ପରିଚୟପତ୍ର ଦେଖାଇ ଯାଇପାରିବେ ଶ୍ରମିକ: ସବୁ ଜିଲ୍ଲାପାଳ, ପୁଲିସ କମିସନର, ମହାନଗର ନିଗମ କମିସନରଙ୍କୁ ଚିଠି

ଅସଂଗଠିତ ଶ୍ରମିକଙ୍କ ସୁରକ୍ଷା ସଂପର୍କିତ ଆଇନ କାର୍ଯ୍ୟକାରୀ ପ୍ରସଂଗ: ସରକାରଙ୍କ ସତ୍ୟପାଠ ଦାଖଲ, ମାର୍ଚ୍ଚ ୨୧ରେ ପରବର୍ତ୍ତୀ ଶୁଣାଣି

NewsClick

ଭୁବନେଶ୍ବର: ଲକ୍ ଡାଉନ୍ ବା ତାଲାବନ୍ଦ ସମୟରେ ନିର୍ମାଣ କାର୍ଯ୍ୟ ପାଇଁ ସରକାର କଟକଣା କୋହଳ କରିଛନ୍ତି। ଏଭଳି ସ୍ଥିତିରେ ଶ୍ରମିକମାନଙ୍କ ଯିବାଆସିବା ପାଇଁ ସେମାନଙ୍କ ସଂସ୍ଥା କିମ୍ବା କମ୍ପାନି ଦ୍ବାରା ପ୍ରଦାନ କରାଯାଇଥିବା ପରିଚୟ ପତ୍ର ଗ୍ରହଣୀୟ ହେବ। ଏ ନେଇ ଆଜି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳ, ଭୁବନେଶ୍ବର-କଟକ ପୁଲିସ କମିସନରେଟ୍‌ କମିସନର ଓ ସମସ୍ତ ମହାନଗର ନିଗମ କମିସନରଙ୍କୁ ଚିଠି ଲେଖି ସରକାରଙ୍କ ଦ୍ବାରା ଜାରି ମାର୍ଗଦର୍ଶିକା ବିଷୟରେ ପୁଣି ଥରେ ଅବଗତ କରାଇଛନ୍ତି। ଚିଠିରେ ଶ୍ରୀ ଜେନା ଦର୍ଶାଇଛନ୍ତି ଯେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶତାଧିକ ଶ୍ରମିକମାନଙ୍କୁ ପୁଲିସ ଓ ଜିଲ୍ଲା ପ୍ରଶାସନ ପାସ୍‌ ଦେବା ସମ୍ଭବ ନୁହେଁ। ସେଥିପାଇଁ କଟକଣା କୋହଳ ସମୟରେ ପରିଚୟ ପତ୍ର ଆଧାରରେ ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ରକୁ ଯିବାକୁ ଅନୁମତି ପ୍ରଦାନ କରାଯାଇପାରିବ। ଅନୁମତି ପାଇଥିବା ସଂସ୍ଥା କିମ୍ବା ଦୋକାନ ସେମାନଙ୍କ କର୍ମଚାରୀଙ୍କ ତାଲିକା ପ୍ରଦାନ କରିବେ। ଶ୍ରମିକମାନେ ପାଦରେ ଚାଲି କିମ୍ବା ବାଇସାଇକେଲ୍‌ ବ୍ୟବହାର କରି କାର୍ଯ୍ୟକ୍ଷେତ୍ରକୁ ଯାଇପାରିବେ। ଯଦି କୌଣସି ସଂସ୍ଥା ଅଧିକ ଲୋକଙ୍କୁ ନେବା ପାଇଁ ଆବଶ୍ୟକ କରନ୍ତି, ତାହେଲେ ସମ୍ପୃକ୍ତ ସଂସ୍ଥା ପାସ୍‌ ମିଳିଥିବା ଯାତ୍ରୀବାହୀ ଗାଡ଼ିରେ ସର୍ବାଧିକ ୪୦% ଶ୍ରମିକଙ୍କୁ ସାମାଜିକ ଦୂରତା ରକ୍ଷା କରି ପରିବହନ କରିପାରିବ।

ଯାତ୍ରୀବାହୀ ଗାଡ଼ିର ପାସ୍‌ ପାଇଁ ସମ୍ପୃକ୍ତ ସଂସ୍ଥା କିମ୍ବା କମ୍ପାନି ସେହି ଜିଲ୍ଲାର ଜିଲ୍ଲାପାଳ କିମ୍ବା ଆଞ୍ଚଳିକ ପରିବହନ ଅଧିକାରୀ ଅବା ପୌର ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଆବେଦନ କରିପାରିବ। ଭୁବନେଶ୍ବର-କଟକ ପୁଲିସ କମିସନର ମଧ୍ୟ ପାସ୍‌ ଦେଇପାରିବେ। ଜାତୀୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ କେବଳ ଖାଦ୍ୟ ପାର୍ସଲ୍‌ ଦେଇପାରିବେ। ଏହାସହିତ ସୁସ୍ଥ ପରିବେଶ ପାଇଁ ଢାବା ମାଲିକମାନେ ଟଏଲେଟ୍‌ ବ୍ୟବସ୍ଥା କରିବା ବାଞ୍ଛନୀୟ। କୌଣସି ବି ପରିସ୍ଥିତିରେ କେହି ବ୍ୟକ୍ତି ଯେପରି ବାହାରେ ମଳ ମୁତ୍ର ତ୍ୟାଗ ନ କରନ୍ତି, ତା ଉପରେ ଗୁରୁତ୍ବ ଦିଆଯିବ। ଆନ୍ତଃଜିଲ୍ଲାରୁ ଶ୍ରମିକମାନଙ୍କୁ ଆଣିବା ବା ପଠାଇବାକୁ ହେଲେ, ସମ୍ପୃକ୍ତ ଠିକାଦାର ଜିଲ୍ଲାପାଳଙ୍କୁ ନିର୍ଦ୍ଦିଷ୍ଟ ଭାବେ ଲେଖି କରି ଜଣାଇବେ। ସ୍ଥାନାନ୍ତରିତ ହେଉଥିବା ଶ୍ରମିକମାନଙ୍କ ରହିବା ପାଇଁ ଆବାସିକ ବ୍ୟବସ୍ଥା ସମ୍ପୃକ୍ତ ଠିକାଦାର ଯୋଗାଇବେ।

କୋଭିଡ୍‌ ହଟ୍‌ସ୍ପଟ୍‌ ନ ଥିବା ଜିଲ୍ଲାରେ ଗାଡ଼ି ମରାମତି, ବ୍ୟାଟେରୀ ଦୋକାନ, ସ୍ପେୟାର୍‌ ପାର୍ଟ୍‌ସ୍‌ ଦୋକାନ ଏଣିକି ସବୁଦିନ ଖୋଲା ରହିବ। ଏହିସବୁ ଜିଲ୍ଲାର ଜିଲ୍ଲାପାଳ କିମ୍ବା ମହାନଗର ନିଗମ କର୍ତ୍ତୃପକ୍ଷ ଏହି ଦୋକାନଗୁଡ଼ିକର ଖୋଲିବା ଓ ବନ୍ଦ ହେବା ସମୟ ନିର୍ଦ୍ଧାରିତ କରିବେ। ତାଲାବନ୍ଦ ଅବଧି ନ ଯିବା ଯାଏ ଗୋଟିଏ ସ୍ଥାନରେ ଲାଗିଲାଗି ଥିବା ୫ଟି ଦୋକାନକୁ ଖୋଲିବାକୁ ଅନୁମତି ଦିଆଯିବନି। ଏହାଦ୍ବାରା ଲୋକଙ୍କ ଗହଳି ହୋଇ ସାମାଜିକ ଦୂରତା ରକ୍ଷା କରିବାରେ ବାଧା ଉପୁଜିବ। କିନ୍ତୁ ଏହି କୋହଳ ବ୍ୟବସ୍ଥା କରୋନା ସଂକ୍ରମଣ ଯୋଗୁଁ ଘୋଷିତ କୌଣସି ବି ନିଷିଦ୍ଧାଞ୍ଚଳ ପାଇଁ ଲାଗୁ ହେବ ନାହିଁ। କରୋନା ଭୂତାଣୁ ପ୍ରତିହତ କରିବା ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ମହାନଗର ନିଗମ କମିସନର କଟକଣା ଜାରି କରିବାରେ ବାରଣ ନାହିଁ। ଯେଉଁ ଜିଲ୍ଲାର କେତେକ ଅଞ୍ଚଳ ରେଡ୍‌ କିମ୍ବା ଅରେଞ୍ଜ୍‌ ଜୋନ୍‌ ବୋଲି ଚିହ୍ନଟ ହୋଇଛି, ସେସବୁ ଅଞ୍ଚଳରେ ଜିଲ୍ଲାପାଳ କିମ୍ବା ମହାନଗର ନିଗମ କମିସନର ସ୍ଥାନୀୟ ପରିସ୍ଥିତିକୁ ଦେଖି ଦୋକାନ ଖୋଲିବା ଉପରେ ନିଷ୍ପତ୍ତି ନେବେ। ଅନ୍ୟପଟେ ପ୍ରଭାବିତ ହୋଇନଥିବା ଅଞ୍ଚଳରେ ଲୋକଙ୍କ ସୁବିଧା ପାଇଁ ଦୋକାନ ଓ ଯିବାଆସିବା କୋହଳ ଉପରେ ନିଷ୍ପତ୍ତି ନେବାର ସମସ୍ତ ଅଧିକାର ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯାଇଛି ବୋଇି ଏସ୍‌ଆର୍‌ସି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe