ବିଦେଶରେ କାର୍ଯ୍ୟରତ ଯୁବ ଇଞ୍ଜିନିୟରଙ୍କ ଜନ୍ମମାଟି ଚିନ୍ତା: ଦାନ କଲେ ୫ଟି ଅକ୍ସିଜେନ କନସେଣ୍ଟ୍ରେଟର୍

Advertisment
ବିଦେଶରେ କାର୍ଯ୍ୟରତ ଯୁବ ଇଞ୍ଜିନିୟରଙ୍କ ଜନ୍ମମାଟି ଚିନ୍ତା: ଦାନ କଲେ ୫ଟି ଅକ୍ସିଜେନ କନସେଣ୍ଟ୍ରେଟର୍

ଯାଜପୁରସଦର  : କରୋନା କବଳରୁ ମୁକୁଳିବାକୁ ଏବେ ସାରା ଦେଶ ସଂଗ୍ରାମ କରୁଛି। ଏହି ସଙ୍କଟ ସମୟରେ ବିଦେଶରେ ଥିବା ଜଣେ ଯୁବଇଂଜିନିୟର ନିଜର ଜନ୍ମଭୂମି ପ୍ରତି ଭଲପାଇବା ଦେଖାଇଛନ୍ତି। ଯାଜପୁର ଜିଲ୍ଲା ବିଂଝାରପୁର ଶିବାଶିଷ ଦାସ ଜିଲ୍ଲା ପ୍ରଶାସନକୁ ୫ଟି ଅକ୍ସିଜେନ କନସେଣ୍ଟ୍ରେଟର ପ୍ରଦାନ କରିଛନ୍ତି।

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଏରଡ଼ଙ୍ଗ ନାଟରା ଅଞ୍ଚଳର ଦିଲୀପ କୁମାର ଦାସଙ୍କ ପୁଅ ଶିବାଶିଷ ଯାଜପୁର ଜିଲ୍ଲାରେ ନିଜର ସ୍କୁଲ ଓ କଲେଜ ଶିକ୍ଷା ପରେ ବିଦେଶରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ଏବେ ସେ କାନାଡ଼ାର ଟରଣ୍ଟୋରେ ମେକାନିକାଲ ଇଂଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। କରୋନା ପରି ମହାମାରୀ ସମୟରେ ନିଜ ଦେଶରେ ଅକ୍ସିଜେନ ସଙ୍କଟ କାରଣରୁ ଲୋକେ ଛଟପଟ ହେବା ଘଟଣା ତାଙ୍କୁ ବ୍ୟଥିତ କରିଥିଲା। ନିଜ ପରିବାର ଓ ବନ୍ଧୁଙ୍କ ସହଯୋଗରେ ସେ ପ୍ରାଥମିକ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ପରାମର୍ଶକ୍ରମେ ୫ଟି ଅକ୍ସିଜେନ କନସେଣ୍ଟ୍ରେଟର ପ୍ରଦାନ କରିଛନ୍ତି। ପରବର୍ତ୍ତୀ ସମୟରେ ଆଉ ୩ ଟି ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି।

ବୁଧବାର ଦିନ ଏହି ମେସିନଗୁଡ଼ିକୁ ତାଙ୍କ ବାପା, ଭାଇ ଓ କମ୍ପାନି କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏଡିଏମ (ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ ଓ ଏଡିଏମ ମିହିରପ୍ରସାଦ ମହାନ୍ତି, ସିଡିଏମଓ ସୁଧାଂଶୁ ଶେଖର ଧଳ ଓ ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ଉପସ୍ଥିତିରେ ପ୍ରଶାସନକୁ ହସ୍ତାନ୍ତର କରିଥିଲେ।

ପ୍ରାଥମିକ ଭାବେ ‌୪ଟି ମେସିନ ଯାଜପୁର ମୁଖ୍ୟ ଚିକିତ୍ସାଳୟର ମେଡିସିନ ୱାର୍ଡରେ ରୋଗୀଙ୍କ ସେବାରେ ଲଗାଯାଇଛି। ଅବଶିଷ୍ଟ ମେସିନକୁ ଯାଜପୁର ରୋଡ୍‌ ଚିକିତ୍ସାଳୟରେ ଲଗାଯିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ କରୋନା ସମୟରେ ଅକ୍ସିଜେନର ଆବଶ୍ୟକତା ଥିବାବେଳେ ଶିବାଶିଷଙ୍କ ଏପରି ସହଯୋଗକୁ ଉଚ୍ଚ ପ୍ରଶଂସା କରାଯାଇଛି। ଜିଲ୍ଲା ପ୍ରଶାସନ ତାଙ୍କର ଏହି କାର୍ଯ୍ୟକୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛି। ବିନା ସିଲିଣ୍ଡରରେ ଏହି ମେସିନ ଜରିଆରେ ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ଦିଆଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe