଷଣୀୟ ଉଡେନ୍‌ ରେସ୍ତୋରାଁକୁ ଘରୋଇ କମ୍ପାନିକୁ ଟେକି ଦେବାକୁ ଯୋଜନାବଦ୍ଧ ଭାବେ ଉଦ୍ୟମ ଚାଲିଛି। ଏପରିକି ଏହି ପ୍ରକଳ୍ପକୁ ପିପିପି ମୋଡ୍‌ରେ ଘରୋଇକରଣ କରିବା ପାଇଁ ବିଜ୍ଞାପନ ଦିଆସରିଛି। ବିଡ଼ମ୍ବନା ଏହି ଯେ ଓଟିଡିସି ପରିଚାଳିତ ଚନ୍ଦ୍ରଭାଗା ଉଡେନ୍‌ ରେସ୍ତୋରାଁ ଦୀର୍ଘ ବର୍ଷ ହେବ ଲାଭରେ ଚାଲୁଛି। ପ୍ରତିବର୍ଷ ଲାଭାଂଶ ବଢ଼ିବଢ଼ି ଚାଲିଛି। ଏହା ପରେ ବି ପର୍ଯ୍ୟଟନ ବିଭାଗ ଏକ ଘରୋଇ ହୋଟେଲ୍‌ ସଂସ୍ଥା ହାତକୁ ଏହି ରେସ୍ତୋରାଁ ଟେକି ଦେବା ପଛରେ କି ଉଦ୍ଦେଶ୍ୟ ରହିଛି ବୋଲି ପ୍ରଶ୍ନ ଉଠାଇଛି ଓଡ଼ିଶା ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ।

ପାନ୍ଥ ନିବାସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର କହିଛନ୍ତି, ଯଦି ପାନ୍ଥନିବାସକୁ ଘରୋଇକରଣ କରାଯାଏ, ତେବେ ପାନ୍ଥ ନିବାସରେ କାର୍ଯ୍ୟରତ ହଜାର ହଜାର କର୍ମଚାରୀ ରୋଜଗାର ହରାଇବେ। ଏଣେ କୌଣସି ବିଶେଷ କାରଣ ଓ କ୍ଷତି ନଥାଇ କୋଣାର୍କ ଉଡେନ୍‌ ରେସ୍ତୋରାଁ ଭଳି ଲାଭଦାୟୀ ସଂସ୍ଥାକୁ ବି ଘରୋଇକରଣ କରାଯିବାକୁ ଯେଉଁ ଉଦ୍ୟମ ଚାଲିଛି, ତାହା ହେବାକୁ ଦିଆଯିବ ନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜସ୍ବ ବିଭାଗ ଅଧୀନରେ ଥିବା କୋଣାର୍କ ଚନ୍ଦ୍ରଭାଗାର ଖାତା ନମ୍ବର ୨୯୮ ଓ ପ୍ଲଟ୍ ନମ୍ବର ୧୬୫୪ (ସାବକ ବାଲିଚର)ର ୧ ଏକର ଜମି ଦଖଲରେ ରହି ପ୍ରାୟ ଏକ ଦଶନ୍ଧି ହେଲା ପର୍ଯ୍ୟଟନ ବିଭାଗ ଓଟିଡିସି ମାଧ୍ୟମରେ ଏଠାରେ ରେସ୍ତୋରାଁ ଚଳେଇ ଆସୁଥିଲା। ତେଣୁ ପର୍ଯ୍ୟଟନ ବିଭାଗ ଅଗ୍ରୀମ ଦଖଲରେ ଥିବାରୁ ଉକ୍ତ ସ୍ଥାନ ବା ଜମିକୁ ସରକାରୀ ସଂସ୍ଥା ବ୍ୟତୀତ କୌଣସି ଘରୋଇ ସଂସ୍ଥାକୁ ସବ୍‌-ଲିଜ୍‌ ସୂତ୍ରରେ ଦେଇପାରିବ ନାହିଁ। ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ସହରାଞ୍ଚଳରେ ମଧ୍ୟ ରାଜସ୍ବ ବିଭାଗ ଜମିକୁ ସବ୍‌-ଲିଜ୍‌ରେ ଦେବାର କୌଣସି ନିୟମ ନାହିଁ। ତେଣୁ ପର୍ଯ୍ୟଟନ ବିଭାଗ ଉକ୍ତ ଜମିକୁ ପିପିପି ମୋଡ୍‌ରେ ଦେବା ପାଇଁ କେମିତି ବିଜ୍ଞାପନ ପ୍ରକାଶ କଲା ସେନେଇ ଶ୍ରୀ ପାତ୍ର ପ୍ରଶ୍ନ ଉଠାଇଛନ୍ତି।

ଏନେଇ ସଂଘର ସଭାପତି ଶିବାନନ୍ଦ ରାୟ କହିଛନ୍ତି, ବାତ୍ୟା କ୍ଷତିଗ୍ରସ୍ତ ହେବା ପରେ ୨ ଦିନ ମଧ୍ୟରେ ରେସ୍ତୋରାଁର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। କିନ୍ତୁ ଚକ୍ରାନ୍ତ କରାଯାଇ ଏହାର କାମ ବନ୍ଦ କରି ଦିଆଗଲା। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକଳ୍ପର ପୁନରୁଦ୍ଧାର ତୁରନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଲେ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ବୋର୍ଡ ବୈଠକରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ପ୍ରକଳ୍ପର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ବି ନିଆଗଲା। ତଥାପି ପ୍ରକଳ୍ପ ଆଣ୍ଠେଇଲା। ସେପ୍ଟେମ୍ବର ୩୦ ତାରିଖରେ କୋଣାର୍କ ଗସ୍ତରେ ଥିବା ପର୍ଯ୍ୟଟନ ସଚିବ ବିଶାଳ ଦେବ ଏହି ପ୍ରକଳ୍ପକୁ ପିପିପି ମୋଡ୍‌ରେ ଚଲାଯିବ ଏବଂ ଲିଜ୍‌ ସୂତ୍ରରେ ଦିଆଯିବ ବୋଲି ନିଷ୍ପତ୍ତି ନେଇଥିଲେ।

ତେଣୁ ପର୍ଯ୍ୟଟନ ବିଭାଗ ଏଥିରୁ ଓହରୁ ଏବଂ ସଂଘର ପ୍ରତିନିଧିମଣ୍ଡଳୀଙ୍କୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପାଇଁ ଡକାଯାଉ ବୋଲି ସେ କହିଛନ୍ତି। ନଚେତ୍ ଓଟିଡିସି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe