ସମ୍ବଲପୁରରେ ବିଶ୍ବର ସବୁଠୁ ଦାମୀ ଆମ୍ବ ‘ମିୟାଜାକି’

ସମ୍ବଲପୁରରେ ବିଶ୍ବର ସବୁଠୁ ଦାମୀ ଆମ୍ବ ‘ମିୟାଜାକି’

ସମ୍ବଲପୁର: ସମ୍ବଲପୁର ସହରରେ ଫଳିଛି ବିଶ୍ବର ସବୁଠାରୁ ଦାମୀ ‘ମିୟାଜାକି’ ଆମ୍ବ। ବଜାରରେ ଏହି ଆମ୍ବର କିଲୋ ପ୍ରତି ମୂଲ୍ୟ ଅଢ଼େଇ ଲକ୍ଷରୁ ୩ ଲକ୍ଷ ଟଙ୍କା ରହିଛି। ସମ୍ବଲପୁର ବୁଢ଼ାରଜାର ସୁବ୍ରତ ନାଥ ତାଙ୍କ ବଗିଚାରେ ୨ ବର୍ଷ ତଳେ ଏହି ଆମ୍ବର ଚାରାକୁ ଲଗାଇଥିଲେ। ଚଳିତବର୍ଷ ଏହି ଆମ୍ବ ଗଛରେ ପ୍ରଥମକରି ଫଳ ଆସିଛି। ୧୦ଟି ଆମ୍ବ ଫଳିଥିବା ବେଳେ ପ୍ରତି ଆମ୍ବର ଓଜନ ପାଖାପାଖି ୩ ଶହରୁ ସାଢ଼େ ୩ ଶହ ଗ୍ରାମ ରହୁଛି। ଜାପାନର ମିୟାଜାକି ସିଟିରେ ଏହି ଆମ୍ବ ବିଶେଷ ଦେଖା ଦେଉଥିବାରୁ ଏହାକୁ ମିୟାଜାକି ଆମ୍ବ ବୋଲି କୁହାଯାଉଛି। ଔଷଧୀୟ ଗୁଣ ଓ ସ୍ବାଦ ‘ମିୟାଜାକି’ ଆମ୍ବକୁ ଅନ୍ୟ ଆମ୍ବଗୁଡ଼ିକ ଠାରୁ ସ୍ବତନ୍ତ୍ର କରିବା ସହ ମୂଲ୍ୟ ମଧ୍ୟ ବଢ଼ାଇଛି। ବାଇଗଣୀ-ଲାଲ୍‌ ରଙ୍ଗର ଏହି ଆମ୍ବ ରସପୂର୍ଣ୍ଣ ହେବା ସହ ବହୁତ ମିଠା।

ଏହି ଆମ୍ବକୁ ‘ଏଗ୍‌ସ ଅଫ୍‌ ଦ ସନ୍‌’ ବୋଲି କୁହାଯାଏ। ଉଦ୍ଭିଦବିଜ୍ଞାନରେ ଏହି ଆମ୍ବକୁ ‘ମ୍ୟାଙ୍ଗିଫେରା ଇଣ୍ଡିକା’ କହାଯାଏ। ଏହି ଆମ୍ବ ଉପରେ ୨୦୨୧ରେ କରାଯାଇଥିବା ଏକ ରିସର୍ଚ ଅନୁଯାୟୀ, ଏଥିରେ ଆଣ୍ଟି କ୍ୟାନସର୍‌, ଆଣ୍ଟି ଇନଫ୍ଲାମେଟୋରି, ଆଣ୍ଟି ମାକ୍ରୋବାୟାଲ, ଆଣ୍ଟି ଅକ୍ସିଡାଣ୍ଟ ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର କ୍ଷମତା ରହିଛି। ସ୍ତନ କର୍କଟ କ୍ଷେତ୍ରରେ ଏହି ଆମ୍ବ ଖାଇବା ସମ୍ଭବତଃ ଲାଭଦାୟକ ହୋଇପାରେ ବୋଲି ଜଣାପଡ଼ିଛି। ପେସାରେ ଜଣେ ଯନ୍ତ୍ରୀ, ଆଉ ନିଶାରେ ପରିବେଶପ୍ରେମୀ ହେଉଛନ୍ତି ସମ୍ବଲପୁର ବୁଢ଼ାରଜାର ଶ୍ରୀ ନାଥ। ସେ ୨ ବର୍ଷ ତଳେ ୨ ହଜାର ଟଙ୍କା ଦେଇ ‘ମିୟାଜାକି’ ଆମ୍ବର ଚାରାକୁ ସମ୍ବଲପୁରର ଏକ ନର୍ସରିରୁ କିଣିଥିଲେ। ସମ୍ବଲପୁରର ଜଳବାୟୁରେ ଏହି ଆମ୍ବ ସହଜରେ ବଢ଼ୁଥିବା ସହ ୨ ବର୍ଷରେ ଫଳ ଦେଉଥିବାରୁ ଏହାକୁ ଚାଷ କରି ଆନ୍ତର୍ଜାତିକ ବଜାରରେ ବିକ୍ରି କରି ପାରିଲେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ସମ୍ଭବପର ବୋଲି ଶ୍ରୀ ନାଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe