ତୁ ମାଡ଼ି ଆସେ, ମୁଁ ବୁଡ଼ିବି: ଜଳସମାଧି ଅପେକ୍ଷାରେ ୧୩ ଗାଁ

ପ୍ରଦୀପ କୁମାର ମହାପାତ୍ର

ତୁ ମାଡ଼ି ଆସେ, ମୁଁ ବୁଡ଼ିବି: ଜଳସମାଧି ଅପେକ୍ଷାରେ ୧୩ ଗାଁ

ଯାଜପୁର: କେନ୍ଦୁଝର ଜିଲ୍ଲାର ବହୁ ପ୍ରତୀକ୍ଷିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କାନପୁର ଡ୍ୟାମ୍‌ରେ ଡିସେମ୍ବର ମାସରୁ ପାଣି ଗଚ୍ଛିତ ରଖାଯିବ। ଏହାପରେ ବୁଡ଼ିବା ଆରମ୍ଭ କରିବ ବିସ୍ଥାପିତ ହୋଇଥିବା ୧୩ ଗାଁ। ୨୦୨୪ ଅଗଷ୍ଟ ବେଳକୁ ବର୍ଷା ଋତୁରେ ଏହା ସଂପୂର୍ଣ୍ଣ ଜଳଗର୍ଭରେ ଲୀନ ହୋଇଯିବ। ଦିନେ ଏଠି ଲୋକଙ୍କ ଘର ଥିଲା। ପୂଜା କରିବା ପାଇଁ ମନ୍ଦିର ଥିଲା। ପିଲାଙ୍କ ପାଠପଢ଼ା ପାଇଁ ବିଦ୍ୟାଳୟ ରହିଥିଲା। ଯାହା କି ଜଳସମାଧି ନେବ। ପ୍ରକଳ୍ପ ପାଇଁ ବିସ୍ଥାପିତ ପରିବାରଗୁଡ଼ିକ ନିଜ ଜମିରେ ଖଟି ପେଟ ପାଇଁ ଦାନା ଯୋଗାଡ଼ କରୁଥିଲେ। ହେଲେ ସେମାନଙ୍କ ଜମି ବାଡ଼ି ଚାଲିଯିବା ପରେ ମାଲିକ ବଦଳରେ ମୂଲିଆ ପାଲଟିଯାଇଛନ୍ତି। ବିସ୍ଥାପନ ପରେ ଯାହା କ୍ଷତିପୂରଣ ମିଳିଥିଲା ସେଥିରେ ଘର ଖଣ୍ଡିଏ ଲେଖାଏଁ ନିର୍ମାଣ କରିପାରିଛନ୍ତି ସତ, ହେଲେ ଜମି ନଥିବାରୁ ଅଧିକାଂଶ ଏବେ ମୂଲ ଲାଗି ପେଟ ପୋଷୁଛନ୍ତି। ଏଭଳି ସ୍ଥିତିରେ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରାସନ ଚାଉଳ ଗଣ୍ଡାକ ଅଧିକାଂଶଙ୍କ ବଡ଼ ଭରସା ହୋଇଛି।

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ୧୩ଟି ଗାଁର ଲୋକେ ବିସ୍ଥାପିତ ହୋଇଛନ୍ତି। କିଛିଜଣ କ୍ଷତିପୂରଣ ରାଶି ନେଇ ନିଜ ସୁବିଧା ଅନୁସାରେ ରହୁଥିବା ବେଳେ ଆଉକିଛି ବିସ୍ଥାପିତ କଲୋନିରେ ଭାଗ୍ୟ ଭରସାରେ ପଡ଼ି ରହିଛନ୍ତି। ବିସ୍ଥାପନ ପରେ ଅନେକଙ୍କ ଜୀବିକା ଉଜୁଡ଼ି ଯାଇଛି। ଆଉ ଏପଟେ ବୁଡ଼ି ଅଞ୍ଚଳରେ ଯାଉଥିବା ୧୩ ଗାଁ ଏବେ ଖାଁ ଖାଁ। ଏଠି କେହି ଲୋକ ନାହାନ୍ତି। ଯେଉଁଆଡ଼େ ଆଖିବୁଲାଇଲେ ବୁଲ୍‌ଡ୍ରୋଜର ଲଗାଇ ଭାଙ୍ଗି ଦିଆଯାଇଥିବା ଘର, ଗଦା ହୋଇଥିବା ଭଗ୍ନ ଇଟା। ଭଙ୍ଗା ଯାଇ ନଥିବାରୁ ବିଭିନ୍ନ ଗାଁରେ କିନ୍ତୁ ମନ୍ଦିରଗୁଡ଼ିକ ସୁରକ୍ଷିତ ଅବସ୍ଥାରେ ଅଛି। ହେଲେ ଦିଅଁ ନାହାନ୍ତି। ଏହି ମନ୍ଦିର ଓ ଭଙ୍ଗାଘର ସବୁ କାନପୁର ଡ୍ୟାମ୍‌ ପାଣିରେ ବୁଡ଼ି ମରିବାକୁ ସତେ ଯେମିତି ଅପେକ୍ଷା କରି ରହିଛି। ଡ୍ୟାମରେ ପାଣି ରହିଲେ ପ୍ରଥମେ କଣ୍ଡରା ଓ ବାସୁଦେବପୁର ବୁଡ଼ିବା ଆରମ୍ଭ କରିବ। ପରକୁ ପର ରେଭେନ୍ସାପୁର(କ), ରେଭେନ୍ସାପୁର (ଖ), ମୁରୁସୁଆଁ, ଚମକପୁର, ଗୋବିନ୍ଦପୁର, ବିରିକଳା, ଲହଣ୍ଡା, ରୁଗୁଡ଼ି, ହରିହରପୁର, ଧୋବାକୁଚୁଡ଼ା, ଦଡୁଆଁ ଆଦି ଜଳଗର୍ଭକୁ ଚାଲିଯିବ। ବିସ୍ଥାପିତଙ୍କ ସ୍ମୃତି ସବୁଦିନ ପାଇଁ ଲିଭିଯିବ। ପ୍ରକଳ୍ପ ଯନ୍ତ୍ରୀଙ୍କ ସୂଚନା ହେଉଛି ଡ୍ୟାମ୍‌ରେ ପାଣି ରଖାଗଲେ ୧୦ଟି ଗାଁ ସଂପୂର୍ଣ୍ଣ ଏବଂ ୩ଟି ଗାଁ ଆଂଶିକ ବୁଡ଼ିବ। ପ୍ରକଳ୍ପ ପାଇଁ ୨୫୧୧ ହେକ୍ଟର ଜମି ଜଳମୟ ହେବ।

କାନପୁର ପ୍ରକଳ୍ପ ଜଳଭଣ୍ଡାରର ଉଚ୍ଚତା ୩୯.୫ ମିଟର ରହିଛି। ଏଠାରେ ସର୍ବାଧିକ ୩୬ ମିଟର ପର୍ଯ୍ୟନ୍ତ ପାଣି ରହିବ। ସେଥିରୁ ୧୫ ମିଟର ପାଣି ବ୍ୟବହାରଯୋଗ୍ୟ ହେବ। ଏହି ପ୍ରକଳ୍ପରୁ ଜଳ ନିଷ୍କାସନ ପାଇଁ ୧୨ଟି ସ୍ଲୁଇସ୍ ଗେଟ୍ ନିର୍ମାଣ କରାଯାଇଛି। ଏଠାରୁ ୪.୩ ମେଗାୱାଟ୍ ବିଜୁଳି ଉତ୍ପାଦନ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ଜରିଆରେ ଚମ୍ପୁଆ ବ୍ଲକ୍ର ୧୪୨ଟି ଗ୍ରାମ, ଝୁମ୍ପୁରା ବ୍ଲକ୍ର ୭୮ଟି ଗ୍ରାମ, ପାଟଣା ବ୍ଲକ୍ର ୧୧ଟି ଗ୍ରାମ, କେନ୍ଦୁଝର ବ୍ଲକ୍ର ୧୨ଟି ଓ ଯୋଡ଼ା ବ୍ଲକ୍ର ଗୋଟିଏ ଗାଁ ଏଭଳି ମୋଟ ୨୪୪ଟି ଗାଁର ୨୯୫୭୮ ହେକ୍ଟର ଚାଷଜମି ଜଳସେଚିତ ହେବ। ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି କହିଛନ୍ତି ଯେ, ଡିସେମ୍ବରରେ କାନପୁର ଡ୍ୟାମ୍‌ରେ ପାଣି ଗଚ୍ଛିତ ରଖାଯିବ। ବର୍ତ୍ତମାନ ଶୀତ ଋତୁରେ ପାଣି ବିଶେଷ ରହିବ ନାହିଁ। ତେବେ ଆସନ୍ତା ଅଗଷ୍ଟ ମାସ ବେଳକୁ ବର୍ଷା ଋତୁରେ ଡ୍ୟାମ୍‌ରେ କ୍ଷମତା ଅନୁଯାୟୀ ପାଣି ରହିବ। ଆଉ ଏହି ସମୟରେ ବିସ୍ଥାପିତ ହୋଇଥିବା ଗାଁଗୁଡ଼ିକ ବୁଡ଼ିଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe