sisat
ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ନୂଆବରଙ୍ଗାମାଳ ପଞ୍ଚାୟତ ବଡ଼ମାଳ ରାଞ୍ଚିପଡ଼ାରେ ଗୁରୁବାର ରାତି ୧୦ଟା ୪୫ରେ ଜଣେ ଯୁବକଙ୍କୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ଗଡ଼ଲୋଇସିଂହ ପଞ୍ଚାୟତ ପଡ଼ିଆବଡ଼ମାଳର ବୀର ମାଝୀ (୩୫)। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ପୁଲିସ ଧମାକଁଟାର ପବିତ୍ର ମିର୍ଦ୍ଧା (୩୦)କୁ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ ରାଞ୍ଚିପଡ଼ାଠାରେ ଥିବା ଏକ ଫାର୍ମ ହାଉସରେ ପବିତ୍ର ଶ୍ରମିକ ଭାବେ କାମ କରେ। ଫାର୍ମ ହାଉସ୍ରେ ଅଧିକ ଲୋକ ଦରକାର ଥିବାରୁ ପବିତ୍ର ଗୁରୁବାର ବୀରଙ୍କୁ ସାଙ୍ଗରେ ଆଣିଥିଲା। ସେଠାରେ ଦିନରେ ଅନ୍ୟମାନଙ୍କ ସହିତ ଉଭୟ କାମ କରିଥିଲେ। ସନ୍ଧ୍ୟାରେ ଅନ୍ୟମାନେ ପଳାଇବା ପରେ ଫାର୍ମହାଉସ୍ରେ କେବଳ ଏହି ଦୁଇଜଣ ଥିଲେ। ରାତିରେ ଖାଇ ପିଇ ସାରିବା ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପବିତ୍ର ଏକ ବାଡ଼ିରେ ବୀରଙ୍କ ମୁଣ୍ଡକୁ ପିଟି ଦେଇଥିଲା। ପ୍ରବଳ ରକ୍ତସ୍ରାବ ହେବାରୁ ସେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ଖବରପାଇ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ ଡାକ୍ତରଖାନାରେ ଶବ ଜବତ କରିବା ପରେ ଶୁକ୍ରବାର ବ୍ୟବଚ୍ଛେଦ କରାଇଥିଲା। ଆସନ୍ତା କାଲି ଅଭିଯୁକ୍ତ ପବିତ୍ରକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।
Follow Us