ବିଶ୍ବ ମ୍ୟାଲେରିଆ ରିପୋର୍ଟରେ ଓଡ଼ିଶା ମଡେଲ

Advertisment

୧୦ ମାସରେ ୫୫ ପ୍ରତିଶତ ମ୍ୟାଲେରିଆ କମିଛି

୧୦ ମାସରେ ୫୫ ପ୍ରତିଶତ ମ୍ୟାଲେରିଆ କମିଛି

ବିଶ୍ବ ମ୍ୟାଲେରିଆ ରିପୋର୍ଟରେ ଓଡ଼ିଶା ମଡେଲ

ଭୁବନେଶ୍ବର : ବିଶ୍ବରେ ମ୍ୟାଲେରିଆ ନିରାକରଣ ଦିଗରେ ପ୍ରଶଂସିତ ହୋଇଛି ଓଡ଼ିଶା ମଡେଲ। ଚଳିତବର୍ଷ ବିଶ୍ବ ମ୍ୟାଲେରିଆ ରିପୋର୍ଟରେ ଓଡ଼ିଶାର ମଡେଲ ବିଶ୍ବସ୍ତରରେ ‌ଶ୍ରେଷ୍ଠ ପ୍ରତିପାଦିତ ହୋଇଛି। ମ୍ୟାଲେରିଆ ନିରାକରଣ ଦିଗରେ ଓଡ଼ିଶା ନେଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ। ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସଚିବ ଡା. ପ୍ରମୋଦ କୁମାର ମେହେର୍ଦା ଓ ତାଙ୍କ ଟିମ୍‌କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଚିବ ପ୍ରୀତି ସୁଦନ ଏହି ମର୍ମରେ ଚିଠି ଲେଖିଛନ୍ତି।

ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୧୬ ମସିହା ତୁଳନାରେ ୨୦୧୭ ମସିହାରେ ୨୨.୩୨ ପ୍ରତିଶତ ମ୍ୟାଲେରିଆ ହ୍ରାସ ପାଇଛି। ଚଳିତବର୍ଷ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ୫୫ ପ୍ରତିଶତ ମ୍ୟାଲେରିଆ ହ୍ରାସ ପାଇଥିବା ବେଳେ କେବଳ ଫାଲ୍‌ସିଫେରମ୍ ମ୍ୟାଲେରିଆ ୬୬ ପ୍ରତିଶତ ହ୍ରାସ ପାଇଛି। ରାଜ୍ୟର ୧୭ଟି ଅତ୍ୟଧିକ ମ୍ୟାଲେରିଆପ୍ରବଣ ଜିଲ୍ଲାରେ ୧.୧୩ କୋଟି ଔଷଧୀୟ ମଶାରୀ ବଣ୍ଟନ କରାଯାଇଛି। ଏହାସହ ‘ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ବା ଦମନ’ ଯୋଜନା ରାଜ୍ୟର ୨୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଛି। ୩ଟି ପର୍ଯ୍ୟାୟରେ ୪ହଜାରରୁ ଅଧିକ ଶିବିର ଜରିଆରେ ୧୪ ଲକ୍ଷ ୧୯ହଜାର ୧୨୧ ହିତାଧିକାରୀଙ୍କ ମ୍ୟା‌ଲେରିଆ ରୋଗର ରକ୍ତ ପରୀକ୍ଷା କରାଯାଇଛି। ଏଥିରେ ୬୮ ହଜାର ୬୩୧ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ସଂପୂର୍ଣ୍ଣ ଚିକିତ୍ସା ପ୍ରଦାନ କରାଯାଇଛି। ଫଳରେ ଏହି ସବୁ ଜିଲ୍ଲାଗୁଡ଼ିକରେ ମ୍ୟାଲେରିଆ ଦ୍ରୁତ ଗତିରେ ହ୍ରାସ ପାଇଛି। ଘର ଭିତରେ କୀଟନାଶକ ସିଞ୍ଚନ କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ୨୧ଟି ମାତ୍ରାଧିକ ମ୍ୟାଲେରିଆ ପ୍ରବଣ ଜିଲ୍ଲାଗୁଡ଼ିକରେ ୫୭ଲକ୍ଷ ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି। ମ୍ୟାଲେରିଆ ରୋଗର ତୁରନ୍ତ ଚିହ୍ନଟ ଓ ଚିକିତ୍ସା ପାଇଁ ରାଜ୍ୟରେ ପ୍ରାୟ ୪୭ ହଜାରରୁ ଅଧିକ ଆଶା ଓ ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀମାନଙ୍କୁ ତାଲିମ ଦିଆଯାଇଛି। ସେମାନଙ୍କୁ ରାପିଡ୍‌ ଡାଇଗ୍ନୋଷ୍ଟିକ କିଟ୍ ଓ ଆଣ୍ଟି ମ୍ୟାଲେରିଆ ଔଷଧମାନ ଯୋଗାଇ ଦିଆଯାଇଛି। ୫ଶହରୁ ଅଧିକ ସରକାରୀ ପରୀକ୍ଷାଗାରରେ ମ୍ୟାଲେରିଆ ରୋଗ ଚିହ୍ନଟ ଓ ଚିକିତ୍ସା ପ୍ରଦାନ କରାଯିବା ସହିତ ବ୍ୟାପକ ଜନସେଚତନତା କାର୍ଯ୍ୟକ୍ରମ କରାଯାଉଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe