ନିଶାମୁକ୍ତି କେନ୍ଦ୍ରରେ ଯୁବ ଇଞ୍ଜିନିୟରଙ୍କୁ ତଣ୍ଟିଚିପି ହତ୍ୟା; ୪ ଗିରଫ

କଟକ ସଦର ଥାନା ଅନ୍ତର୍ଗତ ଉତ୍ତମାପୁରଠାରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ଜଣେ ଯୁବ ଇଂଜିନିୟରଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ମୃତ ଯୁବକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜାବଜା...

Untitled-17

ଫୁଲନଖରା: କଟକ ସଦର ଥାନା ଅନ୍ତର୍ଗତ ଉତ୍ତମାପୁରଠାରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ଜଣେ ଯୁବ ଇଂଜିନିୟରଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ମୃତ ଯୁବକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜାବଜାର ଅଞ୍ଚଳର ରବୀନ୍ଦ୍ର କୁମାର ଦାସଙ୍କ ପୁଅ ସୌମ୍ୟରଞ୍ଜନ ଦାସ (୩୫)। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି।

ସୌମ୍ୟଙ୍କ ଘର ଲୋକଙ୍କ କହିବା ଅନୁଯାୟୀ ସେ ବିଟେକ୍‌ ଛାତ୍ର ଥିବାବେଳେ କୌଣସି ନିଶାଦ୍ରବ୍ୟ ସେବନ କରୁ ନ ଥିଲେ। ଏମିତି କି ଯିଏ ତାଙ୍କ ସମ୍ମୁଖରେ ସିଗାରେଟ୍‌ ଟାଣୁଥିଲା ସେ ତାଙ୍କୁ ପାଟି କରୁଥିଲେ। ସେ ମୁମ୍ବାଇର ଓଏନ୍‌ଜିସି ନାମକ ଏକ ସଂସ୍ଥାରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ହାବଭାବରେ ପରିବର୍ତ୍ତନ ହୋଇଥିଲା। ଏଭଳି ଅବସ୍ଥା ଦେଖି ଘରଲୋକ ତାଙ୍କୁ ଘରକୁ ଫେରାଇ ଆଣିଥିଲେ। ସୌମ୍ୟ ସେତେବେଳେ ନିଶାସକ୍ତ ହୋଇଥିବା ଜାଣି ଜଣେ ସଂପର୍କୀୟ ଭାଇ ତାଙ୍କୁ ଏହି କେନ୍ଦ୍ରରେ ଗତ ତିନି ମାସ ତଳେ ଭର୍ତ୍ତି କରିଥିଲେ। ଏହି ନିଶା ନିବାରଣ କେନ୍ଦ୍ରରେ ପାଖାପାଖି ୨୫ଜଣ ଅନ୍ତେବାସୀ ରହୁଥିଲେ। ସୋମବାର ରାତିରେ ସେହି କେନ୍ଦ୍ରରୁ ୩ଜଣ ଲୁଚି ଫେରାର ହୋଇଯିବା ପାଇଁ ଉଦ୍ୟମ କରୁଥିବାବେଳେ ସୌମ୍ୟ ସେମାନଙ୍କୁ ଦେଖି ପାଟି କରିଥିଲେ। ଫେରାର ହୋଇଯାଉଥିବା ଯୁବକମାନେ ସୌମ୍ୟଙ୍କୁ ଆକ୍ରମଣ କରିବା ସହିତ ମୁହଁରେ ତକିଆ ପକାଇ ତଣ୍ଟି ଚିପି ହତ୍ୟା କରିଥିଲେ ବୋଲି ଥାନା ଅଧିକାରୀ ତୁଷାରକାନ୍ତ ସେଠୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ଗିରଫ 

ଅଭିଯୁକ୍ତମାନେ ହେଲେ ପିଠାପୁରର ରାଜା ବେତାଳ, ଯାଜପୁର ଧର୍ମଶାଳାର ରୋହିତ ରଂଜନ ସାମଲ, ବଡ଼ମ୍ବାର ରମାକାନ୍ତ ସ୍ବାଇଁ, ଅଡ଼ଶପୁରର ଆଶୁତୋଷ ଦାସ। ଏଥିସହିତ ନିଶାମୁକ୍ତି କେନ୍ଦ୍ରକୁ ସିଲ୍‌ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ପୁଲିସ୍‌ ସୂଚନା ଦେଇଛି। ଏଠାରେ ଥିବା ଅନ୍ତୋବାସୀଙ୍କୁ ବାହାର କରିବା ପାଇଁ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସମସ୍ତେ ଯିବା ପରେ କେନ୍ଦ୍ରକୁ ସିଲ୍‌ କରାଯିବ। ଏହି କେନ୍ଦ୍ରର କିଛି କର୍ମଚାରୀ ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଛି। 

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅନେକ ସମୟରେ ଏହି ସଂସ୍ଥାରେ ଖୁବ୍‌ଜୋରରେ ପାଟିତୁଣ୍ଡ ଶୁଭେ। ଏଥିରେ ଆଖପାଖରେ ଥିବା ଲୋକେ ଅତିଷ୍ଠ ହୋଇପଡ଼ନ୍ତି। ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe