ଜୟନ୍ତୀରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳଟିଏ ପଡ଼ିଲାନି

ଜୟନ୍ତୀରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳଟିଏ ପଡ଼ିଲାନି

ହିଂଜିଳିକାଟୁ : ହିଂଜିଳିକାଟୁ ସହରର ମୁଖ୍ୟ ବଜାର ଛକ କହିଲେ ବିଜୁ ପଟ୍ଟନାୟକ ଛକକୁ ହିଁ ସୂଚାଇଥାଏ। ବହୁ ବର୍ଷ ପୂର୍ବେ ଏହା ପରିବା ବଜାର ଛକ ନାମରେ ପରିଚିତ ଥିଲା। ଦୁଇ ହଜାର ମସିହା ଡିସେମ୍ବର ୧୬ ତାରିଖରେ ହିଂଜିଳି ଏନ୍ଏସି ତରଫରୁ ଜାତୀୟ ରାଜପଥର ଠିକ ମଧ୍ୟଭାଗରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଥିଲେ। ଉକ୍ତ ମୂର୍ତ୍ତିଟି ସିମେଣ୍ଟ ଦ୍ୱାରା ନିର୍ମିତ ହୋଇଥିବା ଯୋଗୁଁ ବହୁ ସମୟରେ ବିଭିନ୍ନ ସ୍ଥାନରେ ମୂର୍ତ୍ତିରେ ଫାଟ ଦେଖା ଯାଇଥିଲା। ଯାହା ଫଳରେ ହିଂଜିଳିରେ ଥିବା ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବିଜୁପ୍ରେମୀ ମହଲରେ ଅସନ୍ତୋଷ ଦେଖା ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ୨୦୧୮ ମସିହାରେ ଉକ୍ତ ମୂର୍ତ୍ତି ବଦଳରେ ନୂତନ ମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ପୌର ପରିଷଦ ତରଫରୁ କାଉନ୍‌ସିଲ୍ ବୈଠକରେ ନିଷ୍ପତ୍ତି ନିଆଯାଇ ତୁରନ୍ତ ଜିଲ୍ଲା ସଂସ୍କୃତି ବିଭାଗକୁ ଏଥି ନିମନ୍ତେ ପତ୍ର ପ୍ରଦାନ କରା ଯାଇଥିଲା।

ସେହି ମର୍ମରେ ଗତବର୍ଷ ଅକ୍ଟୋବର ମାସ ୨୦ ତାରିଖରେ ସିମେଣ୍ଟରେ ନିର୍ମିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ପରିସରକୁ ସ୍ଥାନାନ୍ତର କରି ସେହି ସ୍ଥାନରେ ୧୨ ଫୁଟ୍ ଉଚ୍ଚତା ବିଶିଷ୍ଟ ୧୨ ଲକ୍ଷ ଟଙ୍କା ବ୍ୟୟରେ ନୂତନ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ସ୍ଥାପନ କରା ଯାଇଥିଲା। ବିଡ଼ମ୍ବନାର ବିଷୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଅପେକ୍ଷା କରି କରି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇ ପାରୁନାହିଁ। ଏଭଳି କ୍ଷେତ୍ରରେ ପୁଅର ଆସିବା ବାଟକୁ ଚାହିଁ ବସିଛନ୍ତି ବାପା ବୋଲି ବୁଦ୍ଧିଜୀବୀ ମତ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ବାରମ୍ବାର ପରିବର୍ତ୍ତନ ପାଇଁ ଏହା ବିଳମ୍ବ ହେଉଥିବା ବେଳେ ମାର୍ଚ୍ଚ ମାସ ୫ ତାରିଖ ଦିନ ସମସ୍ତ ସରକାରୀ ଓ ବେସରକାରୀ ଉତ୍ସବରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଥିଲେ ମଧ୍ୟ ହିଂଜିଳିରେ ତାଙ୍କ ଜୟନ୍ତୀରେ ସହର ମୁଖ୍ୟ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳଟିଏ ମଧ୍ୟ ପଡ଼ି ପାରିଲାନି। ସାରା ରାଜ୍ୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ପଡ଼ିଥିବା ବେଳେ ଏଠାରେ ମୂର୍ତ୍ତି ଅନାବରଣ ହୋଇ ନଥିବାରୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଲୋଚନା ହେଉଥିଲା, ଫୁଲମାଳ ନିମନ୍ତେ ବାପା ଜଗିଛନ୍ତି ପୁଅକୁ।

ସୂଚନା ଥାଉ କି, ମୁଖ୍ୟମନ୍ତ୍ରୀଙ୍କ ଗଡ଼ ହିଂଜିଳି ହୋଇଥିବା ଯୋଗୁଁ ଇତି ମଧ୍ୟରେ ନବୀନ ପଟ୍ଟନାୟକ ଏଠାରୁ ପ୍ରତି ନିର୍ବାଚନ ରଣାଙ୍ଗନରେ ସଫଳ ହେବା ସହ ଲଗାତର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ଏପରିକି ଗତ ନିର୍ବାଚନରେ ବିଜୟ ହେଲା ପରେ ଶୁଭେଚ୍ଛା ବାର୍ତ୍ତା ଜଣାଇବାକୁ ମଧ୍ୟ ଆସିନାହାନ୍ତି। ଏ ଭିତରେ ବହୁ ପ୍ରକଳ୍ପ ଭିଡ଼ିଓ କନଫରେନ୍ସିଂରେ ଉଦ୍‌ଘାଟନ ହୋଇଯାଇଛି। ତେବେ ସେ ଯାହା ହେଉନା କାହିଁକି, ବ୍ରୋଞ୍ଜରେ ନିର୍ମିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ନୂତନ ପ୍ରତିମୂର୍ତ୍ତି ଅନାବରଣ କେବେ ହେବ ଏବେ ତା' ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe