The News Room
ଭୁବନେଶ୍ବର : କୋଭିଡ୍ ପ୍ରଭାବିତ ରାଜ୍ୟର ଆର୍ଥିକ ସ୍ଥିତିର ଦ୍ରୁତ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହାର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନ ଉପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି। ଏସବୁର ଫଳାଫଳ ଭିତ୍ତିରେ ଆଗାମୀ ଦିନର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସୋମବାର ଏ ସମ୍ପର୍କରେ ଅଧିକ ଆଲୋଚନା ପାଇଁ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର୍ ପ୍ରଦୀପ କୁମାର ଜେନା ଓ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉନ୍ନୟନ କମିସନର୍ ଶ୍ରୀ ଜେନା କହିଥିେଲ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍ କାଳରେ ଗ୍ରାମ ଓ ସହରାଞ୍ଚଳରେ ଜୀବିକା ନିର୍ବାହ ପନ୍ଥାର ସୁଧାର ନିମନ୍ତେ ସଂପୃକ୍ତ ବିଭାଗ ମାଧ୍ୟମରେ ବିଭିନ୍ନ ପ୍ୟାକେଜ୍ ଓ କାର୍ଯ୍ୟ ଯୋଜନା ଆରମ୍ଭ କରାଯାଇଛି। କୋଭିଡ୍ ଲକ୍ଡାଉନ୍ କାଳରେ ରାଜ୍ୟ ୧.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଆକର୍ଷିତ କରିଛି। ଓଡ଼ିଶା ଏକ କୋଭିଡ୍ ନିରାପଦ ପର୍ଯ୍ୟଟନ ରାଜ୍ୟ ଭାବେ ପର୍ଯ୍ୟଟକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଛି। ଲକ୍ଡାଉନ୍ ପରବର୍ତ୍ତୀ ସମୟରେ କୃଷି, ପଶୁପାଳନ, ମତ୍ସ୍ୟଚାଷ, ପାନୀୟ ଜଳ ଯୋଗାଣ, ଏମ୍ଏସ୍ଏମ୍ଇ, ପର୍ଯ୍ୟଟନ, ପରିବହନ, ସ୍ବାସ୍ଥ୍ୟସେବା, ହସ୍ତତନ୍ତ ଓ ହସ୍ତଶିଳ୍ପ, ଗ୍ରାମାଞ୍ଚଳରେ ଅଧିକ କାର୍ଯ୍ୟଦିବସ ସୃଷ୍ଟି ସହ ନୂଆ ସମ୍ଭାବନା ବିଷୟରେ କ୍ଷେତ୍ରଭିତ୍ତିକ ତଥ୍ୟର ବୈଜ୍ଞାନିକ ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।
Follow Us