ଦୁର୍ଘଟଣା ପରେ ପୁଲିସ-ଜନତା ଖଣ୍ଡଯୁଦ୍ଧ: ରାସ୍ତାରୋକ, ପୁଲିସକୁ ପିଟିଲେ ଲୋକେ

ଗୁରୁତର ଶୁଆକାଟି ଫାଣ୍ଡି ଅଧିକାରୀ କଟକ ସ୍ଥାନାନ୍ତର

ଦୁର୍ଘଟଣା ପରେ ପୁଲିସ-ଜନତା ଖଣ୍ଡଯୁଦ୍ଧ: ରାସ୍ତାରୋକ, ପୁଲିସକୁ ପିଟିଲେ ଲୋକେ

କେନ୍ଦୁଝର: କେନ୍ଦୁଝର ସଦର ଥାନା ରାୟଗୋଡ଼ା ପଞ୍ଚାୟତ ଅଁରା-ରାୟଗୋଡ଼ା ରାସ୍ତାର ଅରଡ଼େଇ ପୋଲ ନିକଟରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହାକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜାଳି ଦେଇଛନ୍ତି। ସେହିପରି ପୁଲିସ ସହ ଉତ୍ତ୍ୟକ୍ତ ଲୋକଙ୍କ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଶୁଆକାଟି ଫାଣ୍ଡି ଅଧିକାରୀ ଫୁଲାବେନିସି ବିଗିଆ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସକୁ ଆକ୍ରମଣ ଅଭିଯୋଗରେ ୨୬ଜଣକୁ ଅଟକ ରଖାଯାଇଛି।

ବିନିଦା ଗ୍ରାମର ସନ୍ତୋଷ ଦେହୁରୀ (୨୨) ଶ୍ରୀମେଟାଲିକ୍ସ କାରଖାନାରେ କାମ କରୁଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାବେଳେ ସେ ଡ୍ୟୁଟି ସାରି ଏକ ବାଇକ୍‌ (ଓଡି-୦୯-ଏଲ୍‌-୮୭୦୦)ରେ ଘରକୁ ଫେରୁଥିଲେ। ରାୟଗୋଡ଼ା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା (ଓଡି-୦୯-ଜେଡ୍‌-୧୯୦୮) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ ବିଳମ୍ବିତ ରାତିରେ ରାସ୍ତାରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ହାଇୱାରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଶୁଆକାଟି ଫାଣ୍ଡି ଅଧିକାରୀ ଫୁଲାବେନିସି ବିଗିଆ ଓ ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ତେ​ବେ ଲୋକେ ପୁଲିସକୁ ପାଲଟା ଆକ୍ରମଣ କରିଥିଲେ। ଲୋକଙ୍କ ଆକ୍ରମଣରେ ଫାଣ୍ଡି ଅଧିକାରୀ ଶ୍ରୀ ବିଗିଆ ଗୁରୁତର ହୋଇଛନ୍ତି। ପୁଲିସ କର୍ମଚାରୀମାନେ ତାଙ୍କୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଖବର ପାଇ ଏସ୍‌ପି ନୀତିନ କୁଶଲକର ଡାଗୁଡ଼, ଏସ୍‌ଡିପିଓ ମହେନ୍ଦ୍ର ହେମ୍ବ୍ରମ, କେନ୍ଦୁଝର ସଦର ଥାନା ଅଧିକାରୀ ତ୍ରିନାଥ ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଘଟଣାରେ ପୁଲିସ ୨୬ଜଣଙ୍କୁ ଥାନାରେ ଅଟକ ରଖିଛି। ଶାନ୍ତିଶୃଙ୍ଖଳା ରାକ୍ଷା ପାଇଁ ରାୟଗୋଡ଼ରର ଗ୍ରାମରେ ପୁଲିସ ପଇଁତରା ମାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe