କରଞ୍ଜିଆରେ ହାଇ ଡ୍ରାମା: ଛାତ ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment

୫ ଘଣ୍ଟା ପରେ କାବୁ କଲେ ଅଗ୍ନିଶମ କର୍ମଚାରୀ

୫ ଘଣ୍ଟା ପରେ କାବୁ କଲେ ଅଗ୍ନିଶମ କର୍ମଚାରୀ

କରଞ୍ଜିଆରେ ହାଇ ଡ୍ରାମା: ଛାତ ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କରଞ୍ଜିଆ ଗୋଲେଇ : ଜଣେ ଯୁବକ ବାଇକ୍‌ ପୋଡ଼ିବା ସହ ଘର ଭାଙ୍ଗିପକାଇଲେ। ପରେ ସେ ମାରଣାସ୍ତ୍ର ଧରି ଘର ଛାତ ଉପରକୁ ଚଢ଼ିଗଲେ। ନିଜ ଶରୀରର ବିଭିନ୍ନ ସ୍ଥାନକୁ କାଟି ଆତ୍ମହତ୍ୟା ଉଦ୍ୟମ କଲେ। ତେବେ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଂଚି ଶେଷରେ ଉକ୍ତ ଯୁବକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଏପରି ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପିଛୁଳି ଗାଁରେ।

ପିଛୁଳି ଗାଁର ନୃବସା ମହାନ୍ତ (୨୮)। ସୋମବାର ଦିନ ସେ କୌଣସି କାରଣ ଯୋଗୁ ନିଜର ବାଇକ୍‌କୁ ପୋଡ଼ିଦେଇଥିଲେ। ସେହିପରି ଘରକୁ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ। ପରେ ସେ ବିଭିନ୍ନ ମାରଣାସ୍ତ୍ର ଧରି ଘରର ଛାତ ଉପରକୁ ଚଢ଼ିଯାଇଥିଲେ ଏବଂ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏପରିକି ମାରଣାସ୍ତ୍ର ଦ୍ବାରା ନିଜ ଶରୀରର ବିଭିନ୍ନ ଅଂଶକୁ କାଟି ପକାଇଥିଲେ। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଯିଏ ଯେତେ ବୁଝାଇଲେ ବି ସେ କିଛି ଶୁଣି ନ ଥିଲେ। ତାଙ୍କ ପାଖକୁ ଯିଏ ଯାଉଥିଲା, ସେ ତାଙ୍କୁ ଛାତରେ ଲାଗିଥିବା ଟାଇଲ୍‌ କାଢ଼ି ଫୋପାଡ଼ୁଥିଲେ।

ଖବର ପାଇ ଉପଜିଲ୍ଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କରଞ୍ଜିଆ ପୁଲିସ ଓ ଅଗ୍ନିଶମ ବିଭାଗକୁ ଘଟଣା ବାବଦରେ ଅବଗତ କରିଥିଲେ। ଫଳରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଗ୍ରାମରେ ପହଂଚି ନୃବସାଙ୍କୁ ଦୀର୍ଘ ୫ ଘଣ୍ଟା ଧରି ବୁଝାଇଥିଲେ। ହେଲେ କିଛି ଫଳ ମିଳି ନ ଥିଲା। ତେବେ ଅନ୍ୟ ଉପାୟ ନ ପାଇ ଅଗ୍ନିଶମ ଅଧିକାରୀ ନରେନ୍ଦ୍ର ରାଉତଙ୍କ ନେତୃତ୍ବରେ କର୍ମଚାରୀମାନେ ଚତୁରତାର ସହ ଛାତ ଉପରେ ଚଢ଼ି ନୃବସାକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଥାନା ଆଇଆଇସି ସରୋଜିନୀ ସିଂ ଯୁବକଙ୍କୁ ଡାକ୍ତରଖାନା ନେବା ସହ ଚିକିତ୍ସା କରାଇଛନ୍ତି।
ତେବେ ନୃବସା ଏପରି କାଣ୍ଡ କାହିଁକି ଭିଆଇଲେ, ସେନେଇ ତଦନ୍ତ ଚାଲିଛି। ସୁସ୍ଥ ହେଲେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe