ଜୟପୁର: ବେଙ୍ଗାଲୁରୁ ବିଶ୍ବ କଫି ସମ୍ମିଳନୀରେ ଯୁବ ଉଦ୍ୟୋଗୀ ସମ୍ବିତ ପଣ୍ଡାଙ୍କ ‘‘କୋରାପୁଟ ଏ-୧ କଫି’’କୁ ଫ୍ଲେଭର ଅଫ୍ ଇଣ୍ଡିଆର ମାନ୍ୟତା ମିଳିବା ସହ ଏଥି ପାଇଁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି। କୋରାପୁଟପରି ଉପାନ୍ତ ଜିଲ୍ଲାରେ ଉତ୍ପାଦିତ ହେଉଥିବା ଉନ୍ନତମାନର କଫିରୁ ପ୍ରସ୍ତୁତ କରାଯାଉଥିବା କଫି ଏହି ସମ୍ମାନ ପାଇବା ପର କୋରାପୁଟ ଜିଲ୍ଲା ଓ ଦେଶକୁ ଏ ଦିଗରେ ସ୍ବତନ୍ତ୍ର ମାନ୍ୟତା ଦିଲେଇଛନ୍ତି।
ସୂଚନା ଅନୁଯାୟୀ, ପ୍ରତ୍ୟେକ ପାଂଚ ବର୍ଷରେ ଥରେ ବିଶ୍ବ କଫି ସମ୍ମିଳନୀ ବିଭିନ୍ନ ଦେଶରେ ଆୟୋଜିତ ହୋଇଥାଏ। ଏଥରକ ଭାରତସରକାରଙ୍କ ପକ୍ଷରୁ ବାଙ୍ଗାଲୁରରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ କୋରାପୁଟଜିଲ୍ଲା ପକ୍ଷରୁ କୋରାପୁଟ –ଏ-୧କଫି ତାହାର ତିନୋଟି ନମୁନା ଆରବିକା ୱାସଡ, ଆରବିକା ନ୍ୟାଚୁରାଲ ଏବଂ ଆରବିକା ସେମି ୱାସଡ ଫ୍ଲେଭର ଅଫ ଇଣ୍ଡିଆ –ଦି ଫାଇନ୍ କଫ୍ ଆୱାର୍ଡ ୨୦୨୩ ଭାଗ ନେଇଥିଲା। ଆରବିକା ନ୍ୟାଚୁରାଲ ଏବଂ ଆରବିକା ସେମି ୱାସଡ ପ୍ରଥମ ୫ଟି ଉତ୍ପାଦ ମଧ୍ୟରେ ସାମିଲ ହୋଇଥିଲା। ଏଥିରେ ଆରବିକା ସେମି ୱାସଡ୍ କୁ ଫ୍ଲେଭର ଅଫ ଇଣ୍ଡିଆ –ଦି ଫାଇନ୍ କଫ୍ ଆୱାର୍ଡ ୨୦୨୩ରେପ୍ରଥମ ସ୍ଥାନ ଲାଭ କରିଥିଲେ। ଏହାର ପରିଚାଳକ ଯୁବ ଉଦ୍ୟୋଗୀ ସମ୍ବିତ ପଣ୍ଡାଙ୍କୁ ଏହି ଅବସରରେ ପୁରସ୍କୃତ କରିବା ସହ ସମ୍ବର୍ଦ୍ଦିତ କରାଯାଇଥିଲା।
ପ୍ରକାଶ ଯୋଗ୍ୟ, ୧୯୯୭ମସିହାରେ ସମ୍ବିତଙ୍କ ଜେଜେବାପା ସ୍ବର୍ଗତ ହରିଶ୍ଚନ୍ଦ୍ର ପଣ୍ଡା କୋରାପୁଟ ଜିଲ୍ଲାର ପୋଡାଗଡ଼ ଠାରେ ସପ୍ତଗିରୀ ପ୍ଲାଣ୍ଟେସନ୍ ନାଁରେ କପି ବଗିଚା ଆରମ୍ଭ କରିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ତାଙ୍କ ପୁଅ ସୁକାନ୍ତ ପଣ୍ଡା ଓ ବୋଉ ସଂଧ୍ୟାରାଣୀ ପଣ୍ଡା ପରିଚାଳନା କରି ଆସୁଥିଲେ। ୨୦୨୦ମସିହାରେ ସ୍ବତନ୍ତ୍ର କଫି ଉତ୍ପାଦନ ଉପରେ ଜିଲ୍ଲା କଫି ବୋର୍ଡ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆର୍କିଟେକ୍ଟ ଭାବେ ଘରୋଇ କଂପାନୀରେ କାର୍ଯ୍ୟରତ ସମ୍ବିତ ନିଜ ଚାକିରୀ ଛାଡି ନିଜ ପାରିବାରିକ ଚାଷରେ ମନୋନିବେଶ କରି କଫିର ବ୍ରାଣ୍ଡିଂ କରି ବିଶ୍ବସ୍ତରରେ ପହଚାଂଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ନିଜ ପାରିବାରିକ ଚାଷ ଓ ବ୍ୟବସାୟକୁ ସମ୍ବିତ ସମ୍ଭାଳିବା ସହ ଏହାକୁ ନୂତନ ସ୍ତରରେ ପହଚାଂଇ ପାରିଛନ୍ତି। କୋରାପୁଟ ଜିଲ୍ଲାରୁ ଉତ୍ପାଦିତ କୋରାପୁଟ-ଏ-୧ କଫିକୁ ବିଶ୍ବମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଧିଲେଇବା ଲକ୍ଷ୍ୟ ବୋଲି କହିଛନ୍ତି ସମ୍ବିତ। ଯୁବଉଦ୍ୟୋଗୀଙ୍କ ଏଭଳି ଉଦ୍ୟମ ନିଶ୍ଚିତ ରୁପେ କର୍ମସଂସ୍ଥାନ, ଉଦ୍ୟୋଗରେ ମନୋନିବେଶ କରିବାକୁ ଚାହୁଁଥିବା ଯୁବକ ଓଯୁବତୀଙ୍କୁ ନୂଆ ମାର୍ଗଦର୍ଶନ ଦେବ ଏଥିରେ ଦ୍ବିମତ ନାହିଁ।
Follow Us