‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ପୂର୍ବରୁ ଆରମ୍ଭ ହେଲା ଯଜ୍ଞ, ପୂଜାନୀତି

‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ପୂର୍ବରୁ ଆରମ୍ଭ ହେଲା ଯଜ୍ଞ, ପୂଜାନୀତି

ପୁରୀ: ପାଖେଇ ଆସୁଛି ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ସମୟ। ମଝିରେ ଆଉ ମାତ୍ର ଦୁଇ ଦିନ ଅର୍ଥାତ ପୌଷ ଶୁକ୍ଳ ସପ୍ତମୀ ତିଥି (ଜାନୁଆରି୧୭ ତାରିଖ)ରେ ଭବ୍ୟ, ଦିବ୍ୟ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ କରିବେ। ଏହି ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଯଜ୍ଞ ପାଇଁ ପୂଜାନୀତି ଆରମ୍ଭ ହୋଇଯାଇଛି। ଯଜ୍ଞମଣ୍ଡପ ଓ ପରିକ୍ରମା ମାର୍ଗ ବି ପ୍ରସ୍ତୁତ ହୋଇସାରିଛି।

ମନ୍ତ୍ରୋପୋଚାରଣରେ ଶ୍ରୀକ୍ଷେତ୍ର କମ୍ପୁଛି। ଜୟ ଜଗନ୍ନାଥ ଧ୍ୱନି ଗୁଞ୍ଜରିତ ହେଉଛି। ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଶୁକ୍ରବାର ଠାରୁ  ଆଦ୍ୟପର୍ବ ଯଜ୍ଞର ବିଭିନ୍ନ ପୂଜାନୀତି ଆରମ୍ଭ ହୋଇଛି। ଶନିବାର ଅଙ୍କୁର ପୂଜନ ଓ ମଣ୍ଡଳକଟା ଯାଇଥିବାବେଳେ, ରବିବାର ହୋଇଛି ମଣ୍ଡଳ ସ୍ଥାପନ, ଯଜ୍ଞ ଅଧିବାସ, ଧ୍ୱଜା ସ୍ଥାପନ, ତୋରଣ ସ୍ଥାପନ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଶୋତ୍ରିୟ ବ୍ରାହ୍ମଣ ଏହି ନୀତିକାନ୍ତି ସମାପନ କରିଛନ୍ତି।

ଲୋକାର୍ପଣ ଉତ୍ସବ ଦିନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବଡ଼ଦେଉଳର ଐଶାନ୍ୟ କୋଣରେ ଯଜ୍ଞ ଚାଲିଥିବାବେଳେ ଶ୍ରୀମନ୍ଦିରର ଚାରି ଦ୍ୱାରରେ କରାଯିବ ବେଦ ପାଠ ଓ ନାମ ସଂକୀତ୍ତନ୍ୟ। ୧୭ତାରିଖରେ ପ୍ରବଳ ଭିଡକୁ ଲକ୍ଷ୍ୟରେ ରଖି ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି।

ଆଲୋକମାଳାରେ ଶ୍ରୀମନ୍ଦିର ଝଲସୁଛି। ଶ୍ରୀକ୍ଷେତ୍ର ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି। ସମଗ୍ର ପୁରୀର ପରିପାଟ୍ଟି ବଦଳିଛି। ଯୁଆଡେ ଚାହିଁବ ଆଖି ଲାଖି ଯାଉଛି। ପ୍ରତିଟି କାରୁକାର୍ଯ୍ୟରେ ଉତ୍କଳର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଝଲସୁଛି। ଜଗନ୍ନାଥଙ୍କ ଲୀଳା, ଭକ୍ତ-ଭଗବାନ ସମ୍ପର୍କ, ପୁରାଣ ଓ କିମ୍ବଦନ୍ତୀ କାହାଣୀର ଚିତ୍ରକୁ ଦେଖିବା ପାଇଁ, ଶ୍ରଦ୍ଧାଳୁମାନେ ଏବେ ପୁରୀ ମୁହାଁ ହୋଇଛନ୍ତି। କାଳିଆ ସାଆନ୍ତଙ୍କ ଡୋରି ଭକ୍ତଙ୍କୁ, ଶ୍ରୀକ୍ଷେତ୍ରକୁ ହାତ ଠାରୁଛି। ଶ୍ରୀମନ୍ଦିରରେ ଗହଳି ବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe