ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-‌ରେ ଅଚଳ, କଲବଲ ହେଉଛନ୍ତି ରୋଗୀ

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-‌ରେ ଅଚଳ, କଲବଲ ହେଉଛନ୍ତି ରୋଗୀ

ପୁରୀ: ମାଗଣା ସ୍ବାସ୍ଥ୍ୟ ସେବା ସାଧାରଣ ରୋଗୀଙ୍କ ପାଇଁ ଉପହାସ ପାଲଟିଛି। କେବେ ‘ନିରାମୟ’ରେ ମାଗଣା ଔଷଧ ଉପଲବ୍ଧ ହେଉନଥିବାରୁ ରୋଗୀ ନିରାଶ ହେଉଛନ୍ତି ତ କେବେ ନିଦାନ ବ୍ୟବସ୍ଥା ଅଚଳ ହୋଇଯିବାରୁ ଏକ୍ସ-ରେ କରାଇ ପାରୁନାହାନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏକ୍ସ-ରେ ମେସିନ ଅଚଳ ଥିଲେ ବି ଏ ସମ୍ବନ୍ଧରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଜାଣୁନାହାନ୍ତି। ସ୍ବାସ୍ଥ୍ୟାବସ୍ଥାର ଏଭଳି ଅଭାବନୀୟ ଚିତ୍ର ଯୋଗୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲୋକଙ୍କ ଆସ୍ଥାଭାଜନ ହୋଇପାରୁନାହିଁ।

ସ୍ବାସ୍ଥ୍ୟସେବାକୁ ନେଇ ଯେପରି ପ୍ରଚାର କରାଯାଉଛି, ବାସ୍ତବ ଚିତ୍ର ତା’ଠୁ ଢେର୍‌ ଭିନ୍ନ। ନିଦାନ ବ୍ୟବସ୍ଥା ମାଗଣାରେ ଉପଲବ୍ଧ କରାଯାଉଥିଲେ ହେଁ, ୨୦ ଦିନ ହେଲା ଏକ୍ସ-ରେ ମେସିନ୍‌ ଅଚଳ। ହାତ ଓ ଗୋଡ଼ର ଏକ୍ସ-ରେ କରାଯାଉଥିଲେ ହେଁ ମେରୁଦଣ୍ଡ କିମ୍ବା ଛାତିର ଏକ୍ସ-ରେ କରାଯାଉନାହିଁ। ସ୍ଥିତି ଏମିତି ଯେ ଯଦି କେହି ଦୁର୍ଘଟଣାଗ୍ରସ୍ତ ରୋଗୀଟିଏ ହସ୍ପିଟାଲ୍‌ ଆସୁଛି, ସେ ହାତ ଓ ଗୋଡ଼ର ଏକ୍ସ-ରେ ହସ୍ପିଟାଲ୍‌ରେ କରାଉଥିବା ବେଳେ ମେରୁଦଣ୍ଡ ଓ ଛାତିର ଏକ୍ସ-ରେ ଘରୋଇ ଡାଏଗ୍ନୋଷ୍ଟିକ୍‌ କେନ୍ଦ୍ରରେ କରାଇବାକୁ ବାଧ୍ୟ ହେଉଛି। ପୁରୀ ମୁଖ୍ୟ ଚିକିତ୍ସାଳୟରେ ନିଦାନ ସେବାରେ ଏଭଳି ତ୍ରୁଟି ଦେଖାଯିବା କିମ୍ବା ଏକ୍ସ-ରେ ମେସିନ୍‌ ଅଚଳ ହେବା ପ୍ରଥମ ଘଟଣା ନୁହେଁ। ‌ଯେକୌଣସି ମେସିନ୍‌ ଯାନ୍ତ୍ରିକ ତ୍ରୁଟି ପାଇଁ ଅଚଳ ହେବା କାହା ହାତର କଥା ନୁହେଁ, କିନ୍ତୁ ୨୦ ଦିନ ହେଲା ଏହାକୁ ସଜଡ଼ା ନଯିବା ରୋଗୀଙ୍କ ଉପରେ ଦାଉ ସାଧିଛି। ବିଶେଷକରି ଦୁର୍ଘଟଣାଗ୍ରସ୍ତ ହେଉଥିବା ବ୍ୟକ୍ତିବିଶେଷଙ୍କର ହାତ, ଗୋଡ଼, ଅଣ୍ଟା ଓ ଛାତିରେ କ୍ଷତ ସୃଷ୍ଟି ହେଉଥିବାରୁ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଏକ୍ସ-ରେ ଓ ଏମ୍‌ଆର୍‌ଆଇ ପାଇଁ ପ୍ରାଥମିକତା ଦେଉଛନ୍ତି। ରୋଗ ନିରୂପଣ ପାଇଁ ନିଦାନ ସେବାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି।

publive-image Simply Odisha

ଗରିବଙ୍କଠୁ ନେଇ ମଧ୍ୟବିତ୍ତଙ୍କ ପର୍ଯ୍ୟନ୍ତ ଡାକ୍ତରଖାନାରେ ଉପଲବ୍ଧ ଏହି ସେବା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହା ଉପଲବ୍ଧ ହେଉନଥିବାରୁ, ବାହାରେ ଚଢ଼ା ଦରରେ ରୋଗ ନିରୂପଣ ପାଇଁ ପରୀକ୍ଷା କରାଇବାକୁ ବାଧ୍ୟ ହେଉଛନ୍ତି। ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ସମ୍ପର୍କୀୟଙ୍କ କହିବା ମୁତାବକ, ଡାକ୍ତର ଏକ୍ସ-ରେ ପାଇଁ ‌ଲେଖିଦେବା ପରେ ସେ ଏକ୍ସ-ରେ କରିବାକୁ ଯାଇଥିଲେ। ମେରୁଦଣ୍ଡର ଏକ୍ସ-ରେ କରିବା ଧାଡ଼ିରେ ଛିଡ଼ା ହେବା ପରେ ତାଙ୍କୁ କୁହାଗଲା, ମେସିନ୍‌ ଖରାପ ଅଛି। କେବଳ ଏଠାରେ ହାତ ଓ ଗୋଡ଼ର ‌ଏକ୍ସ-ରେ କରାଯାଉଛି। ଅତି ଜରୁରୀକାଳୀନ ସ୍ଥିତି‌ରେ କେବଳ ଅଣ୍ଟାର ଏକ୍ସ-ରେ କରାଯାଇପାରିବ। କିନ୍ତୁ ଛାତି ଓ ମେରୁଦଣ୍ଡର ଏକ୍ସ-ରେ ହୋଇପାରିବ ନାହିଁ। ବିଚରା ରୋଗୀଙ୍କ ସମ୍ପର୍କୀୟ ଏହା ଶୁଣିବା ପରେ ଗୋଟିଏ ପରୀକ୍ଷା ମେଡିକାଲ୍‌ରେ କରାଇଥିବା ବେଳେ ଅନ୍ୟ ପରୀକ୍ଷାଟି ବାହାରେ କରାଇଥିଲେ।

ଛାତି ଓ ମେରୁଦଣ୍ଡ ଏକ୍ସ-ରେ ପାଇଁ ୩୫୦ରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରିବାକୁ ପଡ଼ୁଥିବା ବେଳେ ଏହି ସେବା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଯୋଗାଇ ଦିଆଯାଉଛି। ପୁରୀ ସହର ସମେତ ଜିଲ୍ଲାବାସୀ ଭରସାରେ ମାଗଣା ସ୍ବାସ୍ଥ୍ୟସେବା ପାଇଁ ଏଠାକୁ ଧାଇଁ ଆସୁଥିଲେ ହେଁ ସେମାନଙ୍କୁ ଅଧିକାଂଶ ସମୟରେ ନିରାଶ ହେବାକୁ ପଡ଼ୁଛି। ବାରମ୍ବାର ମେସିନ୍‌ ଅଚଳ ହେଉଥିବାରୁ ଭିତ୍ତିଭୂମି ମଜଭୁତ କରିବା ପାଇଁ ରୋଗୀମାନେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe