ଘୁ.ଉଦୟଗିରି : ପୁରୁଣା ୱାରେଣ୍ଟ ବଳରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପୁଲିସ ଜଣେ ନିରୀହ ବ୍ୟକ୍ତିଙ୍କୁ ଗିରଫ କରିଥିବା ଅଭିଯୋଗରେ ଆଜି ଘୁ.ଉଦୟଗିରି ଥାନା ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି। ଜନତାଙ୍କ ଅଭିଯୋଗ ହେଉଛି, ୱାରେଣ୍ଟ୍ ଥିଲା ସଂଜୀବ ପ୍ରଧାନଙ୍କ ନାଁରେ, ୧୪ ବର୍ଷ ପରେ ପୁଲିସ ସଂଜୀବଙ୍କ ବଦଳରେ ଅନ୍ୟଜଣେ ପ୍ରଭୁରଶ୍ମି ନାମକ ନିର୍ଦୋଷ ବ୍ୟକ୍ତିଙ୍କୁ ଗିରଫ କରି ଜେଲ୍ ପଠାଇଛି। ଏହାର ପ୍ରତିବାଦରେ ଗଦଗୁଡା ପଞ୍ଚାୟତ ରୁଦାଙ୍ଗିଆ ନିକଟ ଲେବଗୁଡା ଗ୍ରାମବାସୀ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ଶତାଧିକ ପୁରୁଷ ଓ ମହିଳା ଥାନା ଆଗରେ ଏକତ୍ରିତ ହୋଇ ପୁଲିସର ତ୍ରୁଟିପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନର ତଦନ୍ତ ଦାବି କରିଛନ୍ତି। ଘଟଣାସ୍ଥଳରେ ଜିଲ୍ଲା ପରିଷଦ ଉପସଭାପତି ସାଧବାଣୀ ନାୟକ, ଗଦଗୁଡ଼ା ସରପଞ୍ଚ ପୁଷ୍ପଲତା ପ୍ରଧାନ, ଟିକାବାଲି ବ୍ଲକ ଉପାଧ୍ୟକ୍ଷାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଣେ ଥାନା ଅଧିକାରୀ ରେବତୀ ଶବର କହିଛନ୍ତି ଉଭୟ ସଂଜୀବ ଓ ପ୍ରଭୁରଶ୍ମି ଜଣେ, ଆମେ ଠିକ୍ କରିଛୁ।
ସୂଚନା ପ୍ରକାରେ, ପୁଲିସ ଗତ ୨୮ ତାରିଖରେ ପ୍ରଭୁରଶ୍ମି ପ୍ରଧାନଙ୍କୁ ପୁରୁଣା ୱାରେଣ୍ଟ ବଳରେ ତାଙ୍କ ଘରୁ ଉଠାଇ ଆଣି କୋର୍ଟ ଚାଲାଣ କରିଥିଲା। ତେବେ ଗ୍ରାମବାସୀ ଏହାର ପ୍ରତିବାଦ କରିଥିଲେ। ସେମାନଙ୍କ ଯୁକ୍ତି ଥିଲା, ୱାରେଣ୍ଟ ବାନ୍ଦାଗୁଡ଼ା ଗ୍ରାମର ସଂଜୀବ ପ୍ରଧାନଙ୍କ ନାଁରେ ଅଛି। କିନ୍ତୁ ପୁଲିସ ସଂଜୀବଙ୍କ ବଦଳରେ ଭୁଲକ୍ରମେ ନିର୍ଦୋଷ ପ୍ରଭୁରଶ୍ମିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଊଲ୍ଲେଖଯୋଗ୍ୟ, ୨୦୦୮ମସିହାର ଜିଆର୍ କେସ୍ ନଂ-୩୫୬(ଏଫ୍)ଧାରା ୧୪୭, ୧୪୮, ୪୩୬, ୪୨୭, ୩୪୧, ୩୨୩, ୩୨୪, ୩୨୫, ୩୨୬, ୩୦୨, ୩୭୯, ୩୦୭, ୧୨୦(ବି)/୧୪୯ ବଳରେ ପ୍ରଭୁରଶ୍ମି ପ୍ରଧାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ୱାରେଣ୍ଟ କିନ୍ତୁ ସଂଜୀବ ପ୍ରଧାନଙ୍କ ନାମରେ ରହିଥିବା ବେଳେ ପୁଲିସ କାଗଜପତ୍ରରେ ପ୍ରଭୁରଶ୍ମି ପ୍ରଧାନ ଓରଫ ସଂଜୀବ ପ୍ରଧାନ ଲେଖି ପ୍ରଭୁରଶ୍ମିଙ୍କୁ କୋର୍ଟ ଚାଲାଣ କରଛି।
ପ୍ରଭୁରଶ୍ମିଙ୍କ ପତ୍ନୀ କମଳା ନିଜ ପ୍ରତିକ୍ରିୟାରେ କହିଛନ୍ତି, ୨୮ତାରିଖ ସକାଳ ୮ଟାରେ ପୁଲିସ ଘରେ ପହଂଚି ତାଙ୍କ ସ୍ବାମୀଙ୍କୁ ଜବରଦସ୍ତ ଥାନାକୁ ଉଠାଇ ନେଇଥିଲା। ବହୁ ଅନୁରୋଧ ପରେ ମଧ୍ୟ ପୁଲିସ କିଛି ଶୁଣି ନଥିଲେ। ଗ୍ରାମରକ୍ଷୀ ମଧ୍ୟ ପ୍ରଭୁରଶ୍ମିଙ୍କୁ ୱାରେଣ୍ଟ ପେପର୍ରେ ଦର୍ଶା ଯାଇଥିବା ସଂଜୀବ ପ୍ରଧାନ ନୁହଁନ୍ତି ବୋଲି ପୁଲିସକୁ ବୁଝାଇଥିଲେ। କିନ୍ତୁ ପୁଲିସ କିଛି ନଶୁଣି ପ୍ରଭୁରଶ୍ମିଙ୍କୁ ଗିରଫ କରି ତୁରନ୍ତ କୋର୍ଟ ଚାଲାଣ କରି ଦେଇଥିଲା ବୋଲି କମଳା ଅଭିଯୋଗ କରିଛନ୍ତି। ଆହା ନାଁରେ ୱାରେଣ୍ଟ ଆସିଛି ସେ ନେଇ କୌଣସି ତଦନ୍ତ ନ କରି ଉପର ଠଉରିଆ ଭାବେ ଜଣେ ନିରୀହ ନିର୍ଦୋଷ ବ୍ୟକ୍ତିଙ୍କୁ ଦୋଷୀ ସଜେଇ ଜେଲ୍କୁ ପଠାଇବା କେତେ ଯୁକ୍ତିଯୁକ୍ତ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।
ତେବେ ଏ ନେଇ ଥାନାଧିକାରୀ ରେବତୀ ଶବର କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ପକ୍କା ଖବର ପାଇ ପୁଲିସ ପ୍ରଭୁରଶ୍ମିଙ୍କୁ ଗିରଫ କରିଛି। ପୁଲିସ ଆଡୁ କୌଣସି ଭୁଲ ହୋଇନି। ତେବେ ପୁଲିସର ଏଭଳି ଉତ୍ତରରେ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଗାଁ ଲୋକ ପ୍ରଭୁରଶ୍ମିଙ୍କ ବିଷୟରେ ଅଧିକ ଜାଣିଛନ୍ତି ନା ପୁଲିସ ଅଧିକ ଜାଣିଛି ବୋଲି ପାଲଟା ପ୍ରଶ୍ନ କରି ଥାନା ଆଗରେ ହୋହଲ୍ଲା କରିଛନ୍ତି। ହେଲେ ପୁଲିସ ନିର୍ଦ୍ଦୋଷକୁ ଧରିଛି ନା’ ପ୍ରକୃତ ଦୋଷୀଙ୍କୁ ଗିରଫ କରିଛି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଯଦି ନିର୍ଦ୍ଦୋଷକୁ କୋର୍ଟ ଚାଲାଣ କରିଥାଏ ତା’ ହେଲେ ଏହା ଏକ ସାଙ୍ଘାତିକ ଭୁଲ ବୋଲି ଧରାଯିବା ସହ ଦୋଷୀ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ।
Follow Us