ଯୁବ ବ୍ୟବସାୟୀଙ୍କ ମହାନତା: ବୁର୍ଲା ଭିମ୍‌ସାରକୁ ଚିକିତ୍ସା ପାଇଁ ଆସିଥିବା ସୁନ୍ଦରଗଡ଼ର ଏକ ବୃଦ୍ଧ ଦମ୍ପତିକୁ ନିଜ କାର୍‌ରେ ନେଇ ଗାଁ’ରେ ଛାଡିଲେ

ଭଲ ଖବର

ଯୁବ ବ୍ୟବସାୟୀଙ୍କ ମହାନତା: ବୁର୍ଲା ଭିମ୍‌ସାରକୁ ଚିକିତ୍ସା ପାଇଁ ଆସିଥିବା ସୁନ୍ଦରଗଡ଼ର ଏକ ବୃଦ୍ଧ ଦମ୍ପତିକୁ ନିଜ କାର୍‌ରେ ନେଇ ଗାଁ’ରେ ଛାଡିଲେ

ସମ୍ବଲପୁର : ଲକ୍‌ଡାଉନ୍ ଯୋଗୁ ବସ୍‌ ଚଳାଚଳ ବନ୍ଦ ରହିଛି। ସମଗ୍ର ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବାର ଜୀବନରେଖା କହାଯାଉଥିବା ବୁର୍ଲା ଭିମ୍‌ସାରକୁ ଆସିବା ଏବଂ ଚିକିତ୍ସିତ ହୋଇ ଗାଁକୁ ଫେରିବା ପାଇଁ ଗରିବ ଲୋକଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁସ୍ଥହୋଇ ଘରକୁ ଯିବା ପାଇଁ ସକାଳୁ ଅପରାହ୍‌ଣ ପର୍ଯ୍ୟନ୍ତ ଭିମ୍‌ସାର‌ ଗେଟ୍‌ ନିକଟରେ ଅପେକ୍ଷା କରିଥିବା ସୁନ୍ଦରଗଡ଼ର ଏକ ବୃଦ୍ଧ ଦମ୍ପତିକୁ ସହାୟତା ପାଇଁ ଆଗେଇ ଆସିଥିଲେ ଯୁବ ବ୍ୟବସାୟୀ ତଥା ସ୍ବେଚ୍ଛାସେବୀ ‌ରାହୁଲ ମୋଦକ। ସମ୍ବଲପୁର ରେମେଡ଼ ନିବାସୀ ରାହୁଲ ଗତକାଲି ବୁର୍ଲାରୁ ୧୨୦ କିଲୋମିଟର ଦୂର ସୁନ୍ଦରଗଡ଼ ଜିଲ୍ଲାର ତଳସରା ଗାଁକୁ ‌ନିଜ କାର୍‌ରେ ନେଇ ଦୁଃଖନାଶନ ମାଝୀ ଏବଂ ତାଙ୍କ ପତ୍ନୀଙ୍କୁ ଛାଡ଼ିଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ୧୦ ଦିନ ତଳେ ଦୁଃଖନାଶନ ମାଝୀ(୬୦) ବୁର୍ଲା ଭିମ୍‌ସାରକୁ ଚିକିତ୍ସା ପାଇଁ ଆସିଥିଲେ। ଅସ୍ତ୍ରୋପଚାର ପରେ ସୁସ୍ଥ ହେବାରୁ ଗତକାଲି ସକାଳ ୯ଟାରେ ଡାକ୍ତର ତାଙ୍କୁ ଡିସ୍‌ଚାର୍ଜ କରିଥିଲେ। ଦୁଃଖନାଶନ ଓ ତାଙ୍କ ପତ୍ନୀ ନିଜ ଜିନିଷପତ୍ର ଧରି ଡାକ୍ତରଖାନା ଗେଟ୍ ସମ୍ମୁଖକୁ ଆସିଥିଲେ। ଗାଡ଼ିଭଡ଼ା କରି ଯିବା ପାଇଁ ସେମାନଙ୍କ ପାଖରେ ଟଙ୍କା ନଥିଲା। ତେଣୁ, ସୁନ୍ଦରଗଡ଼ ଆଡ଼କୁ ଯାଉଥିବା ଆମ୍ବୁଲାନସ୍‌ରେ ଯିବା ପାଇଁ ସେମାନେ ଯୋଜନା କରିଥିଲେ। ଆମ୍ବୁଲାନ୍‌ସ ଚାଳକମାନଙ୍କୁ ପଚରାଉଚରା କରିଥିଲେ, ମାତ୍ର କେହି ସୁନ୍ଦରଗଡ଼ ଯାଉନଥିବା ଜାଣିବାକୁ ପାଇଥିଲେ।

ଗତକାଲି ସକାଳେ ରାହୁଲ ମୋଦକ ଭିମ୍‌ସାର୍‌ ପରିସରରେ ଥିବା ଔଷଧ ଦୋକାନକୁ ଯାଇଥିଲେ। ଅପରାହ୍‌ଣରେ ପୁଣି ସେଠାକୁ ତାଙ୍କୁ ଯିବାକୁ ପଡ଼ିଥିଲା। ବୃଦ୍ଧ ଦମ୍ପତି ସକାଳୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଗୋଟିଏ ଜାଗାରେ ବସିଥିବା ଦେଖି ରାହୁଲ ସେମାନଙ୍କୁ ପଚରାଉଚରା କରିଥିଲେ। ସମସ୍ୟା ଜାଣିବା ପରେ ସେ ଅପେକ୍ଷା କରିବାକୁ କହି ବାଇକ୍‌ରେ ରେମଡ଼ ବାସଭବନକୁ ଫେରି କାର୍‌ ନେଇ ପୁଣି ବୁର୍ଲା ଅଭିମୁ‌ଖେ ବାହାରି ପଡ଼ିଥିଲେ। ଅପରାହ୍‌ଣ ସାଢ଼େ ୫ଟାରୁ ବୁର୍ଲାରୁ ବାହାରି ରାତି ସାଢ଼େ ୮ଟାରେ ସେଠାରେ ପହଂଚି ଥିବା ରାହୁଲ କରିଛନ୍ତି। ବାଟରେ ସେମାନଙ୍କ ଖାଇବାପିଇବା ବ୍ୟବସ୍ଥା ବି କରିଥିଲେ। ଦୁଃଖନାଶନଙ୍କ ଏକମାତ୍ର ଝିଅର ବାହାଘର ହୋଇସାରଛି। ୩ ବର୍ଷ ତଳେ ତାଙ୍କ ଏକମାତ୍ର ଅବିବାହିତ ପୁଅର ମୃତ୍ୟୁ ଘଟିଥିବା ବେଳେ ଗାଁରେ ବୃଦ୍ଧ ଦମ୍ପତି ଏକାକୀ ରହୁଥିବା ଶ୍ରୀ ମୋଦକ କହିଛନ୍ତି। ରାହୁଲଙ୍କ ଏଭଳି କାମକୁ ଲୋକେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe