କଳିଙ୍ଗନଗର ଶିଳ୍ପାଞ୍ଚଳରେ ଶ୍ରମିକ ଅଶାନ୍ତି; ଦୁଇ କାରଖାନା ଆଗରେ ଧାରଣା

କଳିଙ୍ଗନଗର ଶିଳ୍ପାଞ୍ଚଳରେ ଶ୍ରମିକ ଅଶାନ୍ତି; ଦୁଇ କାରଖାନା ଆଗରେ ଧାରଣା

ଯଖପୁରା : କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦିନକୁ ଦିନ ଶ୍ରମିକ ଅଶାନ୍ତି ବଢ଼ିବାରେ ଲାଗିଛି। ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବୁଧବାର ସକାଳୁ ମୈଥାନ ଇସ୍ପାତ ଓ ନ୍ୟୁ ଭିସ୍ତା ସିମେଣ୍ଟ କାରଖାନା ସମ୍ମୁଖରେ ଶତାଧିକ ଶ୍ରମିକ ଧାରଣା ଦେଇଛନ୍ତି। ମୈଥାନରେ ଦରମା ବୃଦ୍ଧି ପାଇଁ ଅନେକ ଆଲୋଚନା ପରେ ଷାଠିଏ ଟଙ୍କା ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିଲା। ଶ୍ରମିକ ସଂଘ ଏହି ବୃଦ୍ଧିକୁ ବାର୍ଷିକ କରିବା ପାଇଁ ଜିଦ୍ ଧରିଥିବାବେଳେ କାରଖାନା କର୍ତ୍ତୃପକ୍ଷ ତିନିବର୍ଷ ପାଇଁ ଲାଗୁ କରିବା ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ଆଗାମୀ ତିନିବର୍ଷ ମଧ୍ୟରେ ଶ୍ରମିକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ କୌଣସି ଆଲୋଚନା ହେବ ନାହିଁ କି ବଢ଼ିବ ନାହିଁ। ଆଜିର ଆନ୍ଦୋଳନ ଫଳରେ କୌଣସି ଶ୍ରମିକ କାରଖାନା ମଧ୍ୟକୁ ପ୍ରବେଶ କରି ନ ଥିଲେ। କେବଳ କର୍ମଚାରୀ ଓ ଅଧିକାରୀଙ୍କୁ ନେଇ କାରଖାନା ଚାଲୁ ରହିଥିଲା। ଅପରାହ୍‌ଣରେ କାରଖାନା ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଆଲୋଚନା କରିଥିଲେ। ଆସନ୍ତା ଶୁକ୍ରବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ଶ୍ରମିକ ସଂଗଠନ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସେହିପରି ନ୍ୟୁ ଭିସ୍ତା ସିମେଣ୍ଟ କାରଖାନାରେ ୟୁନିଅନ ଗଢ଼ିବା, ସ୍ଥାନୀୟ ନିଯୁକ୍ତି, ଶ୍ରମିକଙ୍କ ଦରମା ବୃଦ୍ଧି ଆଦି ଦାବିରେ କଳିଙ୍ଗନଗର ମଜଦୁର ସଂଘ ତରଫରୁ ଆନ୍ଦୋଳନ ଡାକରା ଦିଆଯାଇଛି। ଠିକା ଶ୍ରମିକମାନେ ବିଭିନ୍ନ ଦାବି ନେଇ କାରଖାନାର ଫାଟକ ବନ୍ଦ କରି ପ୍ରତିବାଦ ଜଣାଇଥିଲେ। ଜମିହରାଙ୍କୁ ନିଯୁକ୍ତି, ଦରମା ବୃଦ୍ଧି ଓ ଶ୍ରମିକ ସଂଗଠନ ଗଢ଼ିବା ପାଇଁ ଦାବି କରିଥିବାବେଳେ କାରଖାନା କର୍ତ୍ତୃପକ୍ଷ ସମସ୍ତ ଦାବି ଉପରେ ଆଲୋଚନା କରି ସମାଧାନ କରିବା ପାଇଁ ଏକମାସ ସମୟ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe