ଭୁବନେଶ୍ୱର : ଆଧ୍ୟାତ୍ମିକ ଚିନ୍ତା ଦ୍ବାରା ହିଁ ଏଡ୍ସ ଭଳି ରୋଗରୁ ଆମକୁ ମୁକ୍ତି ମିଳିପାରିବ। ଏଚ୍ଆଇଭି ପାଇଁ ଔଷଧ ଏ ଯାଏ ବାହାରିନି। ତେବେ ଆମେ ସଚେତନ ହୋଇପାରିଲେ ହିଁ ଏଡ୍ସକୁ ରୋକିପାରିବା। ଯୁବକମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କୁ ନେଇ ଦେଶ ସ୍ୱପ୍ନ ଦେଖୁଛି। ତେଣୁ ଖାଲି ମଣିଷ ଜନ୍ମ ନେଇଗଲେ ହେବନି। ମଣିଷପଣିଆ ବିଚାରଧାରା ଓ ଭାବନା ରହିବା ଜରୁରୀ ବୋଲି ଆଜି ‘ବିଶ୍ୱ ଏଡ୍ସ୍ ଦିବସ’ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ କହିଛନ୍ତି।
ଜୟଦେବ ଭବନରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗେଦେଇ ଶ୍ରୀ ମାର୍ଣ୍ଡିଂ କହିଲେ, ସରକାର ଏଚ୍ଆଇଭି ପୀଡ଼ିତଙ୍କୁ ସମାଜିକ ଓ ଆର୍ଥିକ ସହାୟତା ଦେଉଛନ୍ତି। ପିଲାଙ୍କୁ ସଚେତନ କରାଇ ପାରିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା ଯୋଗ ଦେଇ କହିଲେ, ରାଜ୍ୟରେ ଏଡ୍ସ ରୋଗୀଙ୍କ ସଂଖ୍ୟା ଆନୁପାତିକ ଭାବେ କମୁଛି। ୨୦୧୦ରୁ ୨୦୧୭ ମଧ୍ୟରେ ରୋଗୀ ସଂଖ୍ୟା ୦.୩୧ରୁ ୦.୧୩କୁ କମାଇ ଦିଆଯାଇଛି। ଓଡ଼ିଶାରେ ଏହା ୦.୧୩ ପ୍ରତିଶତ ରହିଥିବା ବେଳେ ଜାତୀୟସ୍ତରରେ ଏହାର ହାର ୦.୨୨ ପ୍ରତିଶତ ରହିଛି। ଗର୍ଭବତୀଙ୍କ ଏଚ୍ଆଇଭି ଚିହ୍ନଟ ପାଇଁ ପ୍ରତି ତିନି ମାସରେ ଥରେ ଏଚ୍ଆଇଭି ପରୀକ୍ଷା ବାଧ୍ୟତାମୂଳକ ରଖାଯାଇଛି। ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ସମୀର କୁମାର ଦାସ, ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ରାମଚନ୍ଦ୍ର ରାଉତ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାକ୍ତର ସରୋଜ ନାୟକ ପ୍ରମୁଖ ଏଥିରେ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ଦୃଷ୍ଟିହୀନ ଶିଶୁଙ୍କ ପାଇଁ ବ୍ରେଲ୍ ବୁକ୍ ଓ ମୂକ ବଧିର ପିଲାଙ୍କ ପାଇଁ ସାଇନ୍ ଲାଙ୍ଗୁଏଜ୍ ସିଡି ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକରେ ଦୃଷ୍ଟିହୀନ ଓ ମୂକ ବଧିର ଶିଶୁଙ୍କୁ ଏଡ୍ସ ସଚେତନତା ପାଇଁ ବାର୍ତ୍ତା ଦିଆଯାଇଛି। ଏହି ଅବସରରେ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ପୁସ୍ତକକୁ ମଧ୍ୟ ମୁଖ୍ୟ ଅତିଥି ଉନ୍ମୋଚିତ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ସଚେତନତା ପାଇଁ ଶୋଭାଯାତ୍ରା ସହ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।
Follow Us