ଭୁବନେଶ୍ବର: ଆମ ଇତିହାସକୁ ଆମ ଉତ୍ତର ପିଢ଼ିଙ୍କ ଆଗରେ ଯେଉଁଭଳି ରଖିବା କଥା, ଆମେ ରଖିନାହୁଁ। ଐତିହାସିକମାନଙ୍କର ଏ ବାବଦରେ ଯେଉଁ ଦାୟିତ୍ବ ରହିଛି, ସେଥିରେ କିଛି ପରିମାଣର ଅବହେଳା ହୋଇଛି। ତେବେ ଓଡ଼ିଶାର ଐତିହାସିକମାନେ ନିଜ ଆତ୍ମଜୀବନୀ ରଚନା କରିବାର ସମୟ ଆସିଛି। ସେମାନଙ୍କର ଗବେଷଣାତ୍ମକ ତଥ୍ୟ ନିଶ୍ଚିତ ଭାବେ ଆମର ଇତିହାସକୁ ସମୃଦ୍ଧ କରିବ। ଲେଖକ ତଥା ଇନ୍ଟାକ୍ର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀଙ୍କ ପୁସ୍ତକ ‘ଜଣେ ଐତିହ୍ୟକର୍ମୀର କଥା ଓ ବ୍ୟଥା’ ନିଶ୍ଚିତ ରୂପେ ବର୍ତ୍ତମାନ ତଥା ଭବିଷ୍ୟତ ପିଢ଼ିକୁ ଆମ ଇତିହାସ ସମ୍ପର୍କରେ ଅବଗତ କରାଇବ ବୋଲି ସ୍ବସ୍ତି ପ୍ରିମିୟମ୍ଠାରେ ଆୟୋଜିତ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ଏହା କହିଛନ୍ତି। ଲେଖକ ଶ୍ରୀ ତ୍ରିପାଠୀ ଏହି ବହିଟିରେ ଜୀବନର ତିନିଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି। କୋଣାର୍କ, ଶିଶୁପାଳଗଡ଼ ଓ ରେଭେନ୍ସା କଲେଜ ସମ୍ବନ୍ଧିତ ନିଜ କର୍ମମୟ ଜୀବନର ଅନୁଭୂତିକୁ ସେ ଏଥିରେ ଦର୍ଶାଇଛନ୍ତି।
ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ଅବସରପ୍ରାପ୍ତ ପ୍ରଶାସକ ସଞ୍ଜୀବ ଚନ୍ଦ୍ର ହୋତା ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଯୋଗଦେଇ ରେଭେନ୍ସା କଲେଜରେ ନିଜର ପଢ଼ିବା ବେଳର କଥାର ରୋମନ୍ଥନ କରିଥିଲେ। ସେ କହିଥିଲେ, ରେଭେନ୍ସା ବିଶ୍ବବିଦ୍ୟାଳୟ ଦେଶ ଓ ଦେଶ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା। ବର୍ତ୍ତମାନ ଏହି ଐତିହ୍ୟର ସୁରକ୍ଷା ପ୍ରତି ସରକାର ଗୁରୁତ୍ବ ଦେବା ନିହାତି ଆବଶ୍ୟକ। ଜଣେ ପୁଲିସ ଅଧିକାରୀ ତଥା ଗବେଷକ ଭାବେ ଶ୍ରୀ ତ୍ରିପାଠୀଙ୍କ ଏଭଳି ପଦକ୍ଷେପ ନିଶ୍ଚିତ ପକ୍ଷେ ସବୁବର୍ଗର ଲୋକଙ୍କୁ ପ୍ରେରଣା ଯୋଗାଇବ।
‘ଜଣେ ଐତିହ୍ୟକର୍ମୀର କଥା ଓ ବ୍ୟଥା’ ପୁସ୍ତକ ଉନ୍ମୋଚିତ
ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ସବୁ ଐତିହାସିକ ଆତ୍ମଜୀବନୀ ରଚନା କରିବା ଆବଶ୍ୟକ। ନିଜର ୨୪ ବର୍ଷର ଅନୁଭବକୁ ଶ୍ରୀ ତ୍ରିପାଠୀ ଏକ ପୁସ୍ତକରେ ପରିଣତ କରିବା ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ବର୍ତ୍ତମାନର ସମୟରେ କୋଣାର୍କ, ଶିଶୁପାଳଗଡ଼ ଓ ରେଭେନ୍ସା ଆମ ଅସ୍ମିତାର ଗୁରୁତ୍ବ ବହନ କରୁଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗ ଉପରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନାମ ପରିବର୍ତ୍ତନ ଅପେକ୍ଷା ଐତିହ୍ୟର ମାନ ପରିବର୍ତ୍ତନର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ପୁସ୍ତକର ସମୀକ୍ଷା କରିଥିଲେ। ଲେଖା ଜରିଆରେ ସତ୍ୟ ଓ ନିଜର ବ୍ୟଥାକୁ ଶ୍ରୀ ତ୍ରିପାଠୀ ପୁସ୍ତକରେ ପ୍ରକାଶ କରିଥିବା ସେ କହିଥିଲେ। ପ୍ରାରମ୍ଭରେ ଅତିଥିମାନେ ଶ୍ରୀ ତ୍ରିପାଠୀଙ୍କ ଧର୍ମପତ୍ନୀ ସ୍ବର୍ଗତା ଉଷାରାଣୀ ତ୍ରିପାଠୀଙ୍କର ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରକାଶକ ରାଜକିଶୋର ଦାସ, ଅନୀଲ ଦେ, ମଲ୍ଲିକା ମିତ୍ର, ଲେଖକଙ୍କର ଦୁଇଝିଅ ଓ ଜ୍ବାଇଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
Follow Us