ଏସ୍‌ଏସ୍‌ଏବି ଏନର୍ଜି ଆଣ୍ଡ ମିନେରାଲ୍ସରେ ଦୁର୍ଘଟଣା! ନିଆଁରେ ପୋଡ଼ି ହୋଇ ଶ୍ରମିକ ମୃତ

ଘଟଣା ଚପାଇ ଦେବାକୁ ପୁଲିସ ଓ କମ୍ପାନି କର୍ତ୍ତୃପକ୍ଷଙ୍କ ଜୋର୍‌ଦାର୍‌ ଉଦ୍ୟମ

ଗାଡ଼ି ଧକ୍କାରେ ମା’ ମୃତ, ପୁଅ ଗୁରୁତର

new indian express

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଲାଣି ଥାନା ହରମଠଠାରେ ଥିବା ଏସ୍‌ଏସ୍‌ଏବି ଏନର୍ଜି ଆଣ୍ଡ ମିନେରାଲ୍ସ ଲିମିଟେଡ୍‌ ନାମକ କାରଖାନା‌ରେ ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ବେସୋ ମୁଣ୍ଡା (୩୨)। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଉଭୟ କମ୍ପାନି କର୍ତ୍ତୃପକ୍ଷ ଏବଂ ପୁଲିସ ଘଟଣାକୁ ଚପାଇ ଦେବାକୁ ଜୋରଦାର ଉଦ୍ୟମ କରିଛନ୍ତି।

ଗତକାଲି ବେସୋ ମୁଣ୍ଡା କାରଖାନାକୁ କାମ କରିବାକୁ ଯାଇଥିଲେ। ଅପରାହ୍‌ଣ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ତାଙ୍କର ଡ୍ୟୁଟି ଥିଲା। କିନ୍ତୁ ରାତିରେ ସେ ଆଉ ଘରକୁ ଫେରି ନଥିଲେ। ରବିବାର ସକାଳୁ ପରିବାର ଲୋକେ ବେସୋ ବଡ଼ବିଲ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ପାଇଥିଲେ। ସେଠାରେ ପହଞ୍ଚିଲା ବେଳକୁ ତାଙ୍କର ମୃତଦେହ ଶବ ବ୍ୟବଚ୍ଛେଦ ଗୃହରେ ଥିବା ଜାଣିବାକୁ ପାଇଥିଲେ। ଶବ ବ୍ୟବଚ୍ଛେଦର ୮ ଘଣ୍ଟା ପରେ ମଧ୍ୟ କମ୍ପାନି କର୍ତ୍ତୃପକ୍ଷ କିମ୍ବା ବଲାଣି ପୁଲିସ କେଉଁ ପରିସ୍ଥିତିରେ ବେସୋଙ୍କ ମୃତ୍ୟୁ ଘଟିଲା ସେ ସମ୍ପର୍କରେ ପରିବାର ଲୋକଙ୍କୁ କିଛି ଜଣାଇ ନଥିଲେ। ଏପରିକି ପୁଲିସ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ମୃତକଙ୍କ ନାମ କହି ନଥିଲା। ମାତ୍ର ବଲାଣି ପୁଲିସ ପକ୍ଷରୁ ଯେଉଁ କାହାଣୀ କୁହାଯାଇଛି, ତାହା ସାଂଘାତିକ ସନ୍ଦେହ ସୃଷ୍ଟି କରିଛି। ପୁଲିସ କହିଛି ଯେ, ବେସୋ ପ୍ରଚୁର ମଦ ପିଇଥିଲେ। କାରଖାନା ପରିସରରେ ଅନ୍ୟ କିଛି ଶ୍ରମିକଙ୍କ ସହ ମିଶି ନିଆଁ ପୁଇଁବା ବେଳେ ସେ ନିଆଁରେ ପଡ଼ିଯାଇଥିଲେ। ତାଙ୍କର ଅପସ୍ମାର ବେମାରି ଥିବାରୁ ସେ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ବେସୋ ନିଆଁ‌ରେ ପଡ଼ିଯିବା ପରେ ଅନ୍ୟ ଶ୍ରମିକମାନେ ତାଙ୍କୁ ଛାଡ଼ି ସେଠାରୁ ଚାଲି ଯାଇଥିବା ପୁଲିସ କହିଛି।

ପୁଲିସର ଏଭଳି ମନଗଢ଼ା କହାଣୀକୁ ପରିବାର ଲୋକେ ସହଜରେ ହଜମ କରିପାରି ନାହାନ୍ତି। ଯଦି ବେସୋ ନିଆଁରେ ପଡ଼ିଗଲେ ସେଠାରେ ଥିବା ଅନ୍ୟ ଶ୍ରମିକମାନେ କାହିଁକି ତାଙ୍କୁ ଉଦ୍ଧାର କଲେ ନାହିଁ। ରାତିରେ କାହିଁକି ପରିବାର ଲୋକଙ୍କୁ ଖବର ଦିଆଗଲା ନାହିଁ। ଏଭଳି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାକୁ ଉଭୟ ପୁଲିସ ଏବଂ କାରଖାନା କର୍ତ୍ତୃପକ୍ଷ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି। ତେବେ, ୧୩ ବର୍ଷ ତଳେ ପ୍ରତିଷ୍ଠିତ ଏସ୍‌ଏସ୍‌ଏବି ଏନର୍ଜି ଆଣ୍ଡ ମିନେରାଲ୍ସ ଲିମିଟେଡରେ ଅନେକ ସମୟରେ ସୁରକ୍ଷା ଅଭାବରୁ ଦୁର୍ଘଟଣା ଘଟୁଥିବାର ନଜିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe