ସମ୍ବଲପୁର : କରୋନା ଜନିତ ନିମୋନିଆରେ ସମ୍ବଲପୁରର ଜଣେ ପ୍ରତିଭାଶାଳୀ ଯୁବକ ଶୁଭଙ୍କର ପୁରୋହିତ (୨୬)ଙ୍କର ପରଲୋକ ହୋଇଯାଇଛି। ବୁଧବାର ସକାଳ ୮ଟା ୩୦ରେ ସେ ବୁର୍ଲାର ସମଲେଶ୍ବରୀ ନର୍ସିଂହୋମ୍ରେ ଆଖି ବୁଜିଥିଲେ।
ମାନେଶ୍ବର ନିକଟ ମିର୍ଗାମୁଣ୍ଡା ଗାଁ’ର ମୂଳ ନିବାସୀ ତଥା ଏବେ ଧନୁପାଲି ମହାବୀରପଡ଼ାରେ ରହୁଥିବା ଆଇନ୍ଜୀବୀ ବିରଞ୍ଚି ପୁରୋହିତ ଏବଂ ଶିକ୍ଷୟିତ୍ରୀ ସନ୍ତୋଷିନୀ ପୁରୋହିତଙ୍କର ସେ ଏକମାତ୍ର ପୁତ୍ର। ଗଂଗାଧର ମେହେର କନିଷ୍ଠ ମହାବିଦ୍ୟାଳୟରେ +୨ ପଢ଼ିଲା ପରେ ଶୁଭଙ୍କର କୃଷିରେ ଓୟୁଏଟି ଭୁବନେଶ୍ବରରୁ ବିଏସ୍ସି ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଏମ୍ଏସି ଡିଗ୍ରି ହାସଲ କରିଥିଲେ। ଏବେ ସେ ଉତ୍ତରାଖଣ୍ଡର ପନ୍ତନଗରରେ ପିଏଚ୍ଡି କରୁଥିଲେ। ସେଠାରେ ଅସୁସ୍ଥ ଅନୁଭବ କରିବାରୁ କିଛି ଦିନ ତଳେ ସମ୍ବଲପୁର ଆସିଥିଲେ। ଏଠାରେ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲା।
ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ଦୁଇ ଥର ସମଲେଶ୍ବରୀ ନର୍ସିଂହୋମ୍ରେ ଭର୍ତ୍ତି କରା ଯାଇଥିଲା। ତେବେ ନିମୋନିଆ ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ବୁଧବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଶୁଭଙ୍କର ଜଣେ ଅତ୍ୟନ୍ତ ଭଦ୍ର, ମିଷ୍ଟଭାଷୀ ଓ ମେଳାପି ଯୁବକ ଥିଲେ। ସାମାଜିକ ଗଣମାଧ୍ୟମରେ ସମ୍ବଲପୁର ଓ ସମ୍ବଲପୁରୀ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ସଦା ପ୍ରୟାସରତ ଥିଲେ। ତାଙ୍କ ଅକାଳ ବିୟୋଗରେ ଗାଁ ସମେତ ସମ୍ବଲପୁର ସହରରେ ଶୋକର ଛାୟା ଖେଳି ଯାଇଛି।
Follow Us